ଆଜିର ରାବଣ ବହୁତ ନିଷ୍ଠୁର
ଦିପ୍ତିମୟୀ ନାୟକ
ରାମାୟଣର ଏକ ଚରିତ୍ର ଯିଏକି ରାବଣ ଥିଲା | ସେ ରାବଣ ଆଉ ଆଜିକା ରାବଣ ଭିତରେ ବହୁତ ପାର୍ଥକ୍ୟ ରହିଛି | ସେ ରାବଣ ସୀତାଙ୍କୁ ହରଣ କରିଥିଲା ହେଲେ ସୀତାଙ୍କୁ କେବେ ଛୁଇଁ ନଥିଲା କିନ୍ତୁ ଆଜିକା ଦିନରେ ଯେଉଁ କିଛି ମଣିଷ ରୂପକ ରାବଣ ଅଛନ୍ତି ସେମାନେ ନାରୀଙ୍କୁ ହରଣ କରି ବଳାତ୍କାର କରୁଛନ୍ତି | ସତ କଥା ହେଲା ସେତେବେଳର ରାବଣ ବଲାତ୍କାରୀ ନଥିଲା କିନ୍ତୁ ଆଜିର କିଛି ଅମଣିଷ କାମନା ରୂପକ ବାସନାରେ ଅନ୍ଧ ହୋଇ ଅପରାଧର ସୀମା ଅତିକ୍ରମ କରୁଛନ୍ତି | ଏହି ଅପରାଧୀ ମାନଙ୍କ ପାଇଁ ହିଁ ଆଜିର ଦିନରେ ଅନେକ ଅପରାଧ ଘଟିଚାଲିଛି | ଯାହା ଅନେକ କାଗଜ କଲମରେ ଲେଖା ହୋଇ ସବୁ ଅଚଳ ଭାବରେ ପଡ଼ିରହିଛି | ତେବେ କେଉଁଠି ନା କେଉଁଠି ଅପରାଧୀ ମାନଙ୍କ ପାଇଁ ଦୃଢକାର୍ଯ୍ୟାନୁଷ୍ଠାନ ହେଉଛି ତ ଆଉ କେଉଁଠି ଅପରାଧୀ ମାନଙ୍କୁ ଖୋଲା ଛାଡିଦିଆଯାଉଛି | ଯାହାଫଳରେ ଅପରାଧର ସୀମା ଟପି ଯାଉଛି | ଏହି ଅପରାଧୀ ମାନଙ୍କ ପାଇଁ ଆଜିର ନାରୀ ପ୍ରତ୍ୟେକ ମୁହୂର୍ତ୍ତରେ ନିଜକୁ ଅସୁରକ୍ଷିତ ମନେ କରନ୍ତି | ଯଦିଓ ଆମେ କହିବା ନାରୀ ଶକ୍ତି ଆଗରେ ଅନ୍ୟ ଶକ୍ତି ହାର୍ ମାନିଯାଏ ତେବେ ଏସବୁ କେବଳ କହିବା କଥା ଏମିତି କେବଳ ଫିଲ୍ମରେ ହୁଏ ସତରେ ନୁହେଁ | ବର୍ତ୍ତମାନ ଦୁନିଆକୁ ଦେଖିଲେ ମୋତେ କାହିଁକି ଲାଗେନି ଆଜି ଗୋଟେ ନାରୀ ସୁରକ୍ଷିତ ଅଛି | ବେଳେବେଳେ ଏମିତି ଦେଖିବାକୁ ମିଳେ ଯେମିତି ଯେଉଁମାନେ ନାରୀକୁ ଅପବିତ୍ର କରାନ୍ତି ସେହିମାନେ ହିଁ ନାରୀକୁ ପରିଚୟ ଦେଇଥାନ୍ତି ନାରୀ ଅସତୀ | ଗୋଟେ ନାରୀକୁ ଏମିତି ଆଖ୍ୟା ଦେବା କଣ ଠିକ | ଯିଏ ଗୋଟେ ନାରୀକୁ ବଳାତ୍କାର କରେ ସେ ବଳାତ୍କାରୀ ହୋଇଥାଏ ହେଲେ ସେ ଧୁଆ ତୁଳସୀ କିପରି ହୁଏ ଆଉ ଗୋଟେ ନାରୀ କେମିତି ଅସତୀ ହୋଇଯାଏ | କିନ୍ତୁ ଏଠି ଲୋକେ କୁହନ୍ତୁ ଗୋଟେ ହାତରେ କେବେ ତାଳି ବାଜେନି ଯଦି କିଛି ତା ସହ ଅଘଟଣ ଘଟିଥିବ ସେଥିପାଇଁ ସେ ଝିଅର କିଛି ଦୋଷ ରହିଥିବ ଯାହାଫଳରେ ତା ସହ ଏମିତି ଘଟିଥିବ | ତେବେ ସେମାନଙ୍କୁ ମଧ୍ୟ ଗୋଟେ କଥା ଯଦି ଗୋଟେ ହାତରେ ତାଳି ବାଜେନି ତାହେଲେ କାହିଁକି ଅନ୍ୟ ହାତର ତାଳିକୁ ଅନୁଧ୍ୟାନ କରି କହୁନାହାନ୍ତି ବରଂ ସେମାନେ ମଧ୍ୟ ଦେଖିବା ଦରକାର ଦୁଇହାତରେ କେମିତି ତାଳି ବାଜେ | କେଉଁ ନାରୀ ଚାହେଁନି ତାର ସତୀତ୍ୱ ଆଉ କେହି ନଷ୍ଟ କରୁ କିନ୍ତୁ ଯେତେବେଳେ କେହି ତାର ସତୀତ୍ୱକୁ ନଷ୍ଟ କରନ୍ତି ସେହି ରାକ୍ଷସ ମାନେ କେମିତି ଭଲ ହୋଇଯାଆନ୍ତି | ଯେଉଁମାନେ ଦୋଷ କରୁଛନ୍ତି ସେମାନଙ୍କୁ ନିହାତି ଦଣ୍ଡ ମିଳିବା ଦରକାର ଏବଂ ଯେଉଁ ନାରୀ ବଳାତ୍କାରର ଶିକାର ହେଉଛନ୍ତି ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେବା ଦରକାର | ଆଉ ଯେଉଁମାନେ ସଙ୍ଘବର୍ଦ୍ଧ ଭାବରେ ନାରୀକୁ ବଳାତ୍କାର କରି ମାରିଦେଉଛନ୍ତି ଏମାନଙ୍କ ପାଇଁ ଆଇନ କଠୋରରୁ କଠୋର ହେବା ଦରକାର | ଏମାନଙ୍କୁ ପ୍ରଥମେ ଶାସ୍ତି ପରେ ମୃତ୍ୟୁ ଦଣ୍ଡ ଦିଆଯିବା ଦରକାର | ଅନେକ ସମୟରେ ଆପଣ ଦେଖିଥିବେ ଯେଉଁ ମହିଳା ଜଣଙ୍କ ବଳାତ୍କାରର ଶିକାର ହୋଇଥିବେ ଏ ସମାଜର ଲୋକମାନେ ଆଖି ଠାର ଦେଇ କୁହନ୍ତୁ ଦେଖ ଏ ଝିଅ ବଳାତ୍କାରର ଶିକାର ହୋଇଥିଲା ଆହାଃ ୟାକୁ ଆଉ କିଏ ବାହା ହେବ ୟା ଜୀବନ ବର୍ବାଦ ହେଇଗଲା କାଇଁ ଏକଥା କେହି କୁହନ୍ତିନି ଦେଖ ଏ ଦୋଷୀ ଏ ଗୋଟେ ଝିଅର ଜୀବନ ବର୍ବାଦ କରିଥିଲା | ୟାକୁ କଠୋର ଦଣ୍ଡ ମିଳିବା ଦରକାର | ଆଜିକାଲି ଅପରାଧୀଙ୍କ ପାଖରେ ଯଦି ପୁଳା ପୁଳା ଟଙ୍କା ରହୁଛି ତେବେ ଆଇନ ବି ସେମାନଙ୍କ ହାତରେ ରହୁଛି | ଆଉ ଯେଉଁମାନେ ନ୍ୟାୟ ଅପେକ୍ଷାରେ ରହୁଛନ୍ତି ସେମାନଙ୍କ ପ୍ରତି ଅନ୍ୟାୟ ବଢ଼ି ଚାଲିଛି | ରାତା ରାତି ଦୋଷୀ ନିର୍ଦୋଷ ହୁଏ ଆଉ ଏମିତି ଅପରାଧିକ ମାମଲା ସବୁ ଗୋଟେ ପରେ ଗୋଟେ ନୂଆ ଫାଇଲରେ ଲେଖା ହୁଏ | ଯଦି ବାସ୍ତବତାକୁ ଅନୁଧ୍ୟାନ କରିବା ତେବେ ସବୁ ପୁରୁଷ ସମାନ ନୁହଁନ୍ତି କି ସବୁ ନାରୀ ସମାନ ନୁହଁନ୍ତି କିନ୍ତୁ ଏଟା ସତ ରାବଣ ରୂପକ ମଣିଷ ଆଜିବି ଅଛନ୍ତି | ଯେଉଁମାନେ ପ୍ରତି ମୁହୂର୍ତ୍ତରେ ନିରୀହ ଜୀବନକୁ ନଷ୍ଟ କରିବାପାଇଁ ଚାହିଁ ରହିଛନ୍ତି | ଝିଅମାନେ ମଧ୍ୟ ସବୁବେଳେ ସତର୍କ ରୁହନ୍ତୁ | ଆତ୍ମାରକ୍ଷା କୌଶଳ ଶିଖିଯାଆନ୍ତୁ ନଚେତ ଏଭଳି ରାବଣ ରୂପକ ମଣିଷ ମାନଙ୍କ ଠାରୁ ସୁରକ୍ଷିତ ରହିବା ଆଶା ଛାଡିଦିଅନ୍ତୁ | ଆଉ ଯଦି ଏମାନଙ୍କ କବଳରୁ ମୁକ୍ତ ହେବାକୁ ଚାହୁଁଛନ୍ତି ତେବେ ନିଜ ସୁରକ୍ଷା ପାଇଁ ସବୁ ନିଜ ପାଖେ ପାଖେ ଲଙ୍କା ଗୁଣ୍ଡ ପ୍ୟାକେଟ ରଖିଥାନ୍ତୁ | ଯେଉଁଠି ନିଜକୁ ଅସୁରକ୍ଷିତ ମନେ କରିବେ ସେଇଠି ଲଙ୍କା ଗୁଣ୍ଡ ସେହି ଅପରାଧୀଙ୍କ ମୁଁହକୁ ଫିଙ୍ଗି ନିଜ ସୁରକ୍ଷା ପାଇଁ ଚିତ୍କାର କରି ଅନ୍ୟ ମାନଙ୍କ ସହଯୋଗ ଲୋଡ଼ନ୍ତୁ କିନ୍ତୁ ମନେ ରଖନ୍ତୁ ଆଜିର ରାବଣ ସେ ରାବଣ ନୁହେଁ | ସେତେବେଳର ରାବଣ ସୀତାଙ୍କୁ ଛୁଇଁ ନଥିଲା କିନ୍ତୁ ଆଜିର ରାବଣ କାମନା ବାସନାରେ ଅନ୍ଧ ହୋଇ ଅନ୍ୟର ଜୀବନକୁ ବର୍ବାଦ କରୁଛି |