ଆଜି ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ଅମାବାସ୍ୟାରେ ମହାପ୍ରଭୁଙ୍କ ଲାଗି ହେବ ବ୍ରହ୍ମଜ୍ୟୋତି ହୀରାଯୁକ୍ତ ଚିତା । ପତିମହାପାତ୍ର ସେବକ ସଂସ୍କାର କରିବା ପରେ ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଶ୍ରୀଅଙ୍ଗରେ ଏହି ଅଳଙ୍କାର ଲାଗି କରିବେ । ଶ୍ରୀଜଗନ୍ନାଥଙ୍କୁ ଶୁଭ୍ରହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଖଚିତ ରତ୍ନଚିତା ଓ ମା’ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି କରାଯିବ । ଶ୍ରୀମନ୍ଦିରରେ ଚିତା ଲାଗି ନୀତି ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ବଢ଼ିବ । ସ୍ନାନପୂର୍ଣ୍ଣିମା ଅବସରରେ ଠାକୁରେ ଅଣସର ଘରକୁ ବିଜେ ହୋଇଥିଲେ । ସେହି ସମୟରେ ଶ୍ରୀଅଙ୍ଗରୁ ଏହି ଚିତା ଓଲାଗି କରାଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି ହୋଇଥିଲା । ସୋମବାର ଅମାବାସ୍ୟାରେ ସୋଲଚିତା ଓଲାଗି ପରେ ଅସଲ ରତ୍ନଚିତା ଲାଗି ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ଶ୍ରୀଦେବୀ ଓ ଭୂଦେବୀ ରତ୍ନ ସିଂହାସନରୁ ଆସି ଖଟ ଶେଜରେ ବିଜେ ହେବେ । ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ ହେବ । ଶୁଦ୍ଧ ସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ ବାଡ଼ଗ୍ରାହୀ । ଏଥିରେ ସ୍ଥାପନ ହେଲେ ପୁଣି ଆସନ୍ତା ବର୍ଷ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଅକ୍ଷତ ରହିବ ଦୁର୍ମୂଲ୍ୟ ପଥର । ଠାକୁରଙ୍କ ଚିତାରେ ଆହୁରି ମଧ୍ୟ ଅନେକ ଦୁଷ୍ପ୍ରାପ୍ୟ ରତ୍ନପଥର ରହିଛି । ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ବିଧି ସମ୍ପନ୍ନ ହେବ । ଏହା ପରେ ମାଳଫୁଲ ତଥା ୬ ମୂର୍ତ୍ତି ଚଢ଼ାଉ ଲାଗି ହୋଇ ବେଶ ବଢ଼ିବ । ମହାପ୍ରଭୁଙ୍କ ସପ୍ତାବରଣରୁ ଏହା ହେଉଛି ଷଷ୍ଠାବରଣ । ରେଖାପଞ୍ଚମୀ ତିଥିରେ ଶେଷ ଆବରଣ ତଥା ରାହୁରେଖା ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବୋଲି ଦଇତାପତି ସେବକ କୁହନ୍ତି । ତେବେ କୋଭିଡ କଟକଣା ଯୋଗୁଁ ଠାକୁରଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ