ଆଜି ଠାରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ

ବାରିପଦା,(ମୁରାରୀ ମୋହନ ମହାପାତ୍ର): ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ପାଳନ ଉପଲକ୍ଷେ ଆଜି ଠାରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ପାଳିତ ହେବ. ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଂଚିଥିବାର ଜଣାଯାଇଛି. ମେଳାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଅନନ୍ତ ନାରାୟଣ ଙ୍କ ପୂଜା ଯଜ୍ଞ ସହିତ 7ଦିନ ଧରି ବିଭିନ୍ନ ବର୍ଗର ଗଣ୍ୟ ମାନ୍ୟ ବ୍ୟକ୍ତି ମାନେ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ, ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା ନୈପୁଣ୍ୟତା ପ୍ରଦର୍ଶନ କରିବେ. ସେହିପରି ମେଳାରେ ବିଭିନ୍ନ ପ୍ରକାର ଷ୍ଟଲ ସହ ଖାଦ୍ୟ ମେଳାର ଆସର ଜମିବ. ତିନୋଟି ନଦୀର ମିଳନ ସ୍ଥଳର ବାଲି ଉପରେ ଏହି ମେଳା ଆୟୋଜନ ହେଉଥିବାରୁ ପ୍ରାକୃତିକ ପରିବେଶ କୁ ଉପଭୋଗ କରିବାକୁ ହଜାରହଜାର ଦର୍ଶକଙ୍କର ଭିଡ଼ ଜମିବ ବୋଲି ମହୋତ୍ସବ କମିଟିର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଜଣାଇଛନ୍ତି. ସେହିପରି ବଳାଙ୍ଗୀ ମହୋତ୍ସବ ଅବସରରେ ଆଜି ବାରିପଦା ରାଧାରାଣୀ ସ୍କୁଲ ଠାରେ ବିଦ୍ୟାଳୟ ସ୍ତରୀୟ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମହୋତ୍ସବ କମିଟିର ସଦସ୍ୟ ରାଜକିଶୋର ମହାନ୍ତ, ପଦ୍ମନାଭ ମହାପାତ୍ର ଏବଂ ଦୀପକ କୁମାର ନାୟକଙ୍କ ତତ୍ୱା ବଧାନରେ ଅନୁଷ୍ଠିତ ହୋଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ