ଆଜି ବିଶ୍ୱ ଜଳ ଦିବସ ଜଳକୁ ନେଇ ହେବ ତୃତୀୟ ବିଶ୍ୱଯୁଦ୍ଧ!
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗକୁ ପାନୀୟ ଜଳକୁ ନେଇ ହେବ ତୃତୀୟ ବିଶ୍ୱଯୁଦ୍ଧ! ସଂପ୍ରତି ବିଶ୍ୱରେ ଦେଖା ଦେଇଥିବା ପାନୀୟ ଜଳ ସଙ୍କଟର ସମସ୍ୟାକୁ ଉପଲବ୍ଧି କରି ବିଶ୍ୱ ଜଳ ଦିବସ ଅବସରରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ରଙ୍ଗ ତୂଳୀରେ ସାରା ବିଶ୍ୱକୁ ଜଳ ବଞ୍ଚାଅ, ଜୀବନ ବଞ୍ଚାଅର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ଏ ସଂପର୍କରେ ସେ କୁହନ୍ତି, ପୃଥିବୀରେ ମାତ୍ର ୧ ପ୍ରତିଶତ ହେଉଛି ମଧୁର ଜଳ । ଯାହା ପାନୀୟ ଜଳ ରୂପେ ବ୍ୟବହାର ହୋଇଥାଏ । ୪ ପ୍ରତିଶତରୁ ୩ ପ୍ରତିଶତ ହିମ ପ୍ରବାହ ଓ ବରଫ ଚଟାଣରେ ରହିଛି । ତତ୍ସହିତ ଲୋକ ମଧୁର ଜଳକୁ ବିଭିନ୍ନ ବାଟରେ ଅପବ୍ୟୟ କରି ଚାଲିଛନ୍ତି । କଥାରେ ଅଛି ଜଳ ହିଁ ଜୀବନ । ଜଳ ବିହୁନେ ସୃଷ୍ଟି ନାଶ । ଜଳର ଅପବ୍ୟବହାର, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ ଏବଂ ମାନବୀୟ ହସ୍ତକ୍ଷେପ ଯୋଗୁଁ ଦିନକୁ ଦିନ ଏହା ସଙ୍କଟ ଆଡକୁ ଗତି କରୁଛି । ଜଳର ମୂଲ୍ୟକୁ ଚିହ୍ନିବା, ଜନସାଧାରଣଙ୍କ ମଧ୍ୟରେ ଏହାର ସଚେତନତା ସୃଷ୍ଟି କରିବା, ଜଳର ପ୍ରଦୂଷଣ ରୋକିବା, ଜଳ ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଇଥାଏ । ଏଣୁ ଏବେ ଠାରୁ ଜଳର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ସହ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ନିତାନ୍ତ ଜରୁରୀ ।