ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟ‌କ୍କର

ମୁମ୍ବାଇ, (‌ୱାଇଏନ୍‌ଏସ୍‌): ଆଇପିଏଲ୍‌-୨୦୨୧ର ୧୩ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସାରିଛନ୍ତି । ଫଳରେ ଉଭୟ ଦଳ ମଧ୍ୟରେ ମଙ୍ଗଳବାର ଅସଲ ଶକ୍ତି ପରୀକ୍ଷା ହେବ । ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ହରାଇବା ଏତେ ସହଜ ହେବ ନାହିଁ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଯାକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବିଜୟୀ ହୋଇଥିଲା । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଥିଲେ । ସମସ୍ତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାସଲ କରିଥିଲା । ଏଥର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଉଦ୍ୟମ କରିବ ।ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରାୟତଃ ଶ୍ରେଷ୍ଠ ଏକାଦଶ ମିଳି ସାରିଛି । କ୍ୱିଣ୍ଟନ ଡି କକ୍‌ ଓ ରୋହିତ ଶର୍ମା ଓପନ କରିବେ । ମଧ୍ୟଭାଗ ସମ୍ଭାଳିବେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ । ନିମ୍ନ ମଧ୍ୟଭାଗରେ କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍‌ ପାଣ୍ଡ୍ୟା ରହିଛନ୍ତି । ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ରାହୁଲ ଚହର ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । କେବଳ ତୃତୀୟ ପେସ୍‌ ବୋଲର ସ୍ଥାନକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ସନରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଆଡାମ ମିଲନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ତାଙ୍କ ବଦଳରେ ନାଥାନ କଲ୍ଟର-ନାଇଲ ଖେଳିପାରନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଚମକପ୍ରଦ ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ତଥାପି ମଧ୍ୟଭାଗ ବ୍ୟାଟିଂ ବିଭାଗ ସମସ୍ୟା ଦୂର ହୋଇନାହିଁ । ଦଳର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ ଓ ଷ୍ଟିଭେନ ସ୍ମିଥ୍‌ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ଉଭୟଙ୍କ ବିକଳ୍ପ ମିଳିବା ଅସମ୍ଭବ। ପରୋକ୍ଷ ଭାବେ ଦଳ ଦେଖିବାକୁ ଗଲେ ଅଧିନାୟକ ଶ୍ରେୟାସ ଆୟରଙ୍କ ଅନୁପସ୍ଥିତି ଅନୁଭବ କରୁଛି । ମଙ୍ଗଳବାର ରାହାଣେ ଏକାଦଶକୁ ଫେରିବା ଆଶା କରାଯାଉଛି । ସେହିପରି ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଥିବା ପେସ ବୋଲର ଆନରିଚ ନର୍ଜଙ୍କୁ ଏକାଦଶରେ ଦେଖିବାକୁ ମିଳିପାରେ । ଶିଖର ଧାୱନ ଓ ଜଶପ୍ରୀତ ବୁମରାହଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫର୍ମରେ ଥିବା ଧାୱନ ଇତି ମଧ୍ୟରେ ୨ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ୯୨ ରନ୍‌ର ଇନିଂସ ଖେଳି ସେ ଦଳକୁ ବିଜୟୀ କରାଇଥିଲେ । ଅନ୍ୟ ପଟରେ ବାମହାତି ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ବୁମରାଙ୍କ ପ୍ରଦର୍ଶନ ବେଶ୍‌ ଉନ୍ନତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ