ଆଟଲାସ

ମଣିଷ ଷାଠିଏରୁ ସତୁରୀ ବୟସ ଆଡକୁ ଯାଉଥିଲା ବେଳେ ପରିବର୍ତ୍ତନ ଆସିଥାଏ ଜୀବନରେ.ଅଭିଜ୍ଞ, ଅନୁଭୂତିଶୀଳ ବ୍ୟକ୍ତି ବିଶେଷଙ୍କ କହିବା ଭଳି, ନିଜେ ନିଜକୁ ଭଲ ପାଇଥାଏ ମଣିଷ ସେତେବେଳେ ଦୁନିଆଁକୁ ଛାଡ଼ି. ବୋଉ କିନ୍ତୁ ଏକ ବ୍ୟତିକ୍ରମ ଥିଲା.ନିଜକୁ ଭଲପାଉନଥିଲା ବୋଉ ବରଂ ବେଶୀ ବେଶୀ ଆକର୍ଷଣରେ ପୁଅ ଝିଅଙ୍କୁ ବାନ୍ଧି ରଖୁଥିଲା. ବାପାଙ୍କ ବରାଦ ମୁତାବକ ସବୁ କରିରଖିବା ସଙ୍ଗେ ସଙ୍ଗେ ତାଙ୍କ ସେବା ଓ ଯତ୍ନକୁ ନିଜ ଜୀବନର ଧର୍ମ ବୋଲି ଭାବୁଥିଲା. ଚାରି ଝିଅଙ୍କୁ ବାହା ଦେଲା ପରେ ବି ବଳିପଡିଥିବା ନିଜ ପାଇଁ କିଛି ସୁନା ରୁପା ଗହଣାକୁ, ନିଜ ଝିଅ ବୋହୁଙ୍କୁ ବାଣ୍ଟି ଚାଲିଥିଲା. ଘରକୁ ଆସୁଥିବା କାମବାଲୀକୁ ଅନେକ ଅନେକ ଜିନିଷ ସହ ଭଲ ଭଲ ଶାଢ଼ୀ ଦେଇଚାଲିଥିଲା. ବୋଉକୁ ଚାହିଁ ବଡ଼ଝିଅ ମିତା ଭାବୁଥିଲା ବୋଉ ଏଯାଏଁ ବି ସେମିତି ଆଟଲାସ ଟିଏ ହୋଇ ରହିଯାଇଛି. ନିଜ ଠାରୁ ବି ଅଧିକ ମଣିଷମାନଙ୍କୁ ପର ଆପଣା ଭୁଲି ଭଲ ପାଉଛି. ଭାଗବତ ବିଶ୍ୱାସରେ ନିଶ୍ୱାସ ନେଇ ଭଜନ କୀର୍ତ୍ତନ, ଜଣାଣ, ମାଳିଗଡା ଓ ଜପ ତପ ଦର୍ଶନ ଛାଡ଼ି, ବାପାଙ୍କ ସେବା ସହିତ,ପୁଅ ଝିଅ, ଜୋଇଁ, ବୋହୁମାନଙ୍କ ସହିତ ଉତ୍ତରୋତ୍ତର ପିଢ଼ି ନାତି ନାତୁଣୀଙ୍କ ପାଇଁ ଭାବୁଛି ଓ ଅଖଣ୍ଡ ଦୀପ ଜଳାଇ ରଖୁଛି.ବୋଉ ରୂପକ ଭୂଗୋଳରେ ହାଡ଼ ମାଂସ ଗଣି ହେଇଯାଉଥିବା ବେଳେ, ଭିଟାମିନ ଫଳ ମୂଳ ଅନ୍ୟକୁ ଦେଇ ନିଜେ ଶାଗ ପଖାଳଭାତ ଖାଉଛି. ଟିଭି ଦେଖି ରାମାୟଣ, ମହାଭାରତ ସିରିଏଲ ଦେଖି କହୁଛି କିଏ ଦେଇ ଦେଇ ସର୍ବନାଶ ତ କିଏ ଦେବିନାହିଁ କହି ସର୍ବନାଶ. ପୁଣି କହୁଛି ଖାଇବ ଆମ୍ବ ରସ ଶୁଣିବ ରାମରସ, ପିଇବ ଆଖୁରସ . ତା କଥାର ଗୁଢତତ୍ୱ ନବୁଝି, ମିତା ଆଣିଦେଇଥିବା ଓଡ଼ିଆ ଭାଗବତ, ରାମାୟଣ, ଗୀତା, ବେଦ ସବୁ ନିଜ ମୁଣ୍ଡ ପାଖରେ ଥୋଇଛି. ଆମ୍ବ ଆଣିଦେଲେ ଦାନ୍ତନାହିଁ କହି ଖାଉନି.କାମବାଲୀ କି ଦେଉଛି.ଆଖୁରସ ଆଣିଲେ ଡାଇବେଟିସକୁ ଡରି ନପିଇ, ଭଡାଟିଆ ଚନ୍ଦନକୁ ଦେଇ କୈଫତ ଦିଏ, ହାତ ଗୋଡ଼ ନଚଳିଲେ କିଏ କରିବ ଝିଅ??ମିତା ଚାହିଁରହେ ବୋଉକୁ ଆଶ୍ଚର୍ଯ୍ୟ ଆଖିରେ କହେ ତୁ ଏତେ କରୁଛୁ ପୁଅ ଝିଅ ପୁଣି ତାଙ୍କ ପୁଅ ଝିଅ ପାଇଁ, ପୁଣି ବାପାଙ୍କ ପାଇଁ, ତତେ କାହିଁକି କରିବେନି କିଏ!ଶୁଣି କହେ ଦେଖିବୁନି ଝିଅ, ମୋ ବୟସ ଆସୁ, ବୁଝିଯିବୁ ସବୁ.ମିତାଙ୍କ ବୟସ ଆସିବା ଆଗରୁ ଆଗ ପଛ ହୋଇ ତାଙ୍କ ବାପା ଓ ବାପାଙ୍କ ପରେ ବୋଉ ଚାଲିଗଲେ ଦୁଇଜଣ ଯାକ.ଆଖିରେ ଆଙ୍ଗୁଠି ଗେଞ୍ଜି ବଡ଼ଝିଅ ମିତାକୁ ସମସ୍ତେ ବୟସ ହେଲାଣି କହୁଥିଲେ ତ ମିତା ନିଜେ ନିଜକୁ ବେଶି ବେଶି ଏଣିକି ଭଲପାଉଥିଲେ. ବୋଉ ଆଟଲାସ ପଢି ପଢି ଜୀବନ, ସଂସାର, ନିଜ,ପର, ଘର, ବର, ସନ୍ତାନଙ୍କୁ କିଛି କିଛି ବୁଝି ସାରିଥିଲେ ତ ବର୍ତ୍ତମାନକୁ ନେଇ ବଞ୍ଚିବାକୁ ସଂଘର୍ଷ କରି ଏକାକୀ ଅନୁଭବ କଲାବେଳେ ନିଜକୁ, ନିଜ ଭିତରେ ଥିବା ଚେତନା, ଚିନ୍ତନ, ଚୈତନ୍ୟ ଭିତରେ ବୁଡି ଗଲାବେଳେ ବୋଉକୁ ଖୁବ ମନେ ପକାଉଥିଲେ. ବାପା ଚାଲିଯିବା ପରେ, ତା ଶୁନ୍ୟ ହାତରେ ନିଜ ମୁଦିଟି କାଢ଼ି ପିନ୍ଧେଇ ଦେବା ବେଳେ ବୋଉ ନିଜେ ତା ଶୁନ୍ୟ ହାତ ଦୁଇଟିକୁ ପଣତ ଘୋଡାଇ ଅଦୃଶ୍ୟ କରିବାର ଅପଚେଷ୍ଟା ମିତାର ଏବେବି ମନେପଡ଼ି ତା ମନ ହୃଦୟକୁ ଖଣ୍ଡ ଖଣ୍ଡ କରୁଥିଲା.ଆଲମିରା ଖୋଲିଲେ ମିତା.ତାଙ୍କ ବାହାଘର ବେଳେ ତାଙ୍କ ବୋଉ ଦେଇଥିବା ତା ବ୍ୟବହୃତ ପୁରୁଣା ଗହଣା ସବୁକୁ ଏବେ ମାଜିମୁଜି ରଖି ଦେଇଥିବା ବାକ୍ସ ଖୋଲି ସେସବୁ ଭିତରେ ବୋଉର ଆଟଲାସ ଖୋଜୁ ଖୋଜୁ, ମିତାଙ୍କ ବୋହୁ ଅନୀତା ଗହଣା ଭିତରୁ ଲକେଟଟି ଉଠାଇ ନେଇ କହୁଥିଲା, କେତେ ସୁନ୍ଦର!ମିତା ସଗର୍ବରେ କହୁଥିଲେ ହଁ ମୋ ବୋଉର. ବୋହୁ ଉଠାଇ ନେଇ ଲକେଟଟିକୁ ପରଖୁଥିବା ବେଳେ ମିତା କହୁଥିଲେ ମୁଁ ମରିବା ପରେ ତୋର ହେବ ଏସବୁ.ଏମିତି କାହିଁ କହୁଛନ୍ତି ମାଆ କହି ବୋହୁ ରଖିଦେଇଥିଲା ଲକେଟଟି ଓ ଚାଲିଯାଇଥିଲା ଅନ୍ୟ କାମରେ.ମିତା ଏଥର ନିଜେ ନିଜର ଆର୍ଟଲାସ ଭିର୍ନ୍ନ କରିବାକୁ ଯାଇ ପାରୁନଥିଲେ. ଗହଣା ପେଡି ବନ୍ଦ କରିବା ପୂର୍ବରୁ ଲକେଟଟିକୁ ନେଇ ବୋହୁ, ଅନୀତା ହାତରେ ଧରାଇ ଦେଇଥିଲେ ଓ କହିଥିଲେ ଆଜିଠୁ ଏଇଟା ତୋର.ସେ ଆଶ୍ଚର୍ଯ୍ୟରେ ଚାହିଁଥିଲା ମିତାଙ୍କୁ.ମିତା ନିଜ ଭିତରେ ତାଙ୍କ ବୋଉର ଆର୍ଟଲାସକୁ ଅନୁଭବ କରି ଖୁବ ଖୁସି ଅନୁଭବ କରୁଥିଲେ ସତରେ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ