ଆଟେଣ୍ଡାଂଟଙ୍କ ହାତରେ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ ସେବା ବିପର୍ଯ୍ୟସ୍ତ

ନାଉଗାଁ, (ଓ୍ବାଇଏନ୍ଏସ୍):ଗ୍ରାମାଂଚଳର ଜନସାଧାରଣ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ଖୋଲାଯାଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଜରିଆରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଚାଳନା କରାଯାଉଛି । ଜନସାଧାରଣ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ଆଶା କର୍ମୀ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ମାନେ ନିଯୁକ୍ତି ପାଇଛନ୍ତି । କିନ୍ତୁ ପ୍ରକୃତରେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା କିପରି ଚାଲିଛି ତାହା ନଦେଖିଲେ ଜାଣି ହେବ ନାହିଁ । ନାଉଗାଁ ବ୍ଳକର ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯାହାର ଜ୍ୱଳନ୍ତ ଉଦାହରଣ । ଉକ୍ତ କେନ୍ଦ୍ରଟି ଅଲଣା ପଂଚାୟତରେ ରହିଅଛି । ଏହି କେନ୍ଦ୍ର ଉପରେ ଅଲଣା, ନୂଆଗାଁ, ଗଜରାଜପୁର, ଘୋଡାଂଶ ଆଦି ପଂଚାୟତର ୨୫ ହଜାରରୁ ଉଦ୍ଦ୍ୱର୍ ଜନସାଧାରଣ ନିର୍ଭର କରିଥାନ୍ତି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଦୃଷ୍ଟିରୁ ୧୯୯୧ ମସିହାରେ ଜୈନିକ ବ୍ୟକ୍ତି ଗୃହରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଚାଲିଥିଲା ।୨୦୦୧ ମସିହାରେ ଅଲଣାହାଟର ନହଡିପଡା ଠାରେ ନିଜସ୍ୱ ଗୃହ ନିର୍ମାଣ କରାଯାଇ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ସ୍ଥାନାନ୍ତର ହୋଇଥିଲା । କିନ୍ତୁ କେନ୍ଦ୍ର ହେବା ଠାରୁ ଏଠାରେ ଲାଗି ରହିଛି ଡାକ୍ତର ସମସ୍ୟା । ଡାକ୍ତର ସଂଗ୍ରାମ କେଶରୀ ମହାନ୍ତି ଉକ୍ତ କେନ୍ଦ୍ରରୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପରେ ଏହି କେନ୍ଦ୍ରରେ ସ୍ଥାୟୀ ଡାକ୍ତର କେହି ରହି ନାହାନ୍ତି । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତର ଅନୁଭବ ଦାସ ସପ୍ତାହକୁ ଦୁଇ ଥର ସୋମବାର ଓ ଗୁରୁବାର ଏହି ଡାକ୍ତର ଖାନାକୁ ଆସିଥାନ୍ତି । ଅନ୍ୟ ଦିନ ମାନଙ୍କରେ ଜଣେ ଆୟୁଷ ଡାକ୍ତର ରହୁଥିବା ବେଳେ ଫାର୍ମାସିଷ୍ଟ ଶୁଭଲକ୍ଷ୍ମୀ ସ୍ୱାଇଁ ଦାୟିତ୍ୱ ତୁଲାଇଥାନ୍ତି । କିନ୍ତୁ ଅଧିକାଂଶ ଦିନ ଓ ସରକାରୀ ଛୁଟି ଦିନ ମାନଙ୍କରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱ ଆଟେଣ୍ଡାଂଟ ଅଖିଳ କୁମାର ବେହେରାଙ୍କ ହାତରେ ନ୍ୟସ୍ତ ଥାଏ । ଛୁଟିଦିନ ମାନଙ୍କରେ ଜଣେ ଫାର୍ମାସିଷ୍ଠ ରହିବାର ନିୟମ ରହିଥିଲେ ହେଁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାହାରି ଦେଖାମିଳେ ନାହିଁ । ବର୍ତମାନ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଓ ଫାର୍ମାସିଷ୍ଟ ରହିବା ଜରୁରୀ ହୋଇଥିବା ବେଳେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହାର ବ୍ୟତିକ୍ରମ ଦେଖାଦେଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ସ୍ଥାୟୀ ଡାକ୍ତର ନଥିବାରୁ ଜନସାଧାରଣ ମାନେ ସାମାନ୍ୟ କିଛି ରୋଗ ହେଲେ କ୍ୱାକ କିମ୍ବା ଖର୍ଚ୍ଚାନ୍ତ ହୋଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ବାଲିକୁଦା କିମ୍ବା ଜଗତସିଂହପୁର ଯାଉଥିବା ଦେଖିବାକୁ ମିଳୁଛି । ତେଣୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ପ୍ରଶାସନ ନିକଟରେ ବୁଦ୍ଧିଜୀବମାନେ ଦାବି କରିଛନ୍ତି । କେନ୍ଦ୍ରର ଫାର୍ମାସିଷ୍ଟ ଶୁଭଲକ୍ଷ୍ମୀ ସ୍ୱାଇଁଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିବା ବେଳେ ଉକ୍ତ ବିଷୟରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତିଙ୍କୁ ପଚାରିବାରୁ ଛୁଟି ଦିନ ମାନଙ୍କରେ ଡାକ୍ତର ନଥିଲେ ଫାର୍ମାସିଷ୍ଟ ରହିବା କଥା କ’ଣ ପାଇଁ ରହି ନାହାନ୍ତି ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ