ଆଡମିଟ୍ କାର୍ଡରେ ବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ ପରୀକ୍ଷାର୍ଥୀ ଚିନ୍ତାରେ, ତଦନ୍ତ ଦାବୀ କଲେ ପରିଚାଳନା କମିଟିର ପ୍ରାକ୍ତନ ସଭ୍ୟ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ଚଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ବନ୍ତ ବ୍ଲକ ଗୋବିନ୍ଦପୁରସ୍ଥିତ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ ସମେତ ଅନ୍ୟ ୩ଟି ବିଦ୍ୟାଳୟର ପରୀକ୍ଷାର୍ଥୀ ମାନେ ବିଦ୍ୟାଳୟ ଓ ପରୀକ୍ଷା କେନ୍ଦ୍ରର ନାମ ପରିବର୍ତ୍ତନ ନେଇ ଚିନ୍ତାରେ ପଡିଛନ୍ତି । ଗୋଟିଏ କୋଡ୍ରେ କିପରି ୨ଟି ସ୍କୁଲର ନାମ ରହିଲା ସେନେଇ ବିଦ୍ୟାଳୟର ପରିଚାଳନା କମିଟିର ପ୍ରାକ୍ତନ ସଭ୍ୟ ବିଦ୍ୟାଧର ସେନାପତି ଓ ପର୍ଶୁରାମ ପଣ୍ଡା ଏହାର ତଦନ୍ତ ଦାବୀ କରିଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ, ସଚିବ, ପରୀକ୍ଷା ନିୟନ୍ତ୍ରକ, ମାଧ୍ୟମିକ ଶିକ୍ଷା ପରିଷଦ, କଟକ ଓ ଡେପୁଟି ସେକ୍ରେଟେରୀ ବାଲେଶ୍ୱର ଜୋନ୍ଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲର ନାମ ପରିବର୍ତ୍ତନକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଗତ ୨୦୧୯ ମସିହାରେ ଡବ୍ଲ୍ୟୁ.ପି(ସି)-୨୩୬୨୩ରେ ଏକ ପିଟିସନ ଦାଏର କରାଯାଇଥିଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ତା-୬-୧୨-୨୦୧୯ ରିଖରେ ଏହା ଉପରେ ସ୍ଥଗିତାଦେଶ ଦେଇଥିଲେ । ତାହା ଅଦ୍ୟାବଧି ବଳବତ୍ତର ରହିଥିବା ବେଳେ ପରବର୍ତ୍ତୀ ଶୁଣାଣୀ ଆସନ୍ତା ତା-୬-୩-୨୦୨୦ ରିଖରେ ରହିଛି । ମାନ୍ୟବର କୋର୍ଟଙ୍କ ଅନ୍ତରୀଣ ଆଦେଶନାମା ବଳରେ ସ୍କୁଲର ନାମ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ ଗୋବିନ୍ଦପୁର ହେବା ଉଚିତ୍ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏପରିସ୍ଥଳେ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ହୋଇଛି । ଏନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଦେଶନାମା ନଂ-୧୧୪୭/ତା-୫-୨-୨୦ ରିଖ ମାଧ୍ୟମରେ ସଂପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଚିଠି ହୋଇଛି । ଉକ୍ତ ଚିଠିରେ ଉକ୍ତ ପରୀକ୍ଷା କେନ୍ଦ୍ରର ନାମ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ ଗୋବିନ୍ଦପୁର ବୋଲି ଉଲ୍ଲେଖ ରହିଛି । ଏହି ପରୀକ୍ଷା କେନ୍ଦ୍ରରେ ନିଳୋକ, ତରାଗୋ, ଅଳଉତି ଆଦି ୩ଟି ହାଇସ୍କୁଲର ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଉଛନ୍ତି । ଉପରୋକ୍ତ ସ୍କୁଲର ପରୀକ୍ଷାର୍ଥୀ ମାନେ ପାଇଥିବା ଆର୍ଡମିଟ୍ କାର୍ଡରେ କେନ୍ଦ୍ରର ନାମ ୧୩୮ ସି.ବି. ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ ବୋଲି ଉଲ୍ଲେଖ ରହିଛି । ଅପରପକ୍ଷେ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲର ପରୀକ୍ଷାର୍ଥୀ ମାନେ କେନ୍ଦୁଆପଦା ନୋଡାଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ବେଳେ ସେମାନେ ପାଇଥିବା ଆଡମିଟ୍ କାର୍ଡରେ ୧୩୮ ସି.ବି ଗଣେଶ ପ୍ରସାଦ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ, ଏରେଣ୍ଡେଇ, ଗୋବିନ୍ଦପୁର ବୋଲି ଉଲ୍ଲେଖ ରହିଛି । ଗୋଟିଏ କୋଡ୍ରେ କିପରି ଦୁଇଟି ବିଦ୍ୟାଳୟର ନାମ ଲେଖାଗଲା ତାହାର ତଦନ୍ତ ଦାବୀ କରାଯାଇଛି ।