ଆଡିଲେଡ୍ରେ ଭାରତଠୁ ପ୍ରତିଶୋଧ ଲକ୍ଷ୍ୟରେ ଅଷ୍ଟ୍ରେଲିଆ, ଆହତରୁ ମୁକୁଳି ଜନ୍ମଦିନ ପାଳିଲେ ଜାଦେଜା
ନୂଆଦିଲ୍ଲୀ: ଗୁରୁବାରଠାରୁ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଦିବାରାତ୍ର (ପିଙ୍କ୍ ବଲ୍) ଟେଷ୍ଟ୍ ମ୍ୟାଚ୍ ଉପରେ ଏବେଠାରୁ କ୍ରିକେଟ୍ପ୍ରେମୀ ନଜର ପକାଇଲେଣି। ଉଭୟ ଦଳ ଆହତ ସମସ୍ୟା ଓ ଖେଳାଳି ଚୟନ ଦ୍ବନ୍ଦ୍ବ ଭିତରେ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗତଥରର ପ୍ରତିଶୋଧ ଲକ୍ଷ୍ୟରେ ରହିଛି। ଗତ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ସେଥର କିନ୍ତୁ ବଲ୍ ବିକୃତ ନିଲମ୍ବନ ପାଇଁ ଡେଭିଡ୍ ୱାର୍ନର ଏବଂ ଷ୍ଟିଭେନ୍ ସ୍ମିଥ୍ ଦଳରେ ନଥିଲେ। ଏବେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ପିଙ୍କ୍ ବଲ୍ ଟେଷ୍ଟ୍ ଖେଳିବାକୁ ଯାଉଛି ଅଷ୍ଟ୍ରେଲିଆ। ସ୍ମିଥ୍ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ୱାର୍ନର ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ଭାରତ ବିପକ୍ଷ ମୁକାବିଲାକୁ ‘ବଡ଼ ପ୍ରତିଦ୍ବନ୍ଦ୍ବୀ’ କହିଛନ୍ତି ଅଷ୍ଟ୍ରେଲିଆ ପ୍ରଶିକ୍ଷକ ଜଷ୍ଟିନ୍ ଲାଙ୍ଗର। ହୃତ ଗୌରବକୁ ଫେରାଇ ଆଣିବାକୁ ଲାଙ୍ଗର୍ ‘ଲେଉଟାଇ ଆଣ’ ଆହ୍ବାନ ଦେଇଛନ୍ତି। ଏବେ ଆମେ ବରିଷ୍ଠ ଦଳ ହୋଇଗଲେଣି, ସଡ଼କରେ ସୋ’ ଦେଖାଇବାକୁ ଆଉ ଅପେକ୍ଷା କରିହେବନି ବୋଲି ସେ ପ୍ରକାଶ କରିଛନ୍ତି। ଗତ ଶୃଙ୍ଖଳା ହାରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଆଗାମୀ ୪ ମ୍ୟାଚ୍ ଶୃଙ୍ଖଳା ଆରମ୍ଭ ପୂର୍ବରୁ ସୁବିଧାଜନକ ସ୍ଥିତିରେ ରହିଛି। ବର୍ଡର-ଗାଭାସ୍କର ଟ୍ରଫି ଜିତି ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲ୍ରେ ଘରୋଇ ଦଳ ନିଜ ସ୍ଥିତି ଦୃଢ଼ କରିନେବ ବୋଲି ଯୋଜନା କରିଛି।


