ଆତଙ୍କବାଦର ମୂଳୋତ୍ପାଟନ ପାଇଁ ମୋଦିଙ୍କ ଆହ୍ୱାନ ଶ୍ରୀଲଙ୍କା ସହ ଛିଡ଼ାହେବ ଭାରତ

କଲମ୍ବୋ/ ନୂଆଦିଲ୍ଲୀ(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଶ୍ରୀଲଙ୍କା ଗସ୍ତ କରି ସେଠାରେ ଇଷ୍ଟର ରବିବାର ଆତଙ୍କବାଦୀ ଆକ୍ରମଣ ସମୟରେ ପ୍ରାଣହରାଇଥିବା ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପରେ ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କୁ ଭେଟି ଆଲୋଚନା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦର ମୂଳୋତ୍ପାଟନ କରିବା, ଭାରତ ମହାସାଗର ଅଞ୍ଚଳରେ ଉପକୂଳ ସୁରକ୍ଷା ଏବଂ ଅର୍ଥନୈତିକ ବିକାଶରେ ସହଭାଗିତା ସମ୍ପର୍କରେ ଆଲୋଚନା ହୋଇଥିଲା । ବିରୋଧୀ ଦଳ ନେତା ମହିନ୍ଦା ରାଜପାକ୍ସେ ଏବଂ ତାମିଲ୍ ନେତା ଆର୍.ଏ. ସମ୍ପନ୍ଥନ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ମୋଦି ନିଜ ଶୁଭେଚ୍ଛା ବାର୍ତ୍ତାରେ ଆତଙ୍କବାଦୀ ଆକ୍ରମଣରେ ଶିକାର ହୋଇ ଶ୍ରୀହୀନ ହୋଇପଡିଥିବା ଶ୍ରୀଲଙ୍କାରେ ପୁଣି ଥରେ ସ୍ୱାଭାବିକ ଅବସ୍ଥା ଫେରିଆସିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି । ମୋଦିଙ୍କ କହିବାନୁସାରେ ଆତଙ୍କବାଦୀଙ୍କର କୌଣସି ଭୀରୁତାପୂର୍ଣ୍ଣ ଆକ୍ରମଣ ଏହି ଦ୍ୱୀପରାଷ୍ଟ୍ରର ମନୋବଳ ଭାଙ୍ଗି ଦେଇପାରିବ ନାହିଁ । ଭାରତ, ଶ୍ରୀଲଙ୍କା ସହ କାନ୍ଧକୁ କାନ୍ଧ ମିଶାଇ ଛିଡ଼ା ହେବ । ସେହିପରି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ଉପରେ ମଧ୍ୟ ମୋଦି ଗୁରୁତ୍ୱ ଦେଇଛନ୍ତି । ମୋଦି ରବିବାର ଅପରାହ୍ଣରେ ଶ୍ରୀଲଙ୍କାର ଇଣ୍ଡିଆ ହାଉସ୍ ଠାରେ ଭାରତୀୟ ସମୁଦାୟଙ୍କ (ପ୍ରବାସୀ ଭାରତୀୟ) ସହ ଭାବ ବିନିମୟ କରିଥିଲେ । ଏହି ଅବସରରେ ମୋଦି ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଥିବା ଦୀର୍ଘ ବର୍ଷର ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଥମ ୫ବର୍ଷ ଶାସନକାଳରେ ଶ୍ରୀଲଙ୍କାକୁ ଦୁଇ ଥର ଗସ୍ତ କରିଥିଲେ । କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ମୋଦି ତାଙ୍କର ପ୍ରଥମ ବିଦେଶ ଗସ୍ତ ପରିପ୍ରେକ୍ଷୀରେ ମାଳଦ୍ୱୀପ ଏବଂ ପରେ ଶ୍ରୀଲଙ୍ଗା ଗସ୍ତ କରିଛନ୍ତି । ରବିବାର ସକାଳେ କଲମ୍ବୋ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ଶ୍ରୀଲଙ୍କା ପ୍ରଧାମନ୍ତ୍ରୀ ରାଣିଲ ବିକ୍ରମାସିଂହେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପାଛୋଟି ନେଇଥିଲେ । ପରେ ମୋଦିଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୫ଠଜଣରୁ ଊଦ୍ଧ୍ୱର୍ ନିହତ ଇଷ୍ଟର ବୋମା ବିସ୍ଫୋରଣ ଘଟଣା ପରେ ଶ୍ରୀଲଙ୍କା ପରିଦର୍ଶନରେ ଯାଇଥିବା ପ୍ରଥମ ବିଦେଶୀ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ