ଆତଙ୍କବାଦୀ ମାସୁଦ୍ ଆଝାରକୁ କାହିଁକି ଲୁଚେଇ ଜେଲରୁ ଛାଡ଼ିଲା ପାକିସ୍ତାନ?
ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଲୁଚେଇ ଜେଲରୁ ଛାଡ଼ିଛି ପାକିସ୍ତାନ । କଡ଼ା ସୁରକ୍ଷା ମଧ୍ୟରେ ଏହି ଆତଙ୍କବାଦୀକୁ ଜେଲରୁ ମୁକ୍ତ କରାଯାଇଛି । ଦୈନିକ ଇଂରାଜୀ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସ ଏହା ପ୍ରକାଶ କରିଛି । ତେବେ ଏଯାବତ ପାକିସ୍ତାନ ଗଣମାଧ୍ୟମରେ ଏନେଇ କୌଣସି ଖବର ନାହିଁ । ଜୁଲାଇରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆମେରିକା ଗସ୍ତ କରିଥିଲେ । ଏହା ପୂର୍ବରୁ ଭାବମୂର୍ତ୍ତି ସୁଧାରିବା ପାଇଁ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାରକୁ ଗିରଫ କରାଯାଇଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଥିଲା ମାସୁଦ୍ । ହେଲେ ଏବେ କେଉଁ ଆଇନ ବଳରେ ପାକିସ୍ତାନ ମାସୁଦକୁ ଜେଲରୁ ମୁକୁଳାଇଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବଢ଼ିଛି । ନିକଟରେ ଦେଶର ନୌସେନା ଅଧିକାରୀ କରମବୀର ସିଂହ କହିଥିଲେ ପାକିସ୍ତାନର ସେନା ଆତଙ୍କବାଦୀ ଆକ୍ରମଣ ପାଇଁ ସହଯୋଗ କରୁଛି । ପାଣି ଭିତରେ ଆତଙ୍କବାଦୀ ଆସି ଭାରତରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି । ଏଥିପାଇଁ ଜୈଶ-ଏ-ମହମ୍ମଦ ତା’ର ସଦସ୍ୟଙ୍କୁ ଟ୍ରେନିଂ ଦେଉଛି । ତେଣୁ ମାସୁଦ୍ ଆଝାରକୁ ଲୁଚେଇ ପାକିସ୍ତାନ ଜେଲରୁ ଛାଡ଼ିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି । ନିକଟରେ ଭାରତ ୟୁଏପିଏ ଆଇନ ଅନୁଯାୟୀ ୪ ଜଣଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । ଯେଉଁଥିରେ ମାସୁଦ୍ ଆଝାରର ନାଁ ରହିଛି । ସେହିପରି ଜାତିସଂଘ ମଧ୍ୟ ମାସୁଦକୁ ଆତଙ୍କବାଦୀ ବୋଲି ଘୋଷଣା କରିବା ସହିତ ତା’ର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।