ଆତୁରିକୋଣା ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ଅନିୟମିତତା ଅଭିଯୋଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମର ସାଇକ୍ରୀଷ୍ଣା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସଭାପତି ଓ ଅନ୍ୟ ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଆତୁରିକୋଣା ଗ୍ରାମର ସାଇକ୍ରୀଷ୍ଣା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ରୀନାରାଣୀ ରାଉତଙ୍କ ଅଭିଯୋଗ ଅନୁଯାଇ ୨୦୨୧ରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିବା ବେଳେ ସେ ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ଥିବାବେଳେ ସମ୍ପାଦିକା ପ୍ରୀତିପଦ୍ମା ମହାପାତ୍ର ୬ମାସ ହେଲା ବୈଠକ ଡାକି ନଥିଲେ । ବାରମ୍ବାର ବୈଠକ ଡାକିବାକୁ କହୁଥିଲେବି ସେ ଦୁଇଦିନ ପରେ ଡାକିବା, ତିନିଦିନ ପରେ ଡାକିବା କହି ସମୟ ଗଡାଇ ଚାଲିଥିଲେ । ଏବେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ସଭାପତି ପଦବୀରୁ ବାହାର କରିଦିଆଯାଇଛି । ଖାଲି ମୁଁ ନୁହଁ ଆମ ଗୋଷ୍ଠୀର ୬/୭ଜଣ ସଦସ୍ୟାଙ୍କୁ ନଜଣାଇ ବାହାର କରିଦେଇ ଅନ୍ୟ ଜଣେ ମହିଳାଙ୍କୁ ସଭାପତି ଭାବେ ମନୋନୀତ କରି ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଛନ୍ତି । ଗତ ୮/୨/୨୦୨୩ରେ ଆମ ଗୋଷ୍ଠୀର ଏକାଉଣ୍ଟରୁ ଆମ ଅଜାଣତରେ ୭୦ହଜାର ଟଙ୍କା ଉଠାଯାଇଥିବାବେଳେ ଆମ ସଦସ୍ୟା ମାନଙ୍କ ଜମାଟଙ୍କାକୁ ବି ସେ ଉଠାଇ ନେଇଛନ୍ତି । ଏନେଇ ଆମେ ଜାଣିବାପରେ ଗ୍ରାମରେ ଦୁଇ ଦୁଇଥର ବୈଠକ ଡାକିଥିଲେବି ସେ ଧରାଛୁଆଁ ଦେଉ ନାହାନ୍ତି ବୋଲି ସଦସ୍ୟା ଥିବା ଝୁନା ଦେହୁରୀ, ସଞ୍ଜୁଲତା ବେହେରା, ମଞ୍ଜୁଲତା ବେହେରା, ଉର୍ମିଳା ଦେହୁରୀ, ପାର୍ବତୀ ଦେହୁରୀ, ମାତାଜି ବେହେରା ପ୍ରମୁଖ ସଦସ୍ୟାମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ହାଟଡିହି ବିଡିଓ ଏବଂ ପଞ୍ଚାୟତସମିତି ଅଧ୍ୟକ୍ଷଙ୍କୁ ଜଣାଇବା ସହିତ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ପ୍ରୀତିପଦ୍ମା ଆମ ସାଇକ୍ରୀଷ୍ଣା ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ଥିବାବେଳେ ସେ ବି.ଏମ.କେ ଭାବେ କାର୍ଯ୍ୟକରୁଛନ୍ତି । ଜଣେ ବ୍ୟକ୍ତି ଦୁଇଟି ପଦବୀରେ ରହିବା ନିୟମ ନଥିଲେ ମଧ୍ୟ ତାଙ୍କୁ କିପରି ନିଯୁକ୍ତି ଦିଆଗଲା ତାହା ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପୁଖାନୁପୁଙ୍ଖ ତଦନ୍ତ କରାଯାଇ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସମ୍ପାଦିକା ପ୍ରୀତିପଦ୍ମା ମହାପାତ୍ରଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିବା ସହିତ ବର୍ଷେ ହେଲା ୭ଜଣ ସଦସ୍ୟ ଏହି ଗୋଷ୍ଠୀରୁ ବାହାରି ଯାଇଥିବାବେଳେ ଗତ ୨୧/୩/୨୦୨୩ରେ ସଭାପତି ରୀନାରାଣୀ ରାଉତଙ୍କୁ ସଭାପତି ପଦବୀରୁ ବାହାର କରିଦିଆଯାଇ ନୁତନ ସଦସ୍ୟ ମାନଙ୍କ ସହମତି ଭିତ୍ତିରେ ନୁତନ ସଭାପତି ଚୟନ କରାଯାଇଛି ବୋଲି କହିଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକଳାପ ଠିକ ଅଛି କିନ୍ତୁ ସେମାନେ ଆକ୍ରୋଶ ମୁଳକ ଭାବେ ମୋ ନାମରେ ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ପ୍ରୀତିପଦ୍ମା କହିଛନ୍ତି ।