ଆତ୍ମନିର୍ଭର ଆପ ଇନୋଭେସନ ଚାଲେଞ୍ଜ ଆବେଦନ ଅବଧି ବୃଦ୍ଧି
ନୂଆଦିଲ୍ଲୀ : ଆତ୍ମନିର୍ଭର ଆପ ଇନୋଭେସନ ଚାଲେଞ୍ଜ ପାଇଁ ଆବେଦନ ଉତ୍ସାହଜନକ ହେବାରୁ ସରକାର ଏହାର ଅବଧିକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଯେକୌଣସି ବ୍ୟକ୍ତି https://innovate.mygov.in/app-challenge/ ରେ ଲଗଅନ କରିବାକୁ କୁହାଯାଇଛି । ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଜୁଲାଇ ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ତା’ପରଠାରୁ ବୈଷୟିକ ଉଦ୍ୟୋଗୀ ଏବଂ ଷ୍ଟାର୍ଟ ଅପ ସଂଗଠନ ପକ୍ଷରୁ ଏଦିଗରେ ଉତ୍ସାହ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ୨,୩୫୩ଟି ଆବେଦନ ୮ଟି ଶ୍ରେଣୀରେ ମିଳିଛି । ୧୪୯୬ ବ୍ୟକ୍ତି ବିଶେଷଙ୍କ ଠାରୁ ଆବେଦନ ମିଳିଥିବା ବେଳେ ୮୫୭ଟି ବିଭିନ୍ନ ସଂଗଠନ ଓ କମ୍ପାନୀ ପକ୍ଷରୁ ମିଳିଛି । ଜନସାଧାରଣଙ୍କ ପକ୍ଷରୁ ହୋଇଥିବା ୭୮୮ଟି ଆବେଦନର ଆବେଦନକାରୀମାନେ ବର୍ତ୍ତମାନ ପ୍ରସ୍ତୁତ ଥିବା ବେଳେ ଅବଶିଷ୍ଟ ୭୦୮ ଜଣ ଏହାର ବିକାଶ ପଥରେ ଅଛନ୍ତି । ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ୬୫୩ଟି ଆପ ସକ୍ରିୟ ଥିବାବେଳେ ଅବଶିଷ୍ଟ ୨୨୧ଟି ବିକାଶ ପଥରେ ରହିଛି । ବିଭିନ୍ନ ଶ୍ରେଣୀରେ ଆବେଦନ ହୋଇଥିବା ଆପଗୁଡିକ ହେଲା ୩୮୦ଟି ବ୍ୟବସାୟିକ, ୨୮୬ଟି ସ୍ୱାସ୍ଥ୍ୟ, ୩୩୯ଟି ଇ-ଲର୍ନିଙ୍ଗ, ୪୧୪ଟି ସୋସିଆଲ ନେଟୱାର୍କିଙ୍ଗ, ୧୩୬ଟି କ୍ରୀଡା, ୨୩୮ଟି ଘରୁ ଅଫିସ କାମ ସମ୍ପାଦନ, ୭୫ଟି ସମାଚାର ଓ ୯୬ଟି ମନୋରଞ୍ଜନ ଶ୍ରେଣୀର । ୩୮୯ଟି ଆପ ଅନ୍ୟ କେତେକ ଶ୍ରେଣୀ ଭୁକ୍ତ ହୋଇଛି । ସେଥିରୁ ୧୦୦ଟି ଆପ ପାଇଁ ୧ ଲକ୍ଷରୁ ଅଧିକ ସଂଖ୍ୟାରେ ଡାଉନଲୋଡ ହୋଇଛି । ଦେଶର ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରୁ ମଧ୍ୟ ଏଥିପାଇଁ ଆବେଦନ ହୋଇଛି । ଏହି ଆପ ଇନୋଭେସନ ଚାଲେଞ୍ଜ ଭାରତୀୟ ବୈଷୟିକ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବାକୁ ଥିବାରୁ ଏଥିପାଇଁ ଲୋକପ୍ରିୟତା ବୃଦ୍ଧି ପାଇଛି । ଆତ୍ମନିର୍ଭର ଭାରତ ଆପ ଇକୋସିଷ୍ଟମ ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବାରେ ସାହାଯ୍ୟ କରିବ । ଇନୋଭେସନ ଚାଲେଞ୍ଜ ଆପ ପାଇଁ ହୋଇଥିବା ଭିଡିଓ କନଫରେନ୍ସରେ ଆବେଦନ କରାଯାଇଥିବା ୨୦୦ଟି ଦରଖାସ୍ତ ମଧ୍ୟରୁ ୧୨ଟି ବିଚାରକୁ ନିଆଯାଇଥିଲା । ତିନୋଟି ମୁଖ୍ୟ କମ୍ପାନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଗୋଟିଏ ଜୟପୁରରୁ, ଗୋଟିଏ ହାଇଦ୍ରାବାଦରୁ ଏବଂ ଅନ୍ୟଟି ଆଲାପୁଜାରୁ କାର୍ଯ୍ୟ କରିବ । ଏମାନଙ୍କୁ ପ୍ରତ୍ୟେକ ୨୦ ଲକ୍ଷ ଲେଖାଏଁ ଟଙ୍କା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଦିଆଯାଇଛି । ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥିବା ଆପଗୁଡିକ ମଧ୍ୟରୁ ଗୋଟିଏ ହାଇଦ୍ରାବାଦ ଏବଂ ଅନ୍ୟଟି ଚେନ୍ନାଇରୁ କାର୍ଯ୍ୟ କରିବ । ସେମାନଙ୍କୁ ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଉନ୍ନୟନ ବାବଦକୁ ଦିଆଯାଇଛି । ଏହାବ୍ୟତୀତ ଗାଜିଆବାଦର ଆରିୟା ଟେଲିକମ, ଜୟପୁରର ଭିଡିଓ ମିଟ, ଦିଲ୍ଲୀର ଭେକସେତୁ ଓ ଚେନ୍ନାଇର ଜୋହ ବିଚାରକମଣ୍ଡଳୀ ଦ୍ଵାରା ଉତ୍ତମ ଶ୍ରେଣୀ ରୂପେ ବିବେଚିତ ହୋଇଥିଲେ ।