ଆତ୍ମନିର୍ଭର ଭାରତ ଅଭିଯାନ ସମ୍ମିଳନୀ
ବାଲେଶ୍ୱର, (ସରୋଜ ପଣ୍ଡା):ସମ୍ପ୍ରତି ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ବେରୋଜଗାର ସମସ୍ୟାର ଦୂରୀକରଣ ନିମନ୍ତେ ଆରମ୍ଭ ହୋଇଛି ଆତ୍ମନିର୍ଭର ଭାରତ ଅଭିଯାନ । ଏହି ସ୍ୱାବଲମ୍ବୀ ଭାରତ, ବାଲେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଞ୍ଜୟ ଦାସ ଓ ବିପିନ କୁମାର ରାଉତ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଔଦ୍ୟୋଗିକ ବିକାଶରେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ । ସମ୍ପ୍ରତି ଦେଶରେ କୋଟିଏରୁ ଅଧିକ ଶିକ୍ଷିତ ବେରୋଜଗାର ଥିବା ବେଳେ ସରକାରୀ ଚାକିରୀ ଏକ ମାତ୍ର ପ୍ରତିକାରର ମାଧ୍ୟମ ନୁହେଁ ବୋଲି ଅତିଥିମାନେ କହିଥିଲେ । କୃଷି କ୍ଷେତ୍ର, ଲଘୁ ମଧ୍ୟମ ଉଦ୍ୟୋଗ ଶିଳ୍ପ, ମତ୍ସ୍ୟ ଓ ପଶୁସମ୍ପଦ ପାଳନ ଆଦି କ୍ଷେତ୍ରରେ ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସେମାନେ ସୂଚନା ଦେଇଥିଲେ । ଏନେଇ ପ୍ରତ୍ୟେକ ଜିଲାରେ ଏକ ସୃଜନକେନ୍ଦ୍ର ସ୍ଥାପନ କରାଯାଇ ସେଠାରେ ଉତ୍ତମ ପ୍ରଶିକ୍ଷକଙ୍କ ଦ୍ୱାରା ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯିବ । ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ସବ୍ୟସାଚୀ ମହାପାତ୍ର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରୀ ପ୍ରୋସାହନ ଏବଂ ସହଯୋଗୀ ପାଣ୍ଠି ବିନିଯୋଗର ବିଭିନ୍ନ ମାଧ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦ୍ୟୋଗପତି ପ୍ରକାଶ ବେହୁରିଆ ଓ ଗୋପାଲ ଖଣ୍ଡେଲୱାଲ ଏଥିରେ ଯୋଗଦେଇ ନିଜର ଅଭିଜ୍ଞତା ଓ ଉତ୍କର୍ଷତା ସମ୍ପର୍କରେ ସୂଚନା ଦେଇଥିଲେ ।ସ୍ୱାବଲମ୍ବୀ ଭାରତ ଅଭିଯାନର ଜିଲା ସଂଯୋଜକ ପ୍ରଭଞ୍ଜନ ପାଢ଼ୀ, ଗୋପାଳ ନାୟକ, ଅନନ୍ତ ଦାସ, ହେମନ୍ତ ମହାନ୍ତି ପ୍ରମୁଖ ଏହି ସମ୍ମିଳନୀ ପରିଚାଳନା କରିଥିଲେ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ସମସ୍ତ କର୍ମଚାରୀ, ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀଙ୍କ ସମେତ ସ୍ୱାବଲମ୍ବୀ କମିଟି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।