ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ ଅନୁମୋଦନ ମିଳିଛି । କରୋନା ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ୩-୦ରେ ଘୋଷଣା କରାଯାଇଥିବା ଏହି କାର‌୍ୟ୍ୟକ୍ରମ ଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ସହିତ ନୂଆ ନିଯୁକ୍ତି ସୁବିଧା ସୃଷ୍ଟି ପାଇଁ ଆରମ୍ଭ କରାଯାଇଥିଲା । କ୍ୟାବିନେଟ ବୈଠକରେ ଏହି ଯୋଜନା ବାବଦରେ ଚଳିତ ଆର୍ଥିକ ବର୍ଷ ପାଇଁ ୧,୫୮୪ କୋଟି ଟଙ୍କାର ଖର୍ଚ୍ଚକୁ ଅନୁମୋଦନ ମିଳିଛି । ଏହାଛଡା ୨୦୨୦ରୁ ୨୦୨୩ ପର‌୍ୟ୍ୟନ୍ତ ଏହି ଯୋଜନାକୁ କାର‌୍ୟ୍ୟକାରୀ କରିବା ନିମନ୍ତେ ମୋଟ ୨୨,୮୧୦ କୋଟି ଟଙ୍କାର ଖର୍ଚ୍ଚ ପ୍ରସ୍ତାବ ମଧ୍ୟ କ୍ୟାବିନେଟର ସ୍ୱୀକୃତି ଲାଭ କରିଛି । ଆତ୍ମନିର୍ଭର ଭାରତ ଯୋଜନାର ମୁଖ୍ୟାଂଶଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି । ଯେଉଁ ନୂଆ କର୍ମଚାରୀମାନେ ୨୦୨୦ ଅକ୍ଟୋବର ପହିଲାରୁ ୨୦୨୧ ଜୁନ୍ ୩୦ ତାରିଖ ପର‌୍ୟ୍ୟନ୍ତ ନୂତନ ନିଯୁକ୍ତି ପାଇବେ ସେମାନଙ୍କ ପାଇଁ କେନ୍ଦ୍ର ସରକାର ଦୁଇବର୍ଷ ନିମନ୍ତେ ଭବିଷ୍ୟନିଧି ପାଣ୍ଠିକୁ ଦେୟ ପ୍ରଦାନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଯୋଗାଇ ଦେବେ । ସଂପୃକ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ମାଲିକଙ୍କ ଅଂଶ ସ୍ୱରୂପ ଇପିଏଫ୍‌ଓ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠିକୁ ବେତନର ୧୨ ଶତାଂଶ ଏବଂ କର୍ମଚାରୀଙ୍କ ଅଂଶ ସ୍ୱରୂପ ୧୨ ଶତାଂଶ ଏପରି ମୋଟ ୨୪ ଶତାଂଶ ଅର୍ଥ ଦୁଇ ବର୍ଷ ପାଇଁ ଯୋଗାଇଦେବେ । ଏକ ହଜାର ଯାଏଁ କର୍ମଚାରୀ କାମ କରୁଥିବା ପ୍ରତିଷ୍ଠାନ ପାଇଁ ଏହି ଦ୍ୱୈତ ସୁବିଧା ଯୋଗାଇ ଦିଆଯିବ ।ଯେଉଁ ପ୍ରତିଷ୍ଠାନ ବା ସଂସ୍ଥାରେ ଏକ ହଜାରରୁ ଅଧିକ ଲୋକ କାମ କରୁଛନ୍ତି ସେଥିରେ କେନ୍ଦ୍ର ସରକାର କେବଳ ନୂଆ କର୍ମଚାରୀଙ୍କ ପାଇଁ ବେତନର ୧୨ ଶତାଂଶ ଇପିଏଫ୍ ଅଂଶ ବାବଦରେ ଯୋଗାଇ ଦେବେ । ଦୁଇ ବର୍ଷ ପାଇଁ ଏହି ଅର୍ଥ ଯୋଗାଇ ଦିଆଯିବ । ଜଣେ କର୍ମଚାରୀ ଯଦି ୨୦୨୦ ଅକ୍ଟୋବର ପହିଲା ପୂର୍ବରୁ ମାସକୁ ୧୫,୦୦୦ ଟଙ୍କା ପର‌୍ୟ୍ୟନ୍ତ ବେତନ ପାଉଥିବେ ଏବଂ ଏବେ ସେ ଇପିଏଫ୍‌ରେ ପଞ୍ଜୀକୃତ ହୋଇଥିବା କୌଣସି ସଂସ୍ଥାରେ କାମ କରୁ ନ ଥିବେ, ତାଙ୍କର ୟୁନଭର୍ସାଲ ଆକାଉଣ୍ଟ ନମ୍ବର ଓ ଇପିଏଫ୍ ସଦସ୍ୟତା ଆକାଉଣ୍ଟ ନମ୍ବର ନ ଥିଲେ ମଧ୍ୟ ତାଙ୍କୁ ଏହି ସୁବିଧା ମିଳିବ । ଯେଉଁ ଇପିଏଫ୍ ସଦସ୍ୟଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଥିବ ଏବଂ ସେ ମାସିକ ୧୫ ହଜାର ଟଙ୍କାରୁ କମ୍ ବେତନ ପାଉଥିବେ ସେଭଳି କର୍ମଚାରୀ ଯଦି କରୋନା ମହାମାରୀ କାଳରେ ଅର୍ଥାତ୍ ୨୦୨୦ ମାର୍ଚ୍ଚ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଚାକିରି ହରାଇଥିବେ ଏବଂ ୨୦୨୦ ସେପ୍ଟେମ୍ବର ୩୦ ପର‌୍ୟ୍ୟନ୍ତ ଅନ୍ୟ କୌଣସି ଇପିଏଫ୍ ପଞ୍ଜୀକୃତ ସଂସ୍ଥାରେ କାର‌୍ୟ୍ୟ କରୁ ନ ଥିବେ ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ । ଇପିଏଫ୍‌ଓ ପକ୍ଷରୁ ଏହି ସରକାରୀ ସହାୟତା ରାଶିକୁ ସଂପୃକ୍ତ ସଦସ୍ୟଙ୍କ ଆଧାର ସଂଯୁକ୍ତ ଆକାଉଣ୍ଟ ନମ୍ବରରେ ଇଲେକ୍‌ଟ୍ରୋନିକ ବ୍ୟବସ୍ଥାରେ ଜମା କରାଯିବ ।ଏହି ସ୍କିମ୍ ପାଇଁ ଇପିଏଫ୍‌ଓ ଏକ ସଫ୍ଟୱେୟାର ପ୍ରସ୍ତୁତ କରିବ ଏବଂ ସଂପୃକ୍ତ କର୍ମଚାରୀ ଯେପରି ଉପକୃତ ହୋଇପାରିବେ ସେଥିପାଇଁ ଏକ ପଦ୍ଧତି ବିକଶିତ କରି ସ୍ୱଚ୍ଛ ଭାବରେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ପ୍ରେରଣ କରିବ । ଇପିଏଫ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ଯୋଜନାର ହିତାଧିକାରୀ ଯେପରି ଏହି ଯୋଜନାରେ ଲାଭ ନ ପାଆନ୍ତି ତାହାକୁ ନିଶ୍ଚିତ କରିବା ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ପଦ୍ଧତି ନିର୍ଦ୍ଧାରଣ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ