ଆତ୍ମହତ୍ୟା ପ୍ରବଣତା

ଭାରତୀୟ ଯୁବକ-ଯୁବତୀ ସେମାନଙ୍କର ଜୀବନ ହାରିଦେବା ଏବେ ଏକ ଉଦ୍‌ବେଗଜନକ ପର୍ଯ୍ୟାୟରେ ପହଁଚିଛି, ଯାହାକି ପରିସଂଖ୍ୟାନ ରପୋର୍ଟ କହେ । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ରେ ଦେଶରେ ୧,୭୦,୯୨୪ ଯୁବକ-ଯୁବତୀ ଆତ୍ମହତ୍ୟା କରିଛନ୍ତି । ଯାହାକି ବିଶ୍ୱରେ ସବୁଠାରୁ ସର୍ବାଧିକ । ସେହିପରି ସେମାନଙ୍କର ବୟସ ୧୮ରୁ ୩୦ମଧ୍ୟରେ ଅର୍ନ୍ତଭୁକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୫ପ୍ରତିଶତ ପ୍ରାପ୍ତବୟସ୍କ ଏବଂ ୬ପ୍ରତିଶତ ନାବାଳକ ବୋଲି ରିପୋର୍ଟରେ ଦର୍ଶାଯାଇଛି । କେବଳ ଯୁବଗୋଷ୍ଠୀ ନୁହଁନ୍ତି, ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ମୋଟ ଆତ୍ମହତ୍ୟା କରିଥିବା ଯୁବଗୋଷ୍ଠୀଙ୍କ ମଧ୍ୟରେ ୭.୬ ପ୍ରତିଶତ । ଗତ ୨୦୨୨ରେ ଦେଶରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୩,୦୪୪ ଥିଲା । ତେବେ ୨୦୨୨ରେ କେବଳ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ୪ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଏଭଳି ମାନସିକତା ନିଶ୍ଚିତ ଭାବେ ଚିନ୍ତାଜନକ, ଏଥିରେ ସନ୍ଦେହ ନାହିଁ । ସେହିପରି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ(ହୁ) ରିପୋର୍ଟରେ କୁହାଯାଇଛି ଯେ, ୧୫ ରୁ ୨୯ବର୍ଷ ମଧ୍ୟରେ କିଶୋର-କିଶୋରୀ, ଯୁବକ-ଯୁବତୀଙ୍କ ଆତ୍ମହତ୍ୟା ଘଟଣା ଏବେ ବିଶ୍ୱରେ ତୃତୀୟ ସର୍ବାଧିକ ମୃତ୍ୟୁ ଭାବେ ଉଭା ହୋଇଛି । ୨୦୨୪ରେ ସ୍ପ୍ରିଙ୍ଗରରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱରେ ବାର୍ଷିକ ୫୨,୦୦୦ କିଶୋର-କିଶୋରୀ ଆତ୍ମହତ୍ୟା କରି ଜୀବନ ହରାଉଛନ୍ତି । ପରୀକ୍ଷା ଜନିତ ଚାପ, ଉତମ ଫଳାଫଳ, ଅଭିଭାବକମାନଙ୍କ ଉଚ୍ଚାଭିଳାଷ, ଶିକ୍ଷାନୀତିରେ ର‌୍ୟାଙ୍କ, ପ୍ରତିଯୋଗିତା, ସୁନାମଧନ୍ୟ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରତିଯୋଗିତାମୂଳକ ଚାପ ଏବଂ ମାନସିକ ଚାପ ଯୋଗୁଁ ଅତିଶୟ ଭାରାକ୍ରାନ୍ତ ଯୋଗୁଁ ଶେଷରେ କୋମଳମତି ଛାତ୍ରଛାତ୍ରୀମାନେ ଜୀବନ ହାରିବାକୁ ବାଧ୍ୟହେଉଛନ୍ତି ବୋଲି ନିକଟରେ ଅନୁଷ୍ଠିତ ଜାତୀୟ ଆତ୍ମହତ୍ୟା ନିରାକରଣ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂ ହବ୍ ଭାବେ ପରିଚିତ କୋଟା’ରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରୀକ୍ଷା ଜନିତ ଚାପ ଯୋଗୁଁ ବଢିବାରେ ଲାଗିଥିବା କୁହାଯାଏ । ଚଳିତ ୨୦୨୫ରେ ମାତ୍ର ଦୁଇ ମାସ ମଧ୍ୟରେ ୭ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଗତ ୨୦୨୪ରେ ୩୨ଜଣ ଛାତ୍ରଛାତ୍ରୀ କୋଟାରେ ଆତ୍ମହତ୍ୟା କରିଥିଲେ । ଆହୁରି ମଧ୍ୟ ଦେଶରେ ଯଥେଷ୍ଟ ମାତ୍ରାରେ ନିଯୁକ୍ତି ନଥିବା, ବେକାରୀ, ବେରୋଜଗାରୀ ବୃଦ୍ଧି ଯୋଗୁଁ ବା ହତାଶ ହୋଇ ଯୁବଗୋଷ୍ଠୀ ଶେଷରେ ଜୀବନ ହାରିବା ପନ୍ଥା ବାଛି ନେଉଛନ୍ତି । ଦେଶରେ କେତେକ ସୁନାମଧନ୍ୟ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ, ତଥା ଆଇଆଇଟି ଡାକ୍ତରୀ କଲେଜରେ ମଧ୍ୟ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି । ସେହିପରି ଶ୍ରମିକଙ୍କ କ୍ଷେତ୍ରରେ ନିର୍ଯ୍ୟାତନା, ବାଛବିଚାର ଯୋଗୁଁ ଯୁବଗୋଷ୍ଠୀ ଦିନ ମଜୁରିଆଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଥିବାବେଳେ ପ୍ରେମରେ ବିଫଳତା, ପ୍ରତାରଣା, ଦାରିଦ୍ର‌୍ୟତା ଯୋଗୁଁ ବହୁ ଯୁବକଯୁବତୀ ନବ ବିବାହିତା ଆତ୍ମହତ୍ୟା ଘଟଣା ମଧ୍ୟ ବଢିବାରେ ଲାଗିଛି । ଏହା ନିସନ୍ଦେହ ଯେ, କୋମଳମତି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ନିରାକରଣ ପାଇଁ ଭାରତ ମାନସିକ ସ୍ୱାସ୍ଥ୍ୟ ଉପରେ ଅଗ୍ରାଧିକାର ଦେବା ଜରୁରୀ । ଜାତୀୟ ଶିକ୍ଷାନୀତିରେ ବିଦ୍ୟାଳୟ ଶିକ୍ଷା ପାଠ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ ବିଷୟବସ୍ତୁ ପ୍ରଚଳନ ଏ ଦିଗରେ ଏକ ସକରାତ୍ମକ ପଦକ୍ଷେପ । ତେବେ ଏହି ପାଠ୍ୟକ୍ରମକୁ ବିଭିନ୍ନ ସହବନ୍ଧିତ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ କରାଯିବା ଜରୁରୀ । ସର୍ବଭାରତୀୟ ପ୍ରତିଯୋଗିତାମୂଳକ ଶିକ୍ଷାକ୍ରମରେ, ଡାକ୍ତରୀ ଶିକ୍ଷାନୁଷ୍ଠାନ, ନିଯୁକ୍ତି କ୍ଷେତ୍ରରେ ପରୀକ୍ଷା ପାଇଁ କୋଚିଂ ଦେଉଥିବା ଶିକ୍ଷାନୁଷ୍ଠାନରେ ମଧ୍ୟ ମାନସିକ ସ୍ୱାସ୍ଥ୍ୟ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଛାତ୍ରଛାତ୍ରୀ, ଯୁବଗୋଷ୍ଠୀଙ୍କ ମାନସିକ ଦୃଢତା ପାଇଁ ଆବଶ୍ୟକୀୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମଧ୍ୟ ସୁଲଭ ମୂୂଲ୍ୟରେ ବା ମାଗଣାରେ ଯୋଗାଇଦେବାର ଆବଶ୍ୟକତା ରହିଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ଧୈର୍ଯ୍ୟ ହରା ନହୋଇ ମାନସିକ ସ୍ତରରେ ସୁସ୍ଥ, ସବଳ ରହିବାକୁ ନିଜକୁ ନିଜେ ପ୍ରସ୍ତୁତ କରିବାକୁ ହେବ । ଜୀବନ ହେଉଛି ଅମୂଲ୍ୟ ସମ୍ପଦ, ଏହା ମନେ ରଖିବାକୁ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ