ଆତ୍ମା ସଭାପତିଙ୍କ ଘର ଉପରକୁ ଟେକା ପଥର ମାଡ , ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଆତ୍ମା ସଭାପତି ତଥା ଘୂ.ନୂଆଁ ଗାଁର ବିଜେଡ଼ି ଯୁବ ନେତା ରଶ୍ମିତ ପରିଡ଼ା(୪୩)ଙ୍କ ଘର ଉପରେ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିବା ସହିତ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ନିଜେ ରଶ୍ମିତ I ରଶ୍ମିତଙ୍କ ଅଭିଯୋଗ ପ୍ରକାରେ ଆଜି ଅପରାହ୍ଣ ଦୁଇ ଘଣ୍ଟା ତିରିଶ ମିନିଟ୍ ସମୟରେ ରଶ୍ମିତ ଭଞ୍ଜନଗରରୁ ଗାଆଁକୁ ଫେରିବା ସମୟରେ ଘୂ.ନୂଆଁ ଗାଁ ଭାଗବତ ମନ୍ଦିର ନିକଟରେ ଗ୍ରାମର କୁନା ଜେନା ରଶ୍ମିତଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା I ଗତ ପଞ୍ଚାୟତ ନିର୍ବାଚନରେ ରଶ୍ମିତ ଘୁ ନୂଆଗାଁ ର ବିଜେଡି ସମଥିତ ସରପଞ୍ଚ ପ୍ରାର୍ଥୀ ହୋଇ ହାରିଯାଇଥିଲେ I ଏନେଇ କୁନା ରଶ୍ମିତଙ୍କୁ ନିର୍ବାଚନରେ ହାରିଯିବା ସତ୍ତ୍ୱେ ଗାଆଁରେ ରହି କଣ କରୁଛୁ ବୋଲି ପଚାରିଥିଲା I ଯଦି ରଶ୍ମିତ ଗାଆଁରେ ରୁହନ୍ତି ତେବେ ତାଙ୍କୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା ବୋଲି ରଶ୍ମି ଅଭିଯୋଗ କରିଛନ୍ତି I ଏହା ପରେ ରଶ୍ମିତ ସେଠାରୁ ଘରକୁ ଯିବାପରେ ନିଜେ କୁନା, ଲକି ଜେନା,ଗୋପାଳ ଜେନା ଏବଂ ୧୫ ଜଣ ସହଯୋଗୀ ମିଶି ଠେଙ୍ଗା, ଧାରୁଆ କାତି, ଇଟା ଏବଂ ପଥର ଧରି ରଶ୍ମିତଙ୍କ ଘର ନିକଟକୁ ରଶ୍ମିତଙ୍କୁ ଜୀବନ ମାରି ଦେବାକୁ ଉଦ୍ୟମ କରିଥିଲେ I ଏମାନଙ୍କୁ ଦେଖି ରଶ୍ମିତ ଘର ଭିତରକୁ ଦୌଡ଼ି ପଳାଇବା ପରେ ଘଟଣା ସମ୍ପର୍କରେ ଜାଣିବା ପାଇଁ ରଶ୍ମିତଙ୍କ ବାପା ରବୀନ୍ଦ୍ରନାଥ ପରିଡ଼ା ବାହାରକୁ ଆସିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ I ତେଣୁ ରଶ୍ମିତଙ୍କ ବାପା ମଧ୍ୟ ଘରକୁ ଦୌଡ଼ି ଯାଇ ଗ୍ରୀଲ ବନ୍ଦ କରିଦେବା ପରେ ଦୁର୍ବୃତ୍ତମାନେ ଅସ୍ତ୍ରଶସ୍ତ୍ର ଏବଂ ଇଟା ପଥର ସାହାଯ୍ୟରେ ରଶ୍ମିତଙ୍କ ଘର ଉପରେ ସଂଘବଦ୍ଧ ଆକ୍ରମଣ କରିବା ସହ ବାହାରକୁ ଆସିଲେ ଜୀବନରେ ମାରିଦେବୁ ବୋଲି ବଡ଼ ପାଟିରେ ଗାଳି କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି । ଏନେଇ ରଶ୍ମିତ ବେଲଗୁଣ୍ଠା ଥାନାକୁ ଫୋନ୍ କରି ଜଣାଇବାରୁ ପୋଲିସ୍ ଗାଡ଼ି ଆସୁଥିବା ଜାଣି ଦୁର୍ବୃତ୍ତ ମାନେ ସେଠାରୁ ପଳାଇଯାଇଥିଲେ I ଏହା ସହିତ ପୂର୍ବରୁ ମଧ୍ୟ ଗୋପାଳ ଜେନା ଦୁଇଥର ରଶ୍ମିତଙ୍କୁ ଧମକ ଦେଇଥିବା ରଶ୍ମିତ ପୋଲିସ୍ କୁ ଜଣାଇଛନ୍ତି I ରଶ୍ମିତଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ସେ ବେଲଗୁଣ୍ଠା ପୋଲିସ୍ କୁ ନିବେଦନ କରିଛନ୍ତି I