ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚାଉଳ ପ୍ରଦାନକୁ ନେଇ ବିବାଦ
ହାଟଡ଼ିହି : ସରକାର ଲକ୍ଡାଉନ ଘୋଷଣା କରିବାପରେ ସମସ୍ତ ସ୍କୁଲ ଗୁଡିକୁ ବନ୍ଦ କରିଦେଇ ସ୍କୁଲ ମାନଙ୍କରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ଶୁଖିଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପ୍ରତି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସେହି ପଞ୍ଚାୟତରୁ ଚାଉଳ ନେଇପାରିବେ ବୋଲି ସେମାନଙ୍କୁ ଟୋକନ ଦିଆଯାଇଛି । ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପିଲାମାନେ ପଢ଼ୁଥିବାବେଳେ ସେମାନଙ୍କ ଚାଉଳ ଜମ୍ଭୀରା ପଞ୍ଚାୟତରୁ ନେବାକୁ ଟୋକନ ଦିଆଯାଇଛି । ଏହି ସ୍କୁଲରେ ବ୍ଲକର ଦୁର ଦୁରାନ୍ତ ପଞ୍ଚାୟତରୁ ପିଲାମାନେ ପଢ଼ୁଥିବାବେଳେ ସେମାନେ କିପରି ଆସି ଜମ୍ଭୀରା ପଞ୍ଚାୟତରୁ ମଧ୍ୟାହ୍ନ ଭୋଜନ ଚାଉଳ ଦେବେ ତାହାକୁ ନେଇ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ଲକଡାଉନ ବେଳେ ପୁଲିସ କୌଣସି ଲୋକଙ୍କୁ ରାସ୍ତାକୁ ଛାଡୁ ନଥିବାବେଳେ ହାବଳେଶ୍ୱର, ଶାଳଣିଆଁ, ଗେଡମା, ଡଅଁର, କଳିଗାଁ, ପଢ଼ିଆରିପଲ୍ଲୀ, କେ ବାଲିପାଳ, ବାଙ୍ଗୋର, ଧନୁର୍ଜୟପୁର ଆଦି ପଞ୍ଚାୟତର ଛାତ୍ରଛାତ୍ରୀମାନେ ମାତ୍ର ୧୩କିଲୋ ୫୦୦ଗ୍ରାମ ଚାଉଳ ପାଇଁ ଦୀର୍ଘ ୨୦ରୁ ୩୦କିଲୋମିଟର ବାଟ ଆସି ଚାଉଳ ନେବାକୁ ନେଇ ଅଭିଭାବକ ମାନେ ପ୍ରଶ୍ନ ଉଠାଇଛନ୍ତି । ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଯଦି ନିଜ ପଞ୍ଚାୟତରୁ ଏହି ମଧ୍ୟାହ୍ନ ଭୋଜନ ଚାଉଳ ଦିଆଯାଇ ପାରନ୍ତା ତେବେ ଛାତ୍ରଛାତ୍ରୀ ମାନେ ସହଜରେ ନେଇ ପାରନ୍ତେ ବୋଲି ଅଭିଭାବକମାନେ ଦାବି କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।


