ଆଦର୍ଶ ବିଦ୍ୟାଳୟ ନାମଲେଖାରେ ଓ.ବି.ସି. ଛାତ୍ରଛାତ୍ରୀଙ୍କୁ ସ୍ଥାନ ସଂରକ୍ଷଣ ଦେବାକୁ ଦାବୀ : ସମାଜବାଦୀ ପାର୍ଟି
ଭୁବନେଶ୍ୱର, : ରାଜ୍ୟର ୨୫୦ଟି ଆଦର୍ଶ ବିଦ୍ୟାଳୟରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତମାସ ୨୪ ତାରିଖରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଜାନୁୟାରୀ ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦରଖାସ୍ତ ଦିଆଯିବ ଏବଂ ମାର୍ଚ୍ଚ ୧ ତାରିଖରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଯେଉଁମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ୬ଷ୍ଠ ଶ୍ରେଣୀରେ ନାମ ଲେଖାଇପାରିବେ । ଆଦର୍ଶ ବିଦ୍ୟାଳୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିବର୍ଗଙ୍କ ପାଇଁ ସଂଖ୍ୟାନୁପାତିକ ସଂରକ୍ଷଣ ରହିଛି । କିନ୍ତୁ ଦୁଃଖର ବିଷୟ ରାଜ୍ୟର ପଛୁଆବର୍ଗଙ୍କ ନିମିତ୍ତ ଏହି ବିଦ୍ୟାଳୟରେ ନାମ ଲେଖାରେ ସଂରକ୍ଷଣ ପ୍ରଦାନ କରାଯାଇ ନାହିଁ । କେନ୍ଦ୍ର ସରକାରଙ୍କ ନବୋଦୟ ସ୍କୁଲ ଢାଞ୍ଚାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟମାନଙ୍କରେ ମାଗଣାରେ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଉଛି । କିନ୍ତୁ ଛାତ୍ରଛାତ୍ରୀମାନଙ୍କ ଯାତାୟାତ ପାଇଁ ବ୍ୟବସ୍ଥା ନାହିଁ କିମ୍ବା ରହିବା ପାଇଁ ଛାତ୍ରାବାସର ସୁବିଧା ନାହିଁ । ତେଣୁକରି ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଓଡ଼ିଶା ସରକାର ଗତ ୧୧ ତାରିଖ ଦିନ କ୍ୟାବିନେଟ ବୈଠକ ଡ଼ାକି ଓ.ବି.ସି. ଜନଗଣନା ପାଇଁ ନିଷ୍ପତ୍ତି ଗ୍ରହଣ କରି କେନ୍ଦ୍ର ସରକାରଙ୍କ ପାଖରେ ଦାବୀ ରଖିଛନ୍ତି । ତେଣୁ ଓ.ବି.ସି. ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାରେ ୨୭ ଭାଗ ସଂରକ୍ଷଣ ଦେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଏକ ପତ୍ର ଲେଖି ଦାବୀ କରିଛନ୍ତି । ଏହା ବ୍ୟତୀତ ଏହି ପିଲାମାନଙ୍କୁ ନାମ ଲେଖାର ସୁଯୋଗ ଦେବା ପାଇଁ ଆବେଦନ ତାରିଖକୁ ଜାନୁୟାରୀ ୩୧ ତାରିଖ ପରିବର୍ତ୍ତେ ଫେବୃୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା, ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ ବସ୍ ବ୍ୟବସ୍ଥା କରିବା ଓ ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ପ୍ରତିଷ୍ଠା କରିବାକୁ ଶ୍ରୀ ବେହେରା ଦାବୀ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ୨୦୨୦-୨୧ ଶିକ୍ଷାବର୍ଷ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟମାନଙ୍କରେ ଓ.ବି.ସି. ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖାରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦେବା ପାଇଁ ୨୦୧୯ ମସିହା ଡ଼ିସେମ୍ବର ୧୮ ତାରିଖ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ଏହାକୁ ଦୃଷ୍ଟିରେ ରଖି ଓ.ବି.ସି. ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ବିଦ୍ୟାଳୟ ନାମ ଲେଖାରେ ୨୭ ଭାଗ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଏହି ଚିଠିରେ ଯୁକ୍ତି ଦର୍ଶାଇଛନ୍ତି ।


