ଆଦର୍ଶ ଶିକ୍ଷକ ର ପ୍ରକୃତ ସଂଜ୍ଞା
ବିଦ୍ୟା କେବେ ପୁଳା ପୁଳା ଟଙ୍କା ଏବଂ ବାଟି ବାଟି ସମ୍ପତ୍ତି ଅର୍ଜନ କରିବାକୁ ଶିକ୍ଷା ଦିଏ ନାହିଁ |ମନ ଭିତରେ ଅହଂ ଭାବନା ଆସିଲେ ଆମର ଶିକ୍ଷା ମୂଲ୍ୟହୀନ |ଉଦାରବାଦୀ, ନିର୍ଭିକ, ସରଳ,ନମ୍ର, ବ୍ୟକ୍ତି ହି ପକୃତ ଆଦର୍ଶ ଶିକ୍ଷକ ପଦବାଚ୍ୟ | ପ୍ରକୃତି ର ଜୀବଜନ୍ତୁ, କୀଟପତଙ୍ଗ ଠାରୁ ଆରମ୍ଭ କରି ଉଦ୍ଭିଦ ପ୍ରଯ୍ୟନ୍ତ ଆମକୁ ବହୁତ କିଛି ଶିକ୍ଷା ମିଳେ | ବିନମ୍ରତା ସହନଶିଳତା ଆମକୁ ଉଦ୍ଭିଦ ଠାରୁ ଶିକ୍ଷା ମିଳିଥାଏ | ପରିଶ୍ରମ,ନିଷ୍ଠା, ଉଦ୍ୟମ ଆମକୁ ମହୁମାଛି ଶିକ୍ଷା ଦେଇଥାଏ | ଜନ୍ଦା, ପିମ୍ପୁଡି ଙ୍କ ପରି ଛୋଟ କୀଟପତଙ୍ଗ ମାନଙ୍କ ଠାରୁ ଶୃଙ୍ଖଳିତ ଜୀବନ ଶୈଳୀ ର ଶିକ୍ଷା ମିଳିଥାଏ|ସବୁଠାରୁ ବିଶ୍ଵସ୍ତ ପ୍ରାଣୀ କୁକୁର ଠାରୁ ଆମକୁ ବିଶ୍ୱସ୍ତତା ଶିକ୍ଷା ମିଳିଥାଏ | ଦୁବ ଘାସ କୁ ଲୋକମାନେ ପାଦରେ ଦଳି ଦିଅନ୍ତି, କିନ୍ତୁ ଦୁବ ଘାସ ଛୋଟ ହେଲେ ବି ଈଶ୍ୱର କାର୍ଯ୍ୟ ରେ ଲାଗି ଥାଏ | ଦୁବ ଘାସ ଠାରୁ ଆମକୁ ସହନଶୀଳତା ର ଶିକ୍ଷା ମିଳେ | ଉଚ୍ଚ ପର୍ବତ ମାଳା ଆମକୁ ବହୁତ କିଛି ଶିକ୍ଷା ଦିଏ | ମନୁଷ୍ୟ ଜୀବନ ରେ ଘଟୁଥିବା ଦୁଃଖ, କଷ୍ଟ, ବାଧା, ବିଘ୍ନ , ଘାତ ପ୍ରତିଘାତ କୁ କିପରି ସାହସ ର ସହିତ ମୁକାବିଲା କରିବାକୁ ହୁଏ ତାହା ପର୍ବତ ଠାରୁ ଶିକ୍ଷା ମିଳେ | ବିଶାଳ ସାଗର ମନୁଷ୍ୟ କୁ ସ୍ଥିତପ୍ରଜ୍ଞ ହେବା ପାଇଁ ଶିକ୍ଷା ଦିଏ | ଉଭୟ ସୁଖ ଓ ଦୁଃଖ ରେ ନିର୍ବିକାର ଅର୍ଥାତ ମନୁଷ୍ୟ ର ଆଚରଣ ଓ କାର୍ଯ୍ୟ ରେ କୌଣସି ପରିବର୍ତନ ହେବା ଉଚିତ ନୁହଁ | ସେଥିପାଇଁ ଏ ବିଶ୍ୱବ୍ରହ୍ମାଣ୍ଡ ରେ ମନୁଷ୍ୟ ଈଶ୍ୱର ଙ୍କର ସୁନ୍ଦର ସୃଷ୍ଟି ପ୍ରକୃତି ରୁ ଶିକ୍ଷା ଗ୍ରହଣ କରି ନିଜର ଆଚରଣ କୁ ପରିମାର୍ଜିତ କରିବା ଉଚିତ | ଏହି କାର୍ଯ୍ୟ କରିପାରିଲେ ମନୁଷ୍ୟ ସର୍ବଶେଷ୍ଟ ପ୍ରାଣୀ ଭାବେ ନିଜକୁ ପ୍ରତିପାଦିତ କରିପାରିବ |ଏଥିରେ ସଂନ୍ଦେହ ର କୌଣସି ଅବକାଶ ନାହିଁ |ସୁସ୍ଥ ସମାଜ ଗଠନ କରିବା ରେ ତଥା ରାଷ୍ଟ୍ର କୁ ସର୍ବଶ୍ରେଷ୍ଠ ଗଢି ତୋଳିବା ରେ ଆଦର୍ଶ ଶିକ୍ଷକ ଙ୍କର ଭୂମିକା ଅତୁଳନୀୟ | କଥାରେ ଅଛି ଏକ ମାଛ ଟିଏ ଦାନ କରି ଆପଣ କେବଳ ଗୋଟିଏ ଥର ପାଇଁ କିଛି ବ୍ୟକ୍ତି ଙ୍କର କ୍ଷୁଧା ନିବାରଣ କରି ପାରନ୍ତି, କିନ୍ତୁ ମାଛ ଧରିବା ର ଉପାୟ ଶିକ୍ଷା ଦେଇ ଆପଣ ସେମାନଙ୍କୁ ସବୁଦିନ ପାଇଁ ଆତ୍ମନିର୍ଭରଶୀଳ କରିପାରିବେ , ଯାହା ଫଳରେ ସେମାନେ ନିଜ ଖାଦ୍ୟ ର ବ୍ୟବସ୍ଥା ନିଜେ କରିବା ପାଇଁ ଯୋଗ୍ୟ ଏବଂ ସାମର୍ଥ୍ୟ ହୋଇପାରିବେ | ସେହିପରି ଶିକ୍ଷକ ହେଉଛନ୍ତି ଭବିଷ୍ୟତ ର ନିର୍ମାତା, ଯିଏ ଏକ ପ୍ରଦୀପ ସଦୃଶ, ନିଜେ ଜଳି ଅନ୍ୟମାନଙ୍କ ପଥ କୁ ଆଲୋକିତ କରିଥାନ୍ତି | ଜଣେ ମହାନ ଆଦର୍ଶ ଶିକ୍ଷକ କେବଳ କଥା ରେ କୁହନ୍ତି ନାହିଁ, ନିଜ ଆଚରଣ ଓ କର୍ମ ରେ ତାହା ପ୍ରଦର୍ଶିତ କରିଥାନ୍ତି | ଶିକ୍ଷକ ଙ୍କର ଉର୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନଂକୁ ନିଜ ଭାବ ମୂର୍ତ୍ତି ରେ ଗଢି ତୋଳିବା ନୁହେଁ ବରଂ ନିଜର ଭାବ ମୂର୍ତ୍ତି ସୃଷ୍ଟି କରିପାରିବା ନିମନ୍ତେ ସେମାନଙ୍କୁ ଯୋଗ୍ୟ ଏବଂ ସାମର୍ଥ୍ୟ କରିଦେବା |ଶିକ୍ଷକ ହେଉଛନ୍ତି ବଗିଚା ର ସେହି ମାଳି ସଦୃଶ, ଯିଏ କି ବଗିଚାରେ ରଙ୍ଗ ବେରଙ୍ଗ ଫୁଲ ରେ ସୁସଜ୍ଜିତ କରିଥାନ୍ତି | ଅର୍ଥାତ ବିଦ୍ୟାଳୟ ଯଦି ବଗିଚା ହୁଏ ସେହି ବଗିଚା ର ମାଳି ହେଉଛନ୍ତି ଶିକ୍ଷକ ଏବଂ ଶିଷ୍ୟ ହେଉଛନ୍ତି ସେହି ବଗିଚା ର ଫୁଲ | ଫୁଲ ର ରଙ୍ଗ ହେଉଛି ସେହି ବିଦ୍ୟାର୍ଥୀ ଙ୍କ ଉଜ୍ଜଳ ଭବିଷ୍ୟତ, ଅର୍ଥାତ କିଏ କଣ ହେବ | ଏ ବିଶ୍ୱବ୍ରହ୍ମାଣ୍ଡ ରେ ଯିଏ ଯେତେ ବଡ଼ ପଦବୀ ରେ ଅଧିଷ୍ଟିତ ହୋଇଥାଉ ନା କାହିଁକି ତାର ସଫଳତା ପଛରେ ଶିକ୍ଷକ ଙ୍କର ଭୂମିକା ରହିଥାଏ, ଏଥିରେ ସନ୍ଦେହ ର କୌଣସି ଅବକାଶ ନାହିଁ | କଥା ରେ ଅଛି “ସତ ଗୁରୁ ଯେବେ ମାରେ ଗୋଇଠା
ଅନ୍ଧାର ଘରେ ଜଳେ ବଇଠା”
କବିର ଦାଶ କହିଛନ୍ତି
ଗୁରୁ ଗୋବିନ୍ଦ ଦୋ ଖୋଡ଼ା, କାକେ ଲାଗୁ ପାଏଁ,,ବଲହାରୀ ଗୁରୁ ଆପେଁ ଗୋବିନ୍ଦ ଦିଏୟ ମିଳାଏ ”
ଏହାର ଅର୍ଥ ଯେତେବେଳେ ଗୁରୁ ଏବଂ ସ୍ୱୟଂ ଭଗବାନ ଦୁଇ ଜଣ ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ | ଆପଣ ସର୍ବ ପ୍ରଥମେ ଗୁରୁ ଙ୍କୁ ପ୍ରଣାମ କରିବେ | କାରଣ ଗୁରୁ ହିଁ ଆପଣଙ୍କ ର ପଥ ପ୍ରଦର୍ଶକ | ସେହିଁ କେବଳ ଗୋବିନ୍ଦ ଅର୍ଥାତ ଭଗବାନ ଙ୍କ ପାଖରେ ପହଁଚିବା ପାଇଁ ସଠିକ ମାର୍ଗ ଦର୍ଶାଇଥାନ୍ତି | ଶିକ୍ଷକ ଙ୍କୁ ସମ୍ମାନିତ କରିବା ପାଇଁ କୌଣସି ଦିନର ଆବଶ୍ୟକତା ନାହିଁ | କାରଣ ଶିକ୍ଷକ ସଦାସର୍ବଦା ଚିରନମସ୍ୟ , ଚିରପୂଜନୀୟ, ଚିରସମ୍ମାନିତ, ସର୍ବଶ୍ରେଷ୍ଠ | ତଥାପି ଅନେକ ଦେଶ ରେ ଶିକ୍ଷକ ଙ୍କୁ ସମ୍ମାନିତ କରିବା ପାଇଁ ଏକ ବିଶେଷ ଦିବସ ଘୋଷଣା କରାଯାଇଛି | ଆମ ଦେଶ ରେ ଏହା ସେପ୍ଟେମ୍ବର 5 ତାରିଖ ରେ ଅତି ଆଡମ୍ବର ସହକାରେ ପାଳନ କରାଯାଏ | ଡ଼କ୍ଟର ରାଧାକୃଷ୍ଣନ ଙ୍କ ର ଶିକ୍ଷା ପ୍ରତି ଭାରି ରୁଚି ଥିଲା | ସେ କୁହନ୍ତି ଶିକ୍ଷକ ବିନା ଜଣେ ବ୍ୟକ୍ତି ଲକ୍ଷ୍ୟ ସ୍ଥଳରେ ପହଁଚିବା ଅସମ୍ଭବ | ଜଣେ ଉତ୍ତମ ଆଦର୍ଶ ଶିକ୍ଷକ ତାର ବିଦ୍ୟାର୍ଥୀ କୁ ସମସ୍ତ ବାଧା ବିଘ୍ନ, ଘାତ, ପ୍ରତିଘାତ କୁ ସାମନା କରିବା ପାଇଁ ପ୍ରସ୍ତୁତ କରିଥାଏ | ଯାହା ଫଳରେ ବିଦ୍ୟାର୍ଥୀ ଉଜ୍ୱଳ ଭବିଷ୍ୟତ ଗଢିବାକୁ ସମର୍ଥ ହୋଇଥାଏ | ଡ଼କ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ 40ବର୍ଷ ବୟସରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଜୀବନ ଅତିବାହିତ କରିଥିଲେ | ସେ ସ୍ୱାଧୀନ ଭାରତ ର ଉପରାଷ୍ଟ୍ରପତି ଓ ପରେ ରାଷ୍ଟ୍ରପତି ଥିଲେ | ଶିକ୍ଷା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି ଯାହାକୁ କିଛି ଶବ୍ଦରେ ପ୍ରକାଶ କରିବା ଅସମ୍ଭବ | ତେଣୁ ତାଙ୍କ ଜନ୍ମତିଥି କୁ ଗୁରୁ ଦିବସ ରୂପେ ପାଳନ କରାଯାଏ | ଶିକ୍ଷକ ହେଉଛନ୍ତି ସୁସ୍ଥ ସମାଜ ନିର୍ମାଣକାରୀ | ଯିଏ ଆମକୁ ନୈତିକ ମୂଲ୍ୟବୋଧ ଓ ମାନବିକତା ଶିକ୍ଷା ଦେଇଥାନ୍ତି | ଯାହା ଦ୍ୱାରା ଏକ ଉନ୍ନତ ରାଷ୍ଟ୍ର ନିର୍ମାଣ ରେ ଏହା ସହାୟକ ହୋଇଥାଏ | ଶିକ୍ଷକ ଙ୍କର ମହାନତା କୁ ବର୍ଣ୍ଣନା କରିବା ପାଇଁ ଦୁନିଆ ର ପ୍ରତେକ ଶବ୍ଦ ତାଙ୍କ ପାଇଁ ଛୋଟ ପଡ଼ିଯିବ |”ଶିକ୍ଷକ ଙ୍କୁ ନା ପ୍ରଂଶସା ଲୋଡ଼ା, ନା ତାଙ୍କୁ ସୁନା ରୁପା ମୋତି ମାଣିକ ଭଳି ଦାମୀ ଉପହାର ଲୋଡ଼ା, ତାଙ୍କୁ ତ ବାସ ଆତ୍ମୀୟ ଶାନ୍ତି ଲୋଡ଼ା, ଆତ୍ମୀୟ ଶାନ୍ତି ଶିକ୍ଷକ କୁ ସେତେବେଳେ ମିଳେ ଯେତେବେଳେ ବିଦ୍ୟାର୍ଥୀ ର ଯଶଗାନ ସାରା ବିଶ୍ୱରେ ହୁଏ ” |ବିଂଶ ଶତାବ୍ଦୀ ର ଆଧୁନିକ ଭାରତ ରେ ଗୁରୁଶିଷ୍ୟ ର ପରମ୍ପରା ଧୀରେ ଧୀରେ କଳଙ୍କିତ ହେବାରେ ଲାଗିଛି | ତେଣୁ ବିଦ୍ୟାର୍ଥୀ ଓ ଶିକ୍ଷକ ଏହାର ମହତ୍ବ କୁ ବୁଝିବା ନିହାତି ଆବଶ୍ୟକ | ଏହା ଦ୍ୱାରା ଏକ ସୁସ୍ଥ ସମାଜ ଏବଂ ଉନ୍ନତ ରାଷ୍ଟ୍ର ନିର୍ମାଣ ହୋଇ ପାରିବ | ଗୁରୁ ଶିଷ୍ୟ ପରମ୍ପରା ରେ ଯେପରି ପ୍ରଶ୍ନ ଚି଼ହ୍ନ ନ ଲାଗେ ସେଥିପ୍ରତି ଯଥେଷ୍ଟ ସଚେତନ ହେବା ଆମର କର୍ତବ୍ୟ |
ଆଶୁତୋଷ ନାୟକ
ଗୋପାଳପୁର,ବାଲେଶ୍ୱର