ଆଦର୍ଶ ଶିକ୍ଷକ ଲକ୍ଷ୍ମୀନାରାୟଣ ପ୍ରସାଦଙ୍କୁ ରାଜ୍ୟପାଳଙ୍କ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ମାଟିର ସୁନାମଧନ୍ୟ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସଙ୍କ ଏକାଦଶାହ ଅବସରରେ ମଙ୍ଗଳବାର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କ ପ୍ରତି ଭାବପୂର୍ଣ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହିତ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ରାଜ୍ୟପାଳ ପୂର୍ବାହ୍ନରେ କେନ୍ଦ୍ରାପଡ଼ା ସହରର କାକଟସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ପ୍ରଥମେ ଲକ୍ଷ୍ମୀନାରାୟଣ ପ୍ରସାଦ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ଏବଂ ଏକ ଭାବପୂର୍ଣ ଭକ୍ତି ସଙ୍ଗୀତ ଗାନ ପୂର୍ବକ ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ରାଜ୍ୟପାଳଙ୍କ ସହିତ ତାଙ୍କ ସୁପୁତ୍ର ମନିଷ ଅଗ୍ରୱାଲ ମଧ୍ୟ ଅନୁରୂପ ଭାବେ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୁଷଣ ବେହେରା ଓ ରାଜଭବନର ବରିଷ୍ଠ ଚିକିତ୍ସା ବିଶେଷଜ୍ଞ ଡ଼ା. କୃତ୍ତିବାସ ପରିଡ଼ା ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ପରେ ରାଜ୍ୟପାଳ ଓ ତାଙ୍କ ସୁପୁତ୍ର ଦୀର୍ଘ ସମୟ ଧରି ଶୋକ ସନ୍ତପ୍ତ ପରିବାରର ସଦସ୍ୟ ମାନଙ୍କ ସହିତ ଭାବ ବିନିମୟ ପୂର୍ବକ ସମବେଦନା ଜଣାଇଥିଲେ । ଶେଷରେ ରାଜ୍ୟପାଳଙ୍କୁ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ପ୍ରସାଦଙ୍କ ତିନି ପୁଅ ଶାରଦା ପ୍ରସାଦ ଦାସ , ଇଂ. ଭାଗବତ ପ୍ରସାଦ ଦାସ ଓ ଅମ୍ବିକା ପ୍ରସାଦ ଦାସଙ୍କ ସମେତ ପରିବାର ବର୍ଗ ଓ ଆତ୍ମୀୟମାନେ କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ