‘ଆଦାନୀ-ମୋଦି ସମ୍ପର୍କ ଦେଶର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଛି’
ବାଲେଶ୍ୱର, (ସରୋଜ ପଣ୍ଡା):ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ଆଦାନୀ କମ୍ପାନୀର ମିଛ ସେୟାର ମୂଲ୍ୟ ବୃଦ୍ଧି ସମ୍ପର୍କରେ ହୋଇଥିବା ଖୁଲାସାରୁ ଦେଶବାସୀଙ୍କ ସଂଚିତ ଏଲଆଇସିର ୩୬ ହଜାର କୋଟି ଟଙ୍କା ଫେରିବା ନେଇ ଆଶଙ୍କା ଦେଖା ଦେଇଛି ବୋଲି ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମୋଦି-ଆଦାନୀ ସଂପର୍କ ଦେଶର ଅର୍ଥନୀତିକୁ ଦୁର୍ବଳ କରିଚାଲିଛି ବୋଲି ଶ୍ରୀ ଗିରି ଆରୋପ ଉଠାଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଆଦାନୀଙ୍କ ବ୍ୟବସାୟ ବଢ଼ିବା ସହ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବଢ଼ିଛି । ଗୌତମ ଆଦାନୀ ୨୦୧୪ ମସିହାରେ ବିଶ୍ୱର ଧନୀ ତାଲିକାର ୬୦୯ ସ୍ଥାନରେ ଥିବା ବେଳେ ବିଗତ ୯ବର୍ଷ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଦେଶରେ ଅମୃତ କାଳ ଚାଲିଥିବା କହି ଦେଶବାସୀଙ୍କୁ ଭ୍ରମିତ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦାନୀ ଠକେଇ ଘଟଣାରେ ଚୁପ ରହିବାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି କଂଗ୍ରେସ ପକ୍ଷରୁ ପଶ୍ନ ହୋଇଛି । ଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରିବା ଓ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକଳାପ ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି ପାଇଁ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହୋଇଛିି ବୋଲି ଶ୍ରୀ ଗିରି ସୂଚନା ଦେଇଛନ୍ତି । ଏଆଇସିସି ଆହ୍ୱାନ କ୍ରମେ ତଥା ପିସିସିର ନିର୍ଦ୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ ମୋଦି-ଆଦାନୀ ସମ୍ପର୍କରେ ଜନ ସଚେତନତା କରାଯାଉଛି ବୋଲି ସେ କହିଛନ୍ତି । ଆଦାନୀଙ୍କ ଠକେଇ ମାମଲାରେ ତଦନ୍ତ ଦାୟିତ୍ୱ ଇଡି, ସିବିଆଇ, ଆୟକର ଏମିତିକି ସେବି ପ୍ରଭୃତି ସଂସ୍ଥାକୁ ନ ଦିଆଯିବା କାରଣ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଭାରତବର୍ଷର ସମ୍ପତ୍ତିକୁ ଲୁଟ କରିବା, ଗରିବ ଲୋକଙ୍କ ଅର୍ଥକୁ ହରିଲୁଟ କରି ଦେଶର ଅମୃତ କାଳ କହିବା କେତେ ଯୁକ୍ତିଯୁକ୍ତ ତାହା ଲୋକେ ବିଚାର କରିବେ । ତେବେ ଆଦାନୀ ଠକେଇ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲା କଂଗ୍ରେସ କମିଟି ସଭାପତି ଶ୍ରୀ ଗିରି ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା କଂଗ୍ରେସ ଉପ-ସଭାପତି ଗୋପୀନାଥ ପାଢ଼ୀ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।