ଆଦିପୁର ଗ୍ରାମବାସୀଙ୍କ ଆନ୍ଦୋଳନ ସମାଧାନ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ତହସିଲ ଓ ଥାନା ଅନ୍ତର୍ଗତ ଆଦିପୁର ଗ୍ରାମବାସୀଙ୍କ ଆନ୍ଦୋଳନର ସମାଧାନ ପାଇଁ ଗତକାଲି ଶୁକ୍ରବାର ଦିନ ବୁଗୁଡା ପୋଲିସ ଥାନା ପରିସରରେ ଗ୍ରାମବାସୀଙ୍କ ପ୍ରତିନିଧି, ବିରଞ୍ଚିନାରାୟଣ ମନ୍ଦିର ମହନ୍ତ ଓ ପ୍ରଶାସକଙ୍କ ଉପସ୍ଥିତରେ ଆଲୋଚନା ହୋଇ ସମାଧାନ ହୋଇଥିବା ଜଣାପଡିଛି। ଅଗଷ୍ଟ ୨୭ ତାରିଖ ବୁଧବାର ଦିନ ଆଦିପୁର ଗ୍ରାମବାସୀ ଜମିପଟ୍ଟା ଦାବୀକରି ସକାଳ ୭ ଘଣ୍ଟାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ। ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିବା ସହ ଗତକାଲି ତ୍ରିପାକ୍ଷୀକ ଆଲୋଚନା ବୁଗୁଡା ଥାନା ପରିସରରେ ହୋଇଥିଲା। ଏଥିରେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସ ଏବଂ ଆଦିପୁର ଗ୍ରାମର ପ୍ରତିନିଧି ଭାବେ ୧୫ ଜଣ ଯୋଗଦେଇଥିଲେ। ଗ୍ରାମବାସୀମାନେ ୨୦୦ ରୁ ଉର୍ଦ୍ଧ୍ବ ବର୍ଷ ହେଲା ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଜମିରେ ଘରଦ୍ୱାର ନିର୍ମାଣ କରି ବସବାସ କରି ଆସୁଥିଲେ ମଧ୍ୟ ସମସ୍ତ ଜମି ଶ୍ରୀ ବିରଞ୍ଚିନାରାୟଣ ସ୍ବାମୀଙ୍କ ମାର୍ଫତରେ ରହିଥିବା ବେଳେ ଆଦିପୁର ଗ୍ରାମ ରୟତମାନେ କୌଣସି ପ୍ରକାର ସରକାରୀ ସୁବିଧା ଓ ଅନ୍ୟାନ୍ୟ ସୁବିଧା ପାଇ ପାରୁନାହାଁନ୍ତି। ସେମାନଙ୍କ ନାମରେ ରୟତ ପଟ୍ଟା ଦେବାକୁ ଗ୍ରାମବାସୀ ଦାବୀ କରିଥିଲେ। ସେହି ବିଷୟରେ ଆଲୋଚନା ହୋଇ ଗ୍ରାମବାସୀମାନେ ଦେବୋତ୍ତର କମିଶନରଙ୍କୁ ଏହି ବିଷୟରେ ଆବେଦନ କରିବା ପରେ ନିର୍ଦ୍ଦେଶ ଆସିଲାପରେ ମହନ୍ତ ଭକ୍ତରାମ ଦାସ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଦିପୁର ଗ୍ରାମର କେତକ ରୟତ ଠାକୁରଙ୍କ ଭାଗ ଦେଇନଥିବା ନେଇ ବୈଠକରେ ମହନ୍ତ ଶ୍ରୀ ଦାସ ପ୍ରକାଶ କରିଥିଲେ। ସେହି ବିଷୟ ନେଇ ଆଦିପୁର ଗ୍ରାମବାସୀ ନିଜ ଗ୍ରାମରେ ଆଜି ବୈଠକ କରିଥିବା ବେଳେ ସେଠାକୁ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସ ମଧ୍ୟ ଯୋଗଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ