ଆଦିବାସୀଙ୍କ ଜମି ସୁରକ୍ଷା ଆନ୍ଦୋଳନକୁ ପ୍ରଫୁଲ ଓ ନିରଞ୍ଜନଙ୍କ ଦୃଢ ସମର୍ଥନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଆଦିବାସୀ ଲୋକମାନଙ୍କର ରାଜଭବନ ସମ୍ମୁଖରେ ନିଜର ଜମି ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଂଚିଛି । ଆଜି ମଧ୍ୟ ଏକ ବିଶାଳ ରାଲି ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଆରମ୍ଭ ହୋଇ ଲୋୟର ପିଏମ୍ଜି, ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା । ଆଦିବାସୀଙ୍କ ନିଜର ଜମିର ସୁରକ୍ଷା ଏବଂ ହକ୍ ପାଇଁ ବିଶେଷକରି ଓସିଏଲ୍ କର୍ତ୍ତୃପକ୍ଷଙ୍କର ଜୋର ଜବରଦସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଉପସ୍ଥିତ ରହି ଆଦିବାସୀଙ୍କ ଆନ୍ଦୋଳନକୁ ଦୃଢ ସମର୍ଥନ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଶଦ୍ଗାର କରିଥିଲେ । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସବୁଦିନ ପାଇଁ ଆପଣମାନଙ୍କ ସାଥୀରେ ଅଛି ଏବଂ ଆପଣମାନଙ୍କ ସବୁ ସମସ୍ୟା ସମ୍ପର୍କରେ ମୁଁ ଜଡ଼ିତ ରହିବି, ସାହାଯ୍ୟ କରିବି ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଏଠାେରେ ଉଲ୍ଲେଖନୀୟ ଯେ, ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ା ପଞ୍ଚାୟତର କୁକୁଡ଼ା ମୌଜାର ୪୦୬.୭୪ ଏକର ରୟତ ଜମି ଓ ଡ଼ିହବନ୍ଧ ମୌଜାର ୩୯.୦୧ ଏକର ରୟତ ଜମି ଅଲଣ୍ଡା ଗ୍ରାମପଞ୍ଚାୟତ, ଅଲଣ୍ଡା ମୌଜାର ୧୬୪.୮୧ ଏକର ରୟତ ଜମି, କେଶରମାଲ ଗ୍ରାମପଞ୍ଚାୟତର କେଶରମାଲ ମୌଜାର ୨୩୯.୨୫ ଏକର ରୟତ ଜମି, ରାଇବେର୍ଣ୍ଣ ମୌଜାର ୫୭.୮୦ ଏକର ରୟତ ଜମି ଏବଂ ଝଗଲପୁର ଗ୍ରାମ ପଞ୍ଚାୟତର ୮.୪୮ ଏକର ଜମି ଏବଂ ପ୍ରାୟ ୧୫୦ଏକର ସର୍ବସାଧାରଣ ଚାଷଜମିକୁ ଓସିଏଲ୍ ଲାଞ୍ଜିବେର୍ଣ୍ଣ ଖଣି ସମ୍ପ୍ରସାରଣ ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଜମି ଅଧିଗ୍ରହଣ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରାମସଭା ଦ୍ୱାରା ନାକଚ ହୋଇଯିବା ସତ୍ତ୍ୱେ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନରେ ଉପଯୁକ୍ତ କ୍ଷତିପୂରଣ ପାଇଁ ଓସିଏଲ୍ କମ୍ପାନୀ ଅନାଗ୍ରହ ପ୍ରକାଶ କରିଛି । କମ୍ପାନୀ ସ୍ୱଚ୍ଛତା ଅଧିକାର ଆଇନ୍ ୨୦୧୩ ଧାରା ୪୧ର ଅମାନ୍ୟ କରି ଅନୁସୂଚିତ ଜନଜାତିଙ୍କ ଜମିକୁ କମ୍ପାନୀ ନେବା ପାଇଁ ଜାଲିଆତି କାଗଜପତ୍ର ପ୍ରସ୍ତୁତ କରି ପ୍ରକ୍ରିୟାକୁ ଜିଲ୍ଲା ପ୍ରଶାସନ ପୂର୍ଣ୍ଣମାତ୍ରାରେ ପ୍ରଶାସନ ସହଯୋଗ କରୁଛି । ଏହାଦ୍ୱାରା ପ୍ରାୟ ୫ ହଜାର ପରିବାର ନିଜର ଚାଷଜମି ହରାଇବା ସହ ଏକହଜାର ପରିବାର ବିସ୍ଥାପିତ ହେବା ଭୟରେ ମହାମହୀମ ରାଜ୍ୟପାଳଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଏବଂ ଆଜି ଲୋୟର ପିଏମ୍ଜିରେ ରାଲି ମଧ୍ୟ କରିଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୨୪୪(୧) ଅନୁଯାୟୀ ମହାମହୀମ ରାଜ୍ୟପାଳଙ୍କ ଆଦିବାସୀଙ୍କ ଜମି ସୁରକ୍ଷା ପାଇଁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି ଏବଂ ଏହି କ୍ଷମତା ପ୍ରୟୋଗ କରି ଜମି ସୁରକ୍ଷା ପାଇବା ଆଶାରେ ମହାମହୀମ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡଃ ସି.ଏସ୍. ରାଜନ ଏକ୍କା ।