ଆଦିବାସୀପଲ୍ଲୀରେ ଶିଶୁ ଦିବସ ଶିଶୁ ପାଇଁ ଗଛଟିଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଶୁମାନେ ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର । ସେମାନେ ସର୍ବଦା ସୁସ୍ଥ ଓ ନିରୋଗ ରହିବା ଉଚିତ୍ । ଏକ ସୁସ୍ଥ, ସୁନ୍ଦର ଏବଂ ସ୍ୱଚ୍ଛ ପରିବେଶ ନିମନ୍ତେ ପିତାମାତା, ଶିକ୍ଷକ ଏବଂ ଗୁରୁଜନମାନଙ୍କର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ଶିଶୁକୈନ୍ଦ୍ରିକ ପରିବେଶ ସହ ଜଳବାୟୁ ପରିବର୍ତ୍ତନ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ ବୋଲି ଆଦିବାସୀପଲ୍ଲୀ କନ୍ଦଳେଇଠାରେ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଶିଶୁ ଦିବସ ଅବସରରେ ଆୟୋଜିତ ‘ଶିଶୁ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଛତାବର ଗ୍ରାମ ପଞ୍ଚାୟତର ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ, ସମ୍ମାନିତ ଅତିଥି ରୂପେ ପରିବେଶ୍ବିତ୍ ସୁଶାନ୍ତ ସାହୁ, ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ ଏବଂ କୁଳଭୂଷଣ ଜୈନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଲ୍ଲୀର ୫୦ଟି ପରିବାରକୁ ଦୁଇଟି ଲେଖାଏଁ ଉନ୍ନତମାନର ଲେମ୍ବୁଚାରା ବଣ୍ଟନ କରାଯିବା ସହ ଚାରାର ଯତ୍ନ ଓ ରକ୍ଷଣାବେକ୍ଷଣ ଏବଂ ଏହାର ଉପକାରିତା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ଏବଂ ତ୍ରିଲୋଚନ ବେଉରା, ସନ୍ତୋଷ ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।