ଆଦିବାସୀପଲ୍ଲୀ ସମ୍ବରବିନ୍ଧାରେ ଶୀତବସ୍ତ୍ର ପ୍ରଦାନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ରାଜ୍ୟକୁ ପୁଣି ଫେରିଛି ହାଡ଼ଭଙ୍ଗା ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳ ଠାରୁ ଆରମ୍ଭ କରି ସାରା ରାଜ୍ୟ ଶୀତ ପ୍ରକୋପରେ କଲବଲ । କେବଳ ଶୀତ ନୁହେଁ, ଘନ କୁହୁଡ଼ି ମଧ୍ୟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । କୁହୁଡ଼ି ଏପରି ହେଉଛି ମୁହଁକୁ ମୁହଁ ଦିଶୁନି । ଦିନ ସାରା କୋହଲା ପବନ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ସିଂଘାପଡ଼ା ପଞ୍ଚାୟତ ଅନ୍ତର୍ଗତ ସମ୍ବରବିନ୍ଧା ଆଦିବାସୀ ପଲ୍ଲୀରେ । ଗାଁଟି ବିକାଶ ଠାରୁ ବହୁ ଦୂରରେ । ପ୍ରତିଟି ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ । ସେମାନଙ୍କ ପକ୍ଷେ ଖଣ୍ଡିଏ ସୁଇଟର ବା ଚାଦର କିଣିବା ବଡ଼ କଷ୍ଟକର ।ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗ୍ରାମବାସୀମାନଙ୍କ ଦୁୁଃଖ ଦୁର୍ଦ୍ଦଶାକୁ ଅନୁଭବ କରି ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ ପଟ୍ଟନାୟକଙ୍କ ସ୍ମୃତିରେ ତାଙ୍କ ପୁତ୍ର ଡା. ସ୍ୱରୂପ ପଟ୍ଟନାୟକଙ୍କ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ସମ୍ବରବିନ୍ଧା ଗ୍ରାମର ୫୦ଟି ପରିବାରକୁ କମ୍ବଳ ବଣ୍ଟନ କରିଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସିଂଘା ପଡ଼ା ପଞ୍ଚାୟତର ପ୍ରତିନିଧି ପ୍ରକାଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି କମ୍ବଳ ଗୁଡ଼ିକୁ ବଣ୍ଟନ କରିଥିଲେ । ଶୀତବସ୍ତ୍ର ପାଇଥିବା ବ୍ୟକ୍ତିମାନେ ଏ ନେଇ ବେଶ୍ ଖୁସି ଥିବା ପରିଲକ୍ଷିତ ହୋଇଥିଲା । ଏହି ମହତ୍ ପଦକ୍ଷେପକୁ ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ ।


