ଆଦିବାସୀମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ଲଘୁ ବନଜାତ ଦ୍ରବ୍ୟର ଅଧିକ ସହାୟକ ମୂଲ୍ୟ
ନୂଆଦିଲ୍ଲୀ : କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ରାଜ୍ୟଗୁଡିକ ଗରିବ ଆଦିବାସୀ ଲୋକମାନଙ୍କ ଆୟ ବୃଦ୍ଧି ନେଇ ବିଭିନ୍ନ ପନ୍ଥା ନିର୍ଦ୍ଧାରଣ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ଟ୍ରାଇଫେଡ ବିଭିନ୍ନ ରାଜ୍ୟଗୁଡିକୁ ଲଘୁ ବନଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପରାମର୍ଶ ଦେଇଛି । ସମ୍ବିଧାନରେ ୨୭୫ (୧) ଅନୁସାରେ କମ ସମୟ ମଧ୍ୟରେ ତ୍ଵରିତ ଆୟ ବୃଦ୍ଧିରେ ଏହା ସହାୟକ ହେବ । ଏହି ପରାମର୍ଶକୁ ବିଭିନ୍ନ ରାଜ୍ୟ ସମର୍ଥନ ଦେଉଛନ୍ତି । ୧୭ଟି ରାଜ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହାକୁ ଦେଖି ୭ଟି ରାଜ୍ୟର କେତେକ ଘରୋଇ ସଂସ୍ଥା ନ୍ୟୁନତମ ସହାୟକ ମୂଲ୍ୟର ଉର୍ଦ୍ଧ୍ଵରେ ୪୦୦ କୋଟି ଟଙ୍କାର ବନଜାତ ଦ୍ରବ୍ୟ ସଂଗ୍ରହ କରିଛନ୍ତି । ସହାୟକ ମୂଲ୍ୟର ସମୟୋଚିତ ସଂଶୋଧନ ଘୋଷଣା ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଓ ଟ୍ରାଇଫେଡର ମିଳିତ ଉଦ୍ୟମ ଫଳରେ ଆଦିବାସୀମାନେ ଅଧିକ ଲାଭ ପାଇପାରିବେ । ଏଥିସହିତ ୬ଟି ରାଜ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ୪୦୩ କୋଟି ଟଙ୍କା ବନ ଧନ ବିକାଶ କେନ୍ଦ୍ରକୁ ପ୍ରଦାନ କରିଛନ୍ତି । ୭ଟି ରାଜ୍ୟ ସେମାନଙ୍କ ଯୋଜନା ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ଖୁବ ଶୀଘ୍ର ପ୍ରଦାନ କରିବେ । ଆଗରୁ ଆଦିବାସୀମାନଙ୍କ ଆୟ ବୃଦ୍ଧି ପାଇଁ ଆଦିବାସୀ ମନ୍ତ୍ରଣାଳୟ କେତେକ ପଦକ୍ଷେପ ଘୋଷଣା କରିଛି । ଲଘୁ ବନଜାତ ଦ୍ରବ୍ୟ ସାଧାରଣତଃ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ସର୍ବାଧିକ ସଂଗୃହିତ ହୋଇଥାଏ । ମନ୍ତ୍ରଣାଳୟ ସଂଗ୍ରହକାରୀଙ୍କ ପାଖରୁ ସିଧାସଳଖ ସାମଗ୍ରୀ କିଣିବା ଓ ଏହାର ବିପଣନ ପାଇଁ ଆଗରୁ ମାର୍ଗଦର୍ଶିକା ଜାରି କରିଛି । ଚଳିତ ବର୍ଷ ମେ’ ପହିଲା ଦିନ ସରକାର 50ଟି ଲଘୁ ବନଜାତ ଦ୍ରବ୍ୟର ସଂଶୋଧିତ ସହାୟକ ମୂଲ୍ୟରେ ଶତକଡା ୩୦ ରୁ ୯୦ ଭାଗ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି, ଯାହାକି ଆଦିବାସୀ ସଂଗ୍ରହକାରୀମାନଙ୍କ ଆୟ ବୁଦ୍ଧିରେ ସହାୟକ ହେବ । ଏହାଛଡା୨୩ ପ୍ରକାର ଅନ୍ୟାନ୍ୟ ଜିନିଷ ଲଘୁ ବନଜାତ ସାମଗ୍ରୀରେ ସାମିଲ ହୋଇଛି । ଏଗୁଡିକ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କୃଷି ଓ ଉଦ୍ୟାନ କୃଷି ସାମଗ୍ରୀ ଅନ୍ତର୍ଭୁକ୍ତ । ଏସବୁ ପଦକ୍ଷେପ ଆଦିବାସୀମାନଙ୍କ ଆୟ ବୃଦ୍ଧିରେ ବିଶେଷ ସହାୟକ ହେବ ।


