ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଭ୍ରାମ୍ୟମାଣ ଏଟିଏମ୍ ପ୍ରହସନ ପାଲଟିଅଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଭ୍ରାମ୍ୟମାଣ ଏଟିଏମ୍ ସେବ।। ପ୍ରହସନ ପାଲଟିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତ କିଛି ବର୍ଷ ପୂର୍ବେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଭ୍ରାମ୍ୟମାଣ ଏଟିଏମ୍ ସେବା ଆରମ୍ଭ କରାଯାଇଥିଲା । ତତ୍କକାଳୀନ ଜିଲ୍ଲାପାଳ ତଥା ଜିଲ୍ଲା ବ୍ୟଙ୍କର୍ସ କମିଟିର ଅଧ୍ୟକ୍ଷ ଅନୁପମ ସାହାଙ୍କ ପ୍ରଚେଷ୍ଟାରେ କିଛି ବ୍ୟାଙ୍କ ମାନେ ଭ୍ରାମ୍ୟମାଣ ଏଟିଏମ୍ ସେବା ଆରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା ଅପହଞ୍ଚ ଇଲାକାରେ ଲୋକେ ଏଟିଏମ୍ ଭଳି ସେବା ପାଇବେ । ଗରୀବ ତଥା ଆଦିବାସୀ ବହୁଳ ଗ୍ରାମବାସୀ ମାନେ ସମୟ ଓ ଅର୍ଥର ଅପଚୟ ନ କରି ନିଜ ନିଜ ଗ୍ରାମାଞ୍ଚଳରେ ଟଙ୍କା ଉଠାଣ କରିପାରିବେ । ତେବେ ବର୍ତ୍ତମାନ ଏହି ସେବା ପ୍ରଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବାର ଦେଖିବାକୁ ମିଳୁଛି । ୨୦୧୮ ଅକ୍ଟୋବର ଶେଷ ସପ୍ତାହରେ ପାରଳାଖେମୁଣ୍ଡି ଠାରେ ଥିବା ତତ୍କାଳୀନ ଆନ୍ଧ୍ର ବ୍ୟାଙ୍କ (ବର୍ତ୍ତମାନ ୟୁନିଅନ ବ୍ୟାଙ୍କ ସହ ସମିଶ୍ରଣ ହୋଇଯାଇଛି),ଏପରି କିଛି ବ୍ୟାଙ୍କ ତରଫରୁ ଏହି ଭ୍ରାମ୍ୟମାଣ ଏଡିଏମ୍ ସେବା ଆରମ୍ଭ କରାଯାଇଥିଲା । ଏହି ଭ୍ରାମ୍ୟମାଣ ଏଟିଏମ୍ ଗାଡି ଗାଁକୁ ଗାଁ ବୁଲି ସେବା ପ୍ରଦାନ କରୁଥିଲା । ଏଥି ଯୋଗୁଁ ଲୋକେ ବି ବହୁ ଉପକୃତ ହେଉଥିଲେ । ସେତେବେଳେ ଲୋକେ ଲମ୍ବାଲାଇନ ଲଗାଇ ଟଙ୍କା ଉଠାଣ କରୁଥିଲେ । ତେବେ ୨୦୨୦ ମାର୍ଚ୍ଚରେ କରୋନାର ପ୍ରଥମ ଲହର ଯୋଗୁଁ ସମଗ୍ର ଦେଶରେ ଲକ୍ଡାଉନ୍ ସଟ୍ଡାଉନ୍ ସହ କଟକଣା ଜାରି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଉକ୍ତ ଏଟିଏମ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ସେବେ ଠାରୁ ଏହି ସେବା ବନ୍ଦ ହୋଇ ପଡିଛି । ଭ୍ରାମ୍ୟମାଣ ଗାଡିଟି ବର୍ତ୍ତମାନ ବ୍ୟାଙ୍କ ସମ୍ମୁଖରେ ପଡି ରହିଥିବାର ଦେଖିବାକୁ ମିଳୁଛି । ଏହି ଭ୍ରାମ୍ୟମାଣ ଏଟିଏମ୍ ସେବା ଗତ ୨୦୨୦ ମାର୍ଚ୍ଚ ଶେଷ ସପ୍ତାହ ଠାରୁ ଏହାକୁ ବନ୍ଦ କରିଦେଇଥିବାର ବିଭିନ୍ନ ବ୍ୟାଙ୍କର ଏଟିଏମ୍ ବ୍ୟବହାର କାରୀ ମାନେ ଜଣାଇଛନ୍ତି । ତେବେ ଜିଲ୍ଲାରେ ଏଭଳି ଭ୍ରାମ୍ୟମାଣ ଏଟିଏମ୍ ନୁହଁ ସମସ୍ତ ସ୍ଥାୟୀ ଏଟିଏମରେ ବିଭିନ୍ନ ସମସ୍ୟା ଦେଖା ଦେଉଥିବାର ଜଣାପଡିଛି । କେଉଁଠି ନେଟୱର୍କ ସମସ୍ୟା ତ କେଉଁଠି ବ୍ୟାଙ୍କ ଗୁଡିକ ଆବଶ୍ୟକୀୟ ରକ୍ଷଣାବେକ୍ଷଣ କରୁନଥିବା, ନଗଦ ଭର୍ତ୍ତି ନକରିବା ଆଦି ଯୋଗୁଁ ଏହି ସ୍ଥାୟୀ ଏଟିଏମ୍ ଗୁଡିକ ଅଚଳା ଅବସ୍ଥାରେ ପଡିରହିଛି । ଏପରିକି ପାରଳାଖେମୁଣ୍ଡି ସହରରେ ଥିବା ପ୍ରାୟ ୨୦ରୁ ଉର୍ଦ୍ଧ ଏଟିଏମର ମଧ୍ୟ ଏପରି ସମଦଶା ଦେଖିବାକୁ ମିଳୁଛି । ଯଦି ଜିଲ୍ଲା ସଦର ମହକୁମାରେ ଏପରି ପରିସ୍ଥିତି ତେବେ ଗ୍ରାମାଞ୍ଚଳ ଗୁଡିକରେ ଥିବା ଏଟିଏମ୍ର ଅବସ୍ଥା କିପରି ଥିବ ତାହା ସହଜେ ଅନୁମେୟ ।