ଆଦିବାସୀ ପଲ୍ଲୀରୁ ସବୁଜ ଦୀପାବଳିର ସନ୍ଦେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗକୁ ଆସୁଛି ଦୀପାବଳି । ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣ ଓ ବିପଦ ମୁକ୍ତ କରିବା ପାଇଁ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ଆଦିବାସୀ ପଲ୍ଲୀ କନ୍ଦଳେଇର କୁନି କୁନି ବିଦ୍ୟାର୍ଥୀ ଦେଇଛନ୍ତି ସବୁଜ ଦୀପାବଳିର ବଳିଷ୍ଠ ସନ୍ଦେଶ । ସାମାଜିକ ଅନୁଷ୍ଠାନ ‘ବୁଲସ୍‌ଆଇ’ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଅତିଥି ରୂପେ ପରିବେଶବିତ୍ ସୁଶାନ୍ତ ସାହୁ ଯୋଗ ଦେଇ ‘ସେ ନୋ ଟୁ କ୍ରାକର୍ସ’କୁ ସମର୍ଥନ କରି କହିଥିଲେ ଦେଶର ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଦୀପାବଳି ସମୟରେ ହୋଇଥାଏ । ବାଣରୁ ନିର୍ଗତ ଧୂଆଁରେ ସଲ୍‌ଫର୍ ଡାଇଅକ୍ସାଇଡ୍‌, କାର୍ବନ ଡାଇଅକ୍ସାଇଡ୍ ଓ କାର୍ବନ ମନୋଅକ୍ସାଇଡ୍ ପରି ମାରାତ୍ମକ ଗ୍ୟାସ୍ ଶ୍ୱାସ ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ଶବ୍ଦ ପ୍ରଦୂଷଣର ଜ୍ୱାଳା ମଧ୍ୟ ଭୋଗିବାକୁ ପଡିଥାଏ । ଅନୁଷ୍ଠାନର ଅଧ୍ୟକ୍ଷ ତ୍ରିଲୋଚନ ବେଉରା କହିଥିଲେ ବାଣ ଫୁଟାଇବା ଦ୍ୱାରା ଅନେକ ଜୀବଜନ୍ତୁ ଓ ପକ୍ଷୀମାନଙ୍କ ଜୀବନହାନୀ ଘଟିବା ସହ ଜୀବଜଗତକୁ ପ୍ରଭାବିତ କରିଥାଏ । ଅଗ୍ନିକାଣ୍ଡ ଘଟି ଅନେକ ଗରିବଙ୍କ ଘର ପୋଡି ହୋଇଯିବା ସହ ଧନ, ଜୀବନ ମଧ୍ୟ ନଷ୍ଟ ହୋଇଥାଏ । ଏଣୁ ବାଣ ନ ଫୁଟାଇ କେବଳ ଦୀପ ଜାଳି ଉତ୍ସବ ପାଳନ କରିବା ପାଇଁ ଗାଁର କୁନି କୁନି ବିଦ୍ୟାର୍ଥୀମାନେ ଗ୍ରାମବାସୀଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଯାହାକି ଏକ ସବୁଜ ସୁନ୍ଦର ପରିବେଶ ତିଆରିରେ ବେଶ୍ ସହାୟକ ହୋଇପାରିବ । କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ସୁବାସ ଓଝା, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Advertisement

ଏବେ ଏବେ