ଆଦିବାସୀ ମହିଳାଙ୍କ ପ୍ରସବ ପରେ ଶିଶୁପୁତ୍ର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲେ ଉପ ଜିଲ୍ଲାପାଳ
ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ସହରରେ ରାସ୍ତାକଡରେ ଗର୍ଭବତୀ ମହିଳାଙ୍କ ପ୍ରସବ ପରେ ଶିଶୁପୁତ୍ର ମୃତ୍ୟୁ ଘଟଣାର ମୁଖ୍ୟମନ୍ତ୍ରୀ ସଂଜ୍ଞାନ ନେବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ବୁଧବାର ତଦନ୍ତ ଆରମ୍ଭ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହି ଘଟଣାର ତଦନ୍ତ ପାଇଁ ଯୋଡା ସହରରେ ଥିବା ଟାଟାଷ୍ଟିଲ ଡାକ୍ତରଖାନାକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ଏଥିରେ ଟାଟାଷ୍ଟିଲ ମୁଖ୍ୟ ଚିକିତ୍ସାଧିକାରୀ ମହେନ୍ଦ୍ର କୁମାର ତ୍ରିପାଠୀ, ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ଦେବଯାନୀ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତର ଓ କର୍ମଚାରୀ ମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ପରେ ଟାଟା କୋଭିଡ ହସ୍ପିଟାଲ ଯାଇ କରୋନା ରୋଗରେ ପିଡୀତ ଉଭୟ ଶିଶୁ ହରାଇଥିବା ମହିଳା ସୁକୁମତୀ ପୂର୍ତ୍ତୀ ଓ ତାଙ୍କ ସ୍ୱାମୀ କପିଳାସ ନାଏକଙ୍କୁ ଭେଟି ପଚାରି ବୁଝିଥିଲେ । ତାଙ୍କ ଠାରୁ ସମସ୍ତ ସମସ୍ୟା ବୁଝିବା ପରେ ସେଠାରୁ ଯୋଡା ସରକାରୀ ଡାକ୍ତରଖାନାରେ ପହଂଚି ଉକ୍ତ ଘଟଣା ସଂକ୍ରାନ୍ତରେ ତଦନ୍ତ କରିଥିଲେ । ଏସମ୍ପର୍କରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଖବରଦାତା ମାନଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପ୍ରାରମ୍ଭିକ ତଦନ୍ତରୁ ଟାଟାଷ୍ଟିଲର ଅବହେଳା ଜଣାପଡିଛି । ଆନୁଷ୍ଠାନିକ ଭାବେ ତଦନ୍ତ ରିପୋର୍ଟ ବେଳେ ରାସ୍ତାକଡରେ ପ୍ରସବ ପ୍ରସୂତୀ ମହିଳାଙ୍କର ସମସ୍ତ ତଥ୍ୟର ରିପୋର୍ଟ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ଘଟିଥିବା ଉକ୍ତ ଦୁଃଖଦ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚମ୍ପୁଆ ଉପଜିଲ୍ଲାପାଳ କହିଥିଲେ । ଟାଟାଷ୍ଟିଲ ଡାକ୍ତରଖାନାରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ତଦନ୍ତ ବେଳେ ଯୋଡା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ,ଟାଟାଷ୍ଟିଲ ମୁଖ୍ୟ ରାଜେଶ କୁମାର,ଟାଟାଷ୍ଟିଲ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ମହେନ୍ଦ୍ର କୁମାର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ରାସ୍ତାକଡରେ ହୋଇଥିବା ପ୍ରସବ ଘଟଣାକୁ ନିନ୍ଦା କରିଥିଲେ ।