ଆଦିବାସୀ ମହିଳା ଯନ୍ତ୍ରୀ ବୋଲି ଅବହେଳା ଅଭିଯୋଗ
କରଞ୍ଜିଆ,(ଜିତେନ୍ଦ୍ର ରାଜ) :ଜଣେ ଆଦିବାସୀ ଝିଅ ନିଜ ଛାତ୍ରୀ ଜୀବନରୁ ବହୁ ବାଧା ବିଘ୍ନ କୁ ସମ୍ମୁଖୀନ କରି ପାଠ ପଢିବା ପରେ ଏକାବେଳକେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଲେ ଆଦିବାସୀ ଝିଅ ମୋନାଲିସା l ତାଙ୍କ ମନରେ ନାହିଁ ନଥିବା ଆନନ୍ଦ l ନିଜେ ଆଦିବାସୀ ଝିଅ ଏବଂ ପ୍ରଥମ ଚାକିରୀ ମଧ୍ୟ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକରେ ଏହା ଶୁଣି ତାଙ୍କ ଓ ତାଙ୍କ ପରିବାର ରେ ଆନନ୍ଦ କହିଲେ ନସରେ l ପାଠ ପଢିବା ପରେ ନିଜ ସମ୍ପ୍ରଦାୟ ପାଇଁ ସେବା କରିବାର ଅପୂର୍ବ ସୁଯୋଗ ପାଇଥିଲେse l କରୋନା ମହାମାରୀ ପରି ସମସ୍ୟା ଅତିକ୍ରାନ୍ତ ହେଉ ହେଉ ମୋନାଲିସାଙ୍କୁ ମିଳିଲା ଚାକିରୀ l ସେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ ଜାନୁଆରୀ ୧୧,୨୦୨୨ ରେ କାର୍ଯ୍ୟ ରେ ଯୋଗ ଦିଅନ୍ତି କରଞ୍ଜିଆ ବ୍ଲକରେ l
ନୂଆ ଚାକିରୀ, ସରଳ ଆଦିବାସୀ ଝିଅ ବୁଝି ପାରନ୍ତି ନାହିଁ ରାଜନୀତିର ଅଡୁଆ ଅଙ୍କ l ଚାକିରୀର ସ୍ୱାଦ ଚାଖିବା ଓ ଅଞ୍ଚଳ ରେ ସେବା ଯୋଗାଇବା ପୂର୍ବରୁ ମୋନାଲିସା ପେଷି ହୋଇଯାଆନ୍ତି ରାଜନୀତି ଓ ପ୍ରଶାସନର ଚକ୍ରବ୍ୟୁହରେ l ପାଠ ପଢି ଚାକିରୀ ସିନା ପାଇଗଲେ ମାତ୍ର ରାଜନୈତିକ ଚକ୍ରବ୍ୟୁହରୁ ବାହାରିବାର ରାସ୍ତା ଖୋଜି ପାଇନାହାନ୍ତି ସେ l ଆଦିବାସୀ ଝିଅ ବୋଲି ସାହାଯ୍ୟ ସହଯୋଗ କରିବାକୁ ତାଙ୍କ ନିକଟରେ କେହି ନାହାନ୍ତି l ଝିଅ ପିଲା ହୋଇ ରାଜନୈତିକ ଓ ପ୍ରଶାସନିକ ଚକ୍ରବ୍ୟୁହ ବିରୋଧ ରେ ସେ ଏକାକୀ ଲଢ଼ୁଛନ୍ତି ଅଭିମନ୍ୟୁ ଭଳି l ଏଭଳି ଘଟଣାଟି ଘଟିଛି ମୋନାଲିସା ନାଏକଙ୍କ ଜୀବନରେ l
କରଞ୍ଜିଆ ବ୍ଲକରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେବାର ମାତ୍ର ୪ ମାସ ର ବ୍ୟବଧାନରେ ରାଜନୈତିକ ଚକ୍ରବ୍ୟୁହ ରେ ବଦଳି ନକରି ଡେପୁଟେସନରେ ପ୍ରଥମେ ବହଳଦା ବ୍ଲକ କୁ ତାଙ୍କୁ ପଠାଗଲାl
ତତ୍କାଳୀନ ବିଜେଡି ସରକାରରେ ରାଜ୍ୟ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଥିବା ସ୍ଥାନୀୟ କରଞ୍ଜିଆ ବିଧାୟିକାଙ୍କ ଇଙ୍ଗିତରେ ଚାଲୁଥିଲା ସବୁକିଛି l ତାଙ୍କର ଅତି ଖାସ ଲୋକଥିବା ଯନ୍ତ୍ରୀ ଙ୍କୁ ପୂର୍ଣ୍ଣ କ୍ଷମତା ଦେବାପାଇଁ ବଳି ପକେଇଥିଲେ ଆଦିବାସୀ ଅଧିକାରିଣୀ ମୋନାଲିସାଙ୍କୁ l ମୋନାଲିସାଙ୍କୁ ବିଦା କରିବା ଦିନରୁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଏବେବି ଏକାକୀ ଉଭୟ ଦାୟିତ୍ୱ ତୁଲାଇ ଆସୁଛନ୍ତି l ଏହା ଅତ୍ୟନ୍ତ ରହସ୍ୟଜନକ l
ମୋନାଲିସା ଚାକିରୀ କରୁ କରୁ ଡେପୁଟେସନରେ ଯାଇ ବହଳଦାରେ କାମ କରିବାକୁ ଆରମ୍ଭ କରିବା ବେଳେ ପୁନଶ୍ଚ ଗୋଟିଏ ବର୍ଷ ବ୍ୟବଧାନରେ ଜୁଲାଇ 2023 ରେ ପଠେଇଲେ ବିଜତଳା ବ୍ଲକ l ସେଠାରେ ଦେଢ଼ ବର୍ଷ ମଧ୍ୟରେ ,2025 ଫେବୃଆରୀରେ ପୁନଶ୍ଚ ଡେପୁଟେସନରେ ଜିଲ୍ଲା ପରିଷଦ ବାରିପଦାକୁ ପଠାଇ ଦିଆଯାଇଛି l ତେବେ ୩ ବର୍ଷ ମଧ୍ୟରେ ୩ ସ୍ଥାନକୁ ବଦଳି ବାଡେପୁଟେସନ ପଛରେ ରହସ୍ୟ କଣ? କାହା ସ୍ୱାର୍ଥ ପାଇଁ ଜଣେ ନିରୀହ ଆଦିବାସୀ ମହିଳାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l
ପୂର୍ବରୁ ବିଜେଡି ସରକାର ଥିଲା l ଦଳୀୟ ନେତା କର୍ମୀଙ୍କୁ ସୁବିଧା ଯୋଗାଇ ଦେବା ରେ ବା ଦଳୀୟ ନେତା ଓ କର୍ମୀ ଏବଂ ବରିଷ୍ଠ ଅଧିକାରୀ ଙ୍କ ସ୍ୱାର୍ଥ ରେ ବାଧା ଆସୁଥିବା ଯେକୌଣସି କର୍ମଚାରୀ ଓ ଅଧିକାରୀ ଯିଏ ହୋଇଥିଲେ ମଧ୍ୟ ଏଭଳି ହଇରାଣରେ ପକାଯାଉଥିଲା l ସେତେବେଳର କ୍ଷମତାଶାଳୀ ସରକାରକୁ ପ୍ରଶ୍ନ କରିବାର କ୍ଷମତା ମଧ୍ୟ କାହାରି ନଥିଲା l ମାତ୍ର ଏବେ ରାଜ୍ୟରେ ସରକାର ବଦଳିଛି l ଅଥଚ ବଦଳୁ ନାହିଁ ପ୍ରଶାସନର ମତି ଗତି l ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଝିଅ ଏବେ ବାରଦୁଆର ଶୁଣ୍ଢୀ ପିଣ୍ଡା ହୋଇ ବୁଲୁଛନ୍ତି l ତାଙ୍କ ଚାକିରୀ ଗୋଟେ ଜାଗାରେ ଦରମା ଅନ୍ୟ ଗୋଟିଏ ଜାଗାରେ l
ମୋନାଲିସା କରଞ୍ଜିଆରୁ ବହଳଦା, ବିଜତଳା ଦେଇ ବାରିପଦା ପହଞ୍ଚି ଥିଲେବି ଆଜିଯାଏ କରଞ୍ଜିଆ ବ୍ଲକରୁ ଦରମା ପାଉଛନ୍ତି
ଜଣେ ଆଦିବାସୀ ନେତ୍ରୀ ହୋଇ ମଧ୍ୟ ଜଣେ ଆଦିବାସୀ ମହିଳାଙ୍କୁ ତତ୍କାଳୀନ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ନିଜ ସ୍ୱାର୍ଥ ରକ୍ଷା ପାଇଁ ବଳି ପକାଇବାକୁ ପଛଘୁଞ୍ଚା ନଦେଇ ନିଜକ୍ଷମତା ର ବ୍ୟବହାର କରି ରାଜନୈତିକ ଓ ପ୍ରଶାସନିକ ଅବହେଳା ପ୍ରଦର୍ଶନ କରିବା ତାଙ୍କ ମହିଳା ଓ ଆଦିବାସୀ ଙ୍କ ପ୍ରତି ଅନୁସୂୟା ମନୋଭାବ କୁ ପ୍ରଦର୍ଶିତ କରୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି
କଣ ସେ ଜଣେ ଆଦିବାସୀ ଝିଅ ବୋଲି କଣ୍ଢେଇ ଭଳି ନାଚୁଥିବେ, ଏବେ ଏହି ପ୍ରଶ୍ନ ହିଁ ସମସ୍ତଙ୍କ ମୁହଁରେ l
ଯେଉଁ ଜିଲ୍ଲାର ଆଦିବାସୀ ଝିଅ ଏବେ ଏ ଦେଶର ପ୍ରଥମ ନାଗରିକ ଓ ସେହି ଜିଲ୍ଲାରେ ଜଣେ ଆଦିବାସୀ ଝିଅ ତଥା ବର୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱଧିନ ଚାକିରୀ ଜୀବନରେ ନିର୍ଯ୍ୟାତନାର କାହାଣୀ ଏବେ ସମସ୍ତଙ୍କୁ ଚକିତ ଓ ବ୍ୟଥିତ କରିଛି l ତେବେ ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା କେବଳ ଧୂଆଁବାଣ ନା ବାସ୍ତବତା ବୋଲି ଚର୍ଚ୍ଚା ହେଉଛି l ତେବେ ଦେଖିବାକୁ ବାକି ରହିଲା ଲୋକଙ୍କ ବୋଲାଉ ଥିବା ମୋହନ ମାଝୀ ଙ୍କ ନେତୃତ୍ୱାଧୀନ ସରକାର ଏବେ ଆଦିବାସୀ ଝିଅକୁ ନ୍ୟାୟ ଦେଉଛି କି ନାହିଁ
ନା ଏବେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ନେତୃତ୍ୱାଧୀନ ସରକାର ରେ ସେହି ବିଜେଡି ସରକାର ର ନିୟମ କୁ ଲାଗୁ କରାଇ ମୋନାଲିସା ଙ୍କୁ କରଞ୍ଜିଆ ରେ ନିଯୁକ୍ତି ନକରି ପୁଣି ଆଉ କେଉଁଠାକୁ ଡେପୁଟେସନ ବା ବଦଳି କରାଉଛନ୍ତି ଦେଖିବାକୁ ବାକି ରହିଲା.