ଆଦିବାସୀ ମାନ୍ୟତା ଦାବୀରେ କମାର ସମାଜର ବିରାଟ ଶୋଭାଯାତ୍ରା ଓ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କୋରାପୁଟ,(ହେମନ୍ତ ପାଣଗ୍ରାହୀ): ଆଦିବାସୀ ମାନ୍ୟତା ଦାବୀରେ ମଙ୍ଗଳବାର କୋରାପୁଟ ଜିଲ୍ଲା ବନବାସୀ କମାର (ବିନ୍ଧାଣି) ସମାଜ ବିରାଟ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବୀପତ୍ର କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବରଙ୍କୁ ପ୍ରଦାନ କରିଛନ୍ତି। କମାର ସମାଜର ଦାବୀ ଅନୁଯାୟୀ ସେମାନେ ବ୍ରିଟିଶ ଶାସନ ସମୟରେ ଆଦିବାସୀ (ହିଲ ତ୍ରାଇବ)ମାନ୍ୟତା ପାଇଥିଲେ। ଆଜି ମଧ୍ୟ ନିଷ୍ପେସିତ ଅବସ୍ଥାରେ ଜୀବନ ନିର୍ବାହ କରୁଛନ୍ତି। କୌଳିକ ବୃତ୍ତି ଭାବେ ଲୁହା କାମ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ୧୯୫୦ ମସିହାରୁ ସେମାନଙ୍କୁ ଆଦିବାସୀ ତାଲିକାରୁ ହଟାଇ ପଛୁଆ ବର୍ଗ ମାନ୍ୟତା ଦିଆ ଯାଇଛି। ଫଳରେ କମାର ସମ୍ପ୍ରଦାୟର ଲୋକ କୌଣସି ସରକାରୀ ଯୋଜନାରେ ସାମିଲ ହୋଇ ପାରୁ ନାହାଁନ୍ତି। ବର୍ତ୍ତମାନ ମଧ୍ୟ କମାର ଜାତିରେ ଆଦିବାସୀ ମାନଙ୍କ ଭଳି ଚୈତ୍ର ପର୍ବ, ପୁଷ ପର୍ବ ପାଳନ ସହ ନିଶାନୀମୁଣ୍ଡାରେ ପୂଜା କରିବା ଏବଂ ଆଦିବାସୀ ମାନଙ୍କ ସାଜ୍ଞା ଖିଲ, ଖରା, କମାର, ଗଲୋରି, ନାୟକ, ପାଙ୍ଗି, ହନ୍ତାଲ, ବୁରୁଡୀ କମାର ଜାତିରେ ରହିଛି। ପରମ୍ପରା ଓ ସଂସ୍କୃତି, ପୋଷାକ ପରିଧାନରେ ମଧ୍ୟ ସାମଞ୍ଜସ୍ୟ ରହିଛି, ତେଣୁ କମାର ଜାତିକୁ ଆଦିବାସୀ ମାନ୍ୟତା ଦେବା ନିମନ୍ତେ ଗତ ୧୫ ବର୍ଷ ହେଲା ସମାଜ ପକ୍ଷରୁ ଦାବୀ କରା ଯାଉଛି। ଏପରିକି କମାର ସମାଜକୁ ଆଦିବାସୀ ମାନ୍ୟତା ଦେବା ଓ ସେମାନଙ୍କ ଦାବୀ ଉପରେ ବହୁ ପୁର୍ବରୁ ବିଧାୟକ ରାମ ଚନ୍ଦ୍ର କାଡାମ ଓ ପୁର୍ବତନ ରାଜ୍ୟ ସଭା ସାଂସଦ ଏନ୍, ଭାସ୍କର ରାଓ ବିଧାନସଭା ଓ ରାଜ୍ୟ ସଭାରେ ଆଲୋଚନା କରିଥିଲେ। ଗତ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ମାନ୍ୟତା ଦେବାକୁ ସହମତି ପ୍ରକାଶ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରି ହୋଇନାହିଁ। ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସମେତ ୮ ଟି ରାଜ୍ୟରେ କମାର ଜାତିକୁ ଆଦିବାସୀ ମାନ୍ୟତା ଦିଆ ଯାଇଛି ତେଣୁ ଓଡ଼ିଶାରେ ମଧ୍ୟ ତୁରନ୍ତ ଆଦିବାସୀ ମାନ୍ୟତା ଦେବାକୁ ଦାବୀ କରା ଯାଇଛି। ଜିଲ୍ଲା ସଭାପତି ଭଗବାନ ଗୋଲରି, ଉପସଭାପତି ମଧୁ ସୁଦନ ନାୟକ, ସମ୍ପାଦକ ମାଧବ ଗୋଲରି,ଯୁଗ୍ମ ସମ୍ପାଦକ ଘେନୁ ଗୋଲରିଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଆସି ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ