ଆଦିବାସୀ ଶିକ୍ଷୟିତ୍ରୀଙ୍କୁ ସିଆରସିସିଙ୍କ ଆକ୍ରମଣର ପ୍ରତିବାଦ ଦୃଢ଼ କାର୍ଯ୍ୟାନୁଷ୍ଠା ଦାବି କଲା ଜିଲା ଆଦିବାସୀ ଛାତ୍ର ସଂଘ
ବାଲେଶ୍ୱର, (ସରୋଜ ପଣ୍ଡା):ଗଡ଼ପଦା ପ୍ରାଇମେରୀ ସ୍କୁଲ ଶିକ୍ଷୟିତ୍ରୀ ମିନତୀ ସୋରେନଙ୍କୁ ସିଆରସିସି ଅନୀଲ କୁମାର ପାତ୍ରଙ୍କ ଆକ୍ରମଣ ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବାଲେଶ୍ୱର ଜିଲା ଆଦିବାସୀ ଛାତ୍ର ସଂଘ । ସଂଘର କର୍ମକର୍ତ୍ତା ଓ ବହୁ ସଦସ୍ୟ ସଦସ୍ୟା ଶୁକ୍ରବାର ଅତିରିକ୍ତ ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ ସହ ଅହଙ୍କାରୀ ସିଆରସିସି ଶ୍ରୀ ପାତ୍ରଙ୍କ ଅମାନବୀୟ କାର୍ଯ୍ୟଧାରା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ବସ୍ତା ଅନ୍ତର୍ଗତ ଗଡ଼ପଦା ପ୍ରାଇମେରୀ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଥିବା ବେଳେ ମିନତୀ ସୋରେନଙ୍କଠାରୁ ବିଦ୍ୟାଳୟର ଏକ ଗୃହରେ ସିଆରସିସି ଅନୀଲ କୁମାର ପାତ୍ର ନିଜର କିଛି ବହି ରଖିଥିଲେ । ଏହି ଘରେ ତାଲା ମାରି ଶ୍ରୀ ପାତ୍ର ନିଜ ପାଖରେ ଚାବି ରଖିଥିଲେ । ୨/୩ ସପ୍ତହ ପରେ ସେ ବହି ନେଇଯିବେ ବୋଲି କହିଥିଲେ । ମାତ୍ର ଚାବି ମାଗିଲେ ଶ୍ରୀମତୀ ସୋରେନଙ୍କୁ ଆଉ କିଛିଦିନ ପରେ ଦେବେ ବୋଲି ଉତ୍ତର ଦେଇଥା’ନ୍ତି । ତେବେ ୨ମାସ ପୂର୍ବରୁ ବଳରାମ ବେହେରା ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେବା ପରେ ଚାର୍ଯ ହସ୍ତାନ୍ତର ବେଳେ ସମ୍ପୃକ୍ତ ଗୃହ ବାବଦରେ ସେ ଶିକ୍ଷୟିତ୍ରୀ ଶ୍ରୀମତୀ ସୋରେନଙ୍କଠାରୁ ଅବଗତ ହୋଇଥିଲେ । ତେବେ ଗତ ୩୧ ତାରିଖରେ ବିଦ୍ୟାଳୟ ମନିଟରିଂ ପାଇଁ ଆସିଥିବା ସିଆରସିସି ଶ୍ରୀ ପାତ୍ରଙ୍କୁ ସମ୍ପୃକ୍ତ ଗୃହ ଚାବି ଶ୍ରୀମତୀ ସୋରେନ ମାଗିଥିଲେ । ଏଥିରେ ସିଆରସିସି ଶ୍ରୀ ପାତ୍ର ଉତ୍ତ୍ୟକ୍ତ ହୋଇ ଶ୍ରୀମତୀ ସୋରେନଙ୍କ ଛାତିକୁ ଧକ୍କା ଦେଇ ତାଙ୍କ ହାତକୁ ମୋଡ଼ି ଦେଇଥିଲେ । ସେ ତଳେ ପଡ଼ିଯିବା ତାଙ୍କୁ ଘୋସାରି ଘୋସାରି ଗେଟ ପର୍ଯ୍ୟନ୍ତ ନେଇ ଯାଇଥିଲେ ବୋଲି ସେତେବେଳେ ଅଭିଯୋଗ ହୋଇଥିଲା । ଏହି ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବସ୍ତା ବିଇଓଙ୍କୁ ଜଣାଇଥିଲେ । ମାତ୍ର କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପ୍ରଧାନ ଶିକ୍ଷକଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ସୋରେନ ଗତ ୧୦ତାରିଖରେ ରୂପସା ଥାନାରେ ଏତଲା ଦେଇଥିଲେ । ୮୫/୨୨ ନଂର ମାମଲା ରୁଜୁ କରି ପୁଲିସ ଏବେ ଚୁପ ହୋଇ ବସିଛି ବୋଲି ଆଦିବାସୀ ଛାତ୍ରସଂଘ କର୍ମର୍ତ୍ତାମାନେ ଆରୋପ କରିଛନ୍ତି । ଜଣେ ଆଦିବାସୀ ଶିକ୍ଷୟିତ୍ରୀ ପ୍ରତି ହୋଇଥିବା ଏହି ଆକ୍ରମଣ ମାମଲାର ତୁରନ୍ତ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆଦିବାସୀ ଛାତ୍ର ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସଂଘ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ପ୍ରଦୀପ ମାରାଣ୍ଡି, ଗଣେଶ ଚନ୍ଦ୍ର ସୋରେନ, ଯମୁନା ମାଝୀ, ସନତ ମାଝୀ, ସଂଜୟ କୁମାର ମାଝୀ ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


