ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ : ମହାବିଦ୍ୟାଳୟ ସ୍ତରରେ ଅଲିଚିକି ଭାଷା ପାଠ୍ୟକ୍ରମ ଆରମ୍ଭ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ସାନ୍ତାଳିଙ୍କ ଭାଷା ଅଲିଚିକି ଲିପିର ବିକାଶ ଓ ପ୍ରଚଳନର ମୁଖ୍ୟ ପୁରୋଧା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ତମ ଜୟନ୍ତୀ ସୋମବାର ସ୍ଥାନୀୟ ଟାଉନହଲ ପରିସରରେ ପାଳିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ଦରବାରରେ ଆଦିବାସୀ ସମ୍ପ୍ରଦାୟକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନରେ ପଣ୍ଡିତ ମୁର୍ମୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଆଦିବାସୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ପଣ୍ଡିତ ମୁର୍ମୁଙ୍କ ସ୍ୱପ୍ନକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କର ସାମଗ୍ରିକ ଅଗ୍ରଗତି ନିମନ୍ତେ ପଦକ୍ଷେପ ନେଉଛନ୍ତି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଯଦୁନାଥ ହାଁସଦା, ଚାନ୍ଦିପୁର ଆଇଟିଆର୍‌ର ଟେକ୍ନିକାଲ ଅଫିସର ଫଗୁ ହେମ୍ରମ୍‌, ବାଲେଶ୍ୱର ଅଗ୍ନିସମ ବିଭାଗର ଆସିଷ୍ଟାଣ୍ଟ ଫାୟାର ଅଫିସର ପୋରେନ ସୋରେନ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ପଣ୍ଡିତ ମୁର୍ମୁଙ୍କ ଜୀବନାଦର୍ଶର ସ୍ମୃତି ଚାରଣ କରିଥିଲେ । ବାଲେଶ୍ୱରର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କ ମଧ୍ୟରେ ସଂସ୍କୃତି, ପରମ୍ପରା, ଇତିହାସ ଓ ପୂର୍ବପୁରୁଷଙ୍କ ସମ୍ପର୍କରେ ଯୋଡି ରଖିବା ପାଇଁ ଏହି ଭଳି କାର୍ଯ୍ୟକ୍ରମ ବେଶ ଉପାଦେୟ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଅଲିଚିକି ଭାଷାରେ ସ୍ନତକ ଓ ସ୍ନାତକୋତର ପାଠ୍ୟକ୍ରମ ପ୍ରଚଳନ ଉଦ୍ୟମ ପାଇଁ ଅତିଥିମାନେ ବିଧାୟକ ଶ୍ରୀ ଦାସଙ୍କୁ ନିବେଦନ କରିଥିଲେ । ବାଲେଶ୍ୱର ଆଦିବାସୀ ଛାତ୍ର ସଂଘର ସଭାପତି ପ୍ରବୀର ମାରାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟ ହେମ୍ରମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି ଯମୁନା ମାଝୀ, ଉପ-ସଭାପତି ଗଣେଶ ଚନ୍ଦ୍ର ସୋରେନ, ସମ୍ପାଦକ ସନତ ମାଝୀ, ସହ ସମ୍ପାଦକ ଦୀପକ କୁମାର ଟୁଡୁ ପ୍ରମୁଖଙ୍କ ସମେତ ଦୀପା ମାଝୀ, ଫୁଲ ସୋରେନ, ସଞ୍ଜୟ ମାଝୀ, ଦୀପକ ହାଁସଦା, ଗୋବିନ୍ଦ ମାରାଣ୍ଡି, ଗୌତମ ସିଂ, ସୁମିତ୍ରା ହେମରମ, ପ୍ରିୟଙ୍କା ସୋରେନ, ପରମାନନ୍ଦ ମାଝୀ, ବିକାଶ ମାଝୀ, ସାହିଲ ହେମରମ, ନିବେଦିତା ମୁର୍ମୁ, ପୂର୍ଣ୍ଣମା ସୋରେନ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ