ଆଧୁନିକୀକରଣ ଆଳରେ ମୋଦି ସରକାର ରେଳ ଘରୋଇକରଣ ଉଦ୍ୟମ କରୁଛନ୍ତି

ବାଲେଶ୍ୱର, (ସରୋଜ ପଣ୍ଡା):ଆଧୁନିକିକରଣ ଆଳରେ ରେଳବାଇର ଘରୋଇକରଣ ଯୋଗୁଁ ବାହାନାଗାରେ ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି ଲୋକସଭାର ବିରୋଧୀ ଦଳ ନେତା ବାଲେଶ୍ୱର ଗସ୍ତ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରୋପ ଉଠାଇଛନ୍ତି । ସ୍ଥାନୀୟ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେ ବାହାନଗା ରେଳ ଦୁର୍ଘଟଣାରେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ମୋଦି ସରକାର ଆଧୁନିକିକରଣ ଆଳରେ ରେଳବାଇକୁ ଘରୋଇକରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଫଳରେ ଅଭିଜ୍ଞ କର୍ମଚାରୀଙ୍କ ପରିବର୍ତ୍ତେ ଅନଭିଜ୍ଞ କର୍ମଚାରୀମାନେ ସିଗନାଲିଂ, ରେଳ ଧାରଣା ମରାମତି, ଇଲେକ୍ଟ୍ରୋନିକ୍ସ ଇଣ୍ଟର ଲକିଙ୍ଗ ବ୍ୟବସ୍ଥାରେ ଅନଭିଜ୍ଞ ଟେକ୍ନିକାଲ କର୍ମଚାରୀଙ୍କ ନିଯୁକ୍ତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ତିନିଘଣ୍ଟା ମଧ୍ୟରେ ଯଦିି ସ୍ଥାନୀୟ ପ୍ରଶାସନ ଆହତ ରେଳ ଯାତ୍ରୀଙ୍କୁ ଉଦ୍ଧାର ସହ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଥା’ନ୍ତେ ତେବେ ମୃତ୍ୟୁ ସଂଖ୍ୟା ଏତେ ବୃଦ୍ଧି ପାଇ ନଥା’ନ୍ତା । ତେବେ ପ୍ରଶାସନକୁ ଅପେକ୍ଷା ନ କରି ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଜାରି ରଖିବା ବେଶ ପ୍ରଶାଂସନୀୟ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ, ମେଟ୍ରୋ ଟ୍ରେନ, ବୁଲେଟ ଟ୍ରେନ ଭଳି ବଡ଼ ବଡ଼ ଯୋଜନା ଶୁଭରମ୍ଭ ପାଇଁ ସବୁଜ ପତାକା ଧରି ଛିଡ଼ା ହୋଇପଡ଼ୁଥିବା ବେଳେ ରେଳ ଧାରଣାର ମରାମତି ରକ୍ଷଣବେକ୍ଷଣକୁ ଅଣଦେଖା କରିଚାଲିଛନ୍ତି । ପୂର୍ବରୁ ରେଳବାଇ ମନ୍ତ୍ରଣାଳୟ ର ସ୍ୱତନ୍ତ୍ର ବଜେଟ ବ୍ୟବ୍ୟସ୍ଥା ଥିଲା, ମାତ୍ର ମୋଦି ସରକାର ସାଧାରଣ ବଜେଟ ସହ ରେଳ ବଜେଟକୁ ମିଶାଇ ଦେଲେ । ସେହିଭଳି ଡି ଆର ଏଫ ନାମକ ଏକ ପାଣ୍ଠି ରହିଛି, ମାତ୍ର ବିଗତ ଆଠ ବର୍ଷ ହେଲା ଏନ ଡି ଏ ସରକାର ଏହି ପାଣ୍ଠିରେ ଅର୍ଥରାଶି କ୍ରମାଗତ ଭାବେ ହ୍ରାସ କରିଚାଲିଛନ୍ତି । ଟ୍ରେନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ରେଳ ଲାଇନର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡିଆରଏଫ ପାଣ୍ଠିରେ ବଜେଟ ବୃଦ୍ଧି ହେବା ଜରୁରୀ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ୟୁପିଏ ସରକାରଙ୍କ ସମୟରେ ଆଣ୍ଟି କୋଳାଇଜନ ଡ଼ିଭାଇସ ପ୍ରତି ଟ୍ରେନରେ ଖଞ୍ଜିବା ଲାଗି ବ୍ୟବସ୍ଥା କର।।ଇଥିଲେ । ମାତ୍ର ବର୍ତ୍ତମାନର ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ ନକରିବା ଏବଂ ଏହାକୁ କବଚ ଯୋଜନା ବୋଲି ଘୋଷଣା କରିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ରେଳବାଇ ସମ୍ପତ୍ତିର ରକ୍ଷା ଦାୟିତ୍ୱ ସରକାରଙ୍କ ହାତରେ ରହିଛି । ତେବେ ଏହି ଭୟଙ୍କର ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିବେ ନାହିଁ, ତାଙ୍କର ଯଦି ବିବେକ ଓ ମାନବିକତା ଥାନ୍ତା ତାହାଲେ ସେ ଇସ୍ତଫା ଦେଇ ସାରନ୍ତେଣି । ଜିଲ୍ଲା କଂଗ୍ରେସ ର ସଭାପତି ସଂଜୀବ ଗିରିଙ୍କ ଆବାହକତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା ଓଡିଶା ପ୍ରଭାରୀ ଡ଼. ଏ. ଚେଲ୍ଲା କୁମାର ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି, ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବାଲେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ଅଖିଳ ଭାରତୀୟ ଛାତ୍ର କଂଗ୍ରେସ ନେତ୍ରୀ ତଥା ଓଡିଶା ଇନଚାର୍ଜ ଅନୁଲେଖା ବସା ଓ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିନ ନୱାଜ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ