ଆଧୁନିକ ଧରଣର ଜିମ୍ କୁ ଉଦଘାଟନ କଲେ ବିଧାୟକ
ଛତ୍ରପୁର (ଦେବଦତ୍ତ ମହାରଣା) : ସୁନ୍ଦର ସ୍ୱାସ୍ଥ୍ୟ ସହିତ ରୋଗମୁକ୍ତ ରହିବା ନିମନ୍ତେ ସମସ୍ତେ ବ୍ୟାୟାମ କରିଥାନ୍ତି । ବ୍ୟାୟାମ କରିବା ଦ୍ୱାରା କେବଳ ସୁନ୍ଦର ସ୍ୱାସ୍ଥ୍ୟ ଗଢିହୁଏ ତାହାନୁହେଁ ବରଂ ଏହା କରିବା ଦ୍ୱାରା ନିଜକୁ ଫିଟ୍ ରଖି ହୁଏ । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଛତ୍ରପୁର ସଂଗ୍ରାମ ସ୍ପୋର୍ଟସ କ୍ଲବ ପରିସରରେ ବିଧାୟକଙ୍କ ନିଜସ୍ୱ ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଏକ ଆଧୁନିକ ଧରଣର ଜିମ୍ ଉଦଘାଟନ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ନିଜେ ବ୍ୟାୟାମ କରିବା ସହିତ ଏହାର ଶୁଭ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ସଂଗ୍ରାମ ସ୍ପୋର୍ଟସ୍ କ୍ଲବର ସଭାପତି ଏମ୍ ଧନଞ୍ଜୟ ରେଡ୍ଡି, ରୋଟାରୀ କ୍ଲବର ପୂର୍ବତନ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ, କେ.ବାସୁଦେବ ରାଓ, ନୀରଜଂନ ପାତ୍ର, ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ବି. ରାଜିବାବୁ, ଅହିଭୂଷଣ ସାହୁ, ମଧୁସୁଦନ ସାହୁ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ, ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକ, ଆର.ୟଗେଶ୍ୱର ରାଓ, ଏନ.ଗିରିଧର ରାଓଙ୍କ ସମେତ ସଂଗ୍ରାମ ସ୍ପୋର୍ଟସ କ୍ଲବର ସମସ୍ତ ସଭ୍ୟ ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।