ଆନନ୍ଦପୁର ବ୍ୟାରେଜ କେନାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର, ତରବରରେ ନିର୍ମାଣ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନବାଚୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ବ୍ୟାରେଜର କେନାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଜୁନ ୨୪ ସୁଧା କାମ ସାରିବାକୁ ଥିବାରୁ କମ୍ପାନୀ କର୍ତ୍ତୁପକ୍ଷ ଅତି ତରବରିଆ ଭାବେ ଏହି ନିର୍ମାଣକାର୍ଯ୍ୟ କରୁଥିବାବେଳେ ଉପଯୁକ୍ତ ଭାଗମାପ ଦେଉ ନଥିବା ଓ ଉପଯୁକ୍ତ ମୋଟେଇରେ କାମ କରୁନଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ଜଣାଯାଇଛି ଯେ ଆନନ୍ଦପୁର ବ୍ୟାରେଜର ବାମପାଖ କେନାଲ ନିର୍ମାଣ କାର୍ଯ୍ୟ ଆଜକୁ ୫ବର୍ଷ ଧରି ଚାଲୁ ରହିଛି । ୪୦୦କୋଟିରୁ ଉର୍ଦ୍ଧ ବ୍ୟୟ ଅଟକଳରେ (୨୮.୫) କିଲୋମିଟର ଲମ୍ବ ବିଶିଷ୍ଟ ଏହି କେନାଲ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏବେ ଏ.ଆର.ଏସ.ଏସ ନାମକ ଏକ ଠିକାସଂସ୍ଥା ଏହି କାମ କରୁଛି । କେତେକ ସ୍ଥାନରେ ଜମି ଅଧିଗ୍ରହଣରେ ବିଳମ୍ବ ହେବାରୁ ନିର୍ମାଣ କାର୍ଯ୍ୟ ମଧ୍ୟ ଧିମେଇ ଯାଇଥିଲା । ଯାହାଫଳରେ ଘୋଷରାପଦା, ମଠ, ଛେନାପଦି, ପନ୍ଧାଡୋ ପ୍ରଭୃତି ଗ୍ରାମ ପାଖରେ କେନାଲ କାମ ଅଧାପନ୍ତରିଆ ଭାବେ ପଡି ରହିଥିଲା । ଏବେ ରାଜ୍ୟ ସରକାର ଜମି ଅଧିଗ୍ରହଣ କାମ ସାରିବା ସହିତ ଏହି କେନାଲ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ଦିଗରେ ଗୁରୁତ୍ୱ ଦେଇଥିବାରୁ ଠିକାସଂସ୍ଥା ପକ୍ଷରୁ ଦିନରାତି ନିର୍ମାଣ କାର୍ଯ୍ୟ ଜାରି ରଖିଛି । କିନ୍ତୁ ତରବରିଆ ଭାବେ ଏହି କାର୍ଯ୍ୟ ହେଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେନାଲର ଉଭୟ ପାଶ୍ୱର୍ କଂକ୍ରିଟ ଲାଇନିଂ କରାଯାଉଥିବା ବେଳେ ଏହାର ମୋଟେଇ ୪ଇଞ୍ଚ ରଖିବା ଏଷ୍ଟିମେଟ ରହିଛି । କିନ୍ତୁ କାର୍ଯ୍ୟ ସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ ଠିକାଦାର ନିଜ ଇଛାରେ ଏହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । କେଉଁଠି ୩ଇଞ୍ଚ ତ ଆଉ କେଉଁଠି ୨ଇଞ୍ଚ ମୋଟେଇର କଂକ୍ରିଟରେ ଲାଇନିଂ କାମ ହେଉଛି । ଢ଼େଙ୍କା ନିକଟରେ ନିର୍ମାଣ କରାଯାଉଥିବା ଲାଇନିଂ କାମରେ ୨ଇଞ୍ଚ ମୋଟେଇ ରହିଥିବାବେଳେ ମଝି ସ୍ଥାନ ଗୁଡିକରେ ୧ଇଞ୍ଚରୁ କମ ମୋଟେଇର କଂକ୍ରିଟ ଦିଆଯାଉଛି । ସେହିପରି କଂକ୍ରିଟରେ ମଧ୍ୟ ଭାଗ ମାପ ଠିକ ଦେଉ ନଥିବା ଓ ଆବଶ୍ୟକ ପରିମାଣର ପାଣି ଦେଉ ନଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଗତ କିଛିବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବୈତରଣୀ ଡିଭିଜନର ଆନନ୍ଦପୁର ମୁଖ୍ୟ କେନାଲର ଅବସ୍ଥା ବର୍ତ୍ତମାନ ଯେପରି ହୋଇଛି ଆନନ୍ଦପୁର ବ୍ୟାରେଜ କେନାଲର ଅବସ୍ଥା ସେପରି ହେବନିତ ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି । କାରଣ ଆନନ୍ଦପୁର ମୁଖ୍ୟ କେନାଲର ବିଦ୍ୟାଧରପୁର ଠାରୁ ହୋଇଥିବା ଲାଇନିଂ କାମରେ ୪ଇଞ୍ଚ ମୋଟେଇର କଂକ୍ରିଟ ଥିବାବେଳେ ମାତ୍ର ଧେଢ଼ ଇଞ୍ଚ, ୨ଇଞ୍ଚ ମୋଟେଇର କଂକ୍ରିଟ କରି କାମ ସାରିଦେଇଥିଲେ । ଠିକାଦାର କାମର ବିଲ୍ କରିନେଇ ପାର ହେବାର ଦିନ କେଇଟା ମଧ୍ୟରେ ଗୋଟିଏ ଗୋଟିଏ ସ୍ଥାନରୁ କଂକ୍ରିଟ ଲାଇନିଂ ଗୁଡିକ ଖସିବା ଆରମ୍ଭ କରିଥିଲା ଯେ ଏବେ କେନାଲଟି ପୁର୍ବ ଅବସ୍ଥାକୁ ଫେରି ଆସିଛି । ଏଠାରେ ମଧ୍ୟ ସମାନ ଧରଣର କାମ ହେଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ବିଭାଗୀୟ ଯନ୍ତ୍ରୀ କେହି ରହୁ ନଥିବାରୁ ଠିକାଦାର ମନଇଛା କାମ କରିଚାଲିଛି । ଏ ସମ୍ପର୍କରେ ଆନନ୍ଦପୁର ବ୍ୟାରେଜ ଡିଭିଜନର ବାମପାଖ କେନାଲର ନିର୍ବାହୀଯନ୍ତ୍ରୀ କିଶୋର କୁମାର କରଙ୍କୁ ପଚାରିବାରେ ସେ କହିଛନ୍ତି ଯେ କାମ ଠିକ ଚାଲିଛି, ତଥାପି ମୁଁ ଆସନ୍ତାକାଲି ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଯିବି, ଯଦି କେଉଁଠି ଏପରି ହୋଇଥିବା ଦେଖିବାକୁ ପାଏ ତେବେ ତାହାକୁ ଭାଙ୍ଗି ପୁନର୍ବାର ନିର୍ମାଣ କରାଯିବାକୁ ନିଦେ୍ର୍ଦଶ ଦେବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ