ଆନନ୍ଦପୁର ବ୍ୟାରେଜ କେନାଲ ନିର୍ମାଣ କାର୍ଯ୍ୟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ବ୍ୟାରେଜର କେନାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଜୁନ ୨୪ ସୁଧା କାମ ସାରିବାକୁ ଥିବାରୁ କମ୍ପାନୀ କର୍ତ୍ତୁପକ୍ଷ ଅତି ତରବରିଆ ଭାବେ ଏହି ନିର୍ମାଣକାର୍ଯ୍ୟ କରୁଥିବାବେଳେ ଉପଯୁକ୍ତ ଭାଗମାପ ଦେଉ ନଥିବା ଓ ଉପଯୁକ୍ତ ମୋଟେଇରେ କାମ କରୁନଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ଜଣାଯାଇଛି ଯେ ଆନନ୍ଦପୁର ବ୍ୟାରେଜର ବାମପାଖ କେନାଲ ନିର୍ମାଣ କାର୍ଯ୍ୟ ଆଜକୁ ୫ବର୍ଷ ଧରି ଚାଲୁ ରହିଛି । ୪୦୦କୋଟିରୁ ଉର୍ଦ୍ଧ ବ୍ୟୟ ଅଟକଳରେ (୨୮.୫) କିଲୋମିଟର ଲମ୍ବ ବିଶିଷ୍ଟ ଏହି କେନାଲ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ପରବର୍ତ୍ତି ସମୟରେ ଅଟକଳ ପରିମାଣକୁ ଢ଼େଗୁଣ ବଢ଼ାଇ ଦିଆଯାଇଛି । ତଥାପି ଉପଯୁକ୍ତ ତଦାରଖ ଅଭାବରୁ ଅତି ନିମ୍ନାମନର କାର୍ଯ୍ୟ ହେଉଛି । ଏବେ ଏ.ଆର.ଏସ.ଏସ ନାମକ ଏକ ଠିକାସଂସ୍ଥା ତରବରିଆ ଭାବେ ଏହି କାର୍ଯ୍ୟ କରୁଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହା ଏବେ ପ୍ରମାଣ ସ୍ୱରୁପ ଦେଖାଦେଇଛି ଝଣଝଣା ନିକଟରେ । ମାତ୍ର ୧୫ଦିନ ତଳେ ନିର୍ମାଣ କରାଯାଇଥିବା ପୋଲିଆର ଉଭୟ ପଟ କାନ୍ଥିରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଛି । ଯାହାକୁ ଆଜି ଝଣଝଣା ଗ୍ରାମବାସୀମାନେ ବିରୋଧ କରି ଏହାର ପ୍ରତିବାଦ କରିଛନ୍ତି । ସେମାନଙ୍କ ଯୁକ୍ତି ଯେ କାମ ଅତି ନିମ୍ନାମନର କରାଯାଉଛି । କାମବେଳେ ବିଭାଗୀୟ କୌଣସି ଯନ୍ତ୍ରୀ ଉପସ୍ଥିତ ରହୁ ନାହାନ୍ତି । ଏପରିକି କାମ ପରେ ଆବଶ୍ୟକ ମୁତାବକ ପାଣି ମଧ୍ୟ ଦିଆଯାଉ ନାହିଁ । ଯାହାଦ୍ୱାରା ଦିନ କେଇଟା ଭିତରେ ଯଦି ପୋଲରେ ଏପରି ଫାଟ ସୃଷ୍ଟି ହୁଏ ତେବେ ପୋଲର ସ୍ଥାୟିତ୍ୱ କେତେଦିନ ବୋଲି ପାକ ଦେହୁରୀ, କାବେରୀ ଦେହୁରୀ, ଝରା ପଲେଇ, ଗେହ୍ଲା ନାହାକ, ବାସନ୍ତୀ ନାହାକ, ରେବତୀ ନାହାକ, କମଳା ପାତ୍ର, ଚଞ୍ଚଳା ପାତ୍ର, ଜୟଦେବ ଦେହୁରୀ, ନିରାକାର ଦେହୁରୀ, ଚାୟାଁ ପଲେଇ, ଭେଳା ନାହାକ, ଟୁକୁନୁ ଦେହୁରୀ, ସହଦେବ ଗୁମାନ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ପୋଲ ଉପର ଦେଇ ୬ଟି ପଞ୍ଚାୟତର ଲୋକମାନେ ଯାତାୟାତ କରୁଥିବାବେଳେ ନିମ୍ନମାନର କାମ ଯୋଗୁଁ ଏହା ଦିନ କେଇଟାରେ ଭୁଷୁଡି ପଡିବ ବୋଲି ଗ୍ରାମବାସୀମାନେ ଆାଙ୍କା କରି ଏହାର ପୁନଃନିର୍ମାଣ ଦାବି କରିଛନ୍ତି । ଏ ସମ୍ପର୍କରେ ଠିକାସଂସ୍ଥାର ପାଶ୍ୱର୍ ପରିଚାଳକ ଜିଆର ରହେମାନ ଖାନ୍ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୋଲ ମୁଣ୍ଡରେ ମୋରମ ପକାଯିବା ସମୟରେ ମେସିନିର ଦାନ୍ତି ଲାଗି କିଛି ଅଶଂ ଫାଟି ଯାଇଛି, ତାକୁ ଆମେ ସମ୍ପୁର୍ଣ୍ଣ ଭାଙ୍ଗିଦେଇ ପୁନଶ୍ଚ ନୁତନ ଭାବେ କାର୍ଯ୍ୟ କରିବୁ ବୋଲି କହିଛନ୍ତି ।