ଆନନ୍ଦବଜାରରେ ସେଲ୍ଫି ଉଠାଇଲେ ଶ୍ରଦ୍ଧାଳୁ, ଫଟୋ ଭାଇରାଲ୍
ପୁରୀ : ପୁଣି ପୁରୀ ଶ୍ରୀମନ୍ଦିର ମୋବାଇଲ୍ ନେବା ନେଇ ଝଡ଼ ଉଠିଛି । କଡ଼ା ସୁରକ୍ଷାକୁ ଭେଦ କରି ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରରେ ମହାପ୍ରସାଦ ସହ ସେଲ୍ଫି ଉଠାଇଛନ୍ତି, ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ସେଲ୍ଫିକୁ ଫେସ୍ବୁକ୍ ଆକାଉଣ୍ଟ୍ର ଅପ୍ଲୋଡ୍ କରିଛନ୍ତି । ଫେସ୍ବୁକ୍ ଆକାଉଣ୍ଟ୍ରେ ପିଣ୍ଟୁ ନିଜକୁ ଜଣେ ଆଷ୍ଟ୍ରୋଲୋଜର୍ ବୋଲି ଉଲ୍ଲେଖ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ୨୮ ତାରିଖରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଟିକ୍ଟକ୍ରେ ଭାଇରାଲ୍ ହୋଇଥିଲା । ତେବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଏବଂ କ୍ୟାମେରା ନେବାକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ସତ୍ତ୍ୱେ କିପରି ଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ମୋବାଇଲ୍ ନେବାରେ ସକ୍ଷମ ହେଉଛନ୍ତି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।