ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟରେ ଶିଶୁମେଳା ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆନନ୍ଦମାର୍ଗ ପ୍ରଚାରକ ସଂଘ ପ୍ରତିଷ୍ଠାତା ଶ୍ରୀ ଆନନ୍ଦମୂର୍ତ୍ତିଙ୍କ ଜନ୍ମୋତ୍ସବ ଉପଲକ୍ଷେ ସହର ଉପକଣ୍ଠ ଫୁଲାଡି ସ୍ଥିତ ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟ ଶିଶୁମେଳା ଉଦଘାଟିତ ହୋଇଯାଇଛି । ଶିକ୍ଷାବିତ ବାସନ୍ତୀ ପାଣି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ପ୍ରତିଭା ଅନ୍ୱେଷଣ ଓ ପ୍ରୋତ୍ସାହନ ଆଭିମୁଖ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟପକ ତଥା ଓଡ଼ିଆ ଭାଷା ସାହିତ୍ୟର ଅନ୍ୟତମ ଗବେଷକ ଡ. ରମାକାନ୍ତ ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଅଧ୍ୟୟନରତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ବିକାଶରେ ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ସମାଜ ଉତ୍ତର ଓଡ଼ିଶା ସଂସ୍କରଣ ଡେସ୍କ ଇନଚାର୍ଜ ଶଶିରଞ୍ଜନ ମଲ୍ଲିକ, ପୂର୍ବତନ ସରପଞ୍ଚ ପ୍ରଦୀପ ଜେନା, ଆନନ୍ଦମାର୍ଗର ପ୍ରାନ୍ତ ପ୍ରଚାରକ ଆଚାର୍ଯ୍ୟ ଜପକୃଷ୍ଣାନନ୍ଦ ଅବଧୂତ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଶିଶୁମେଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଯୁବ ବିକାଶର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଦଳାଇଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଆନନ୍ଦମାର୍ଗର ବରିଷ୍ଠ କର୍ମକର୍ତ୍ତା ଡ. ଭାସ୍କର ଚନ୍ଦ୍ର ଜେନା ମଞ୍ଚ ଆହ୍ୱାନ, ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଶିଶୁମେଳାରେ ଅଂଶଗ୍ରହଣ କରିଥିବା ସଦର ଓ ରେମୁଣା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ଗଣିତ, ସାଧାରଣଜ୍ଞାନ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୫ ତାରିଖରେ ଆନନ୍ଦମାର୍ଗ ପ୍ରଚାରକ ସଂଘ ପ୍ରତିଷ୍ଠାତା ଶ୍ରୀ ଆନନ୍ଦମୂର୍ତ୍ତିଙ୍କ ଜନ୍ମୋତ୍ସବ ପାଳନ ଅବସରରେ ଶିଶୁମେଳାର ଉଦଯାପନ ଉତ୍ସବରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଡ. ଜେନା ସୂଚନା ଦେଇଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ଶିଶୁ କଳାକାର ଶ୍ୱେତାଲିସା ଶୁଭଦର୍ଶିନୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସୁଶାନ୍ତ ଜେନା, ବସନ୍ତ ସିଂହ, ପଦ୍ମଲୋଚନ ସୋରେନ ପ୍ରମୁଖଙ୍କ ସମେତ ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


