ଆନିକଟରେ କମୁଛି ଜଳସ୍ତର, ତଳିଆ ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଗତ ଦୁଇଦିନ ଧରି ବର୍ଷା ଲାଗି ରହିବା ଫଳରେ ବୈତରଣୀରେ ବନ୍ୟା ପାଣି ଦେଖିବାକୁ ମିଳିଛି। ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ନଦୀର ଆଖୁଆପଦା ଆନିକଟ ଠାରେ ବନ୍ୟାଜଳ ବିପଦ ସଙ୍କେତ ଟପି ୧୯.୮୯ମିଟର ହୋଇଥିବା ବେଳେ ବନ୍ୟା ପାଣି ପ୍ରଭାବରେ ୭ ଗୋଟି ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ବ୍ଲକର ବନ୍ଦାଳୋ-ମଢ଼ିଆଳି, ଝୁଟୁଣା ପ୍ରଥମେ ବନ୍ୟା ଘେରରେ ରହିଥିବା ବେଳେ ପରେ କଣ୍ଟି ଏସ୍କେପରୁ ନିଷ୍କାସିତ ବନ୍ୟା ପାଣି ଦ୍ୱାରା ଷୋଳମପୁର, ନପଙ୍ଗ, ମାଳଦା, ରହଣିଆ, କୁରିଗାଁ ପଞ୍ଚାୟତ ଜଳବନ୍ଦୀ ହୋଇଛି। ଯଦିଓ ଆଜି ସନ୍ଧ୍ୟା ସୁଦ୍ଧା ଆନିକଟ ଠାରେ ବନ୍ୟା ଜଳ ହ୍ରାସ ପାଇବାରେ ଲାଗିଛି ବିଭିନ୍ନ ଗାଁ ଗଣ୍ଡାରେ କିନ୍ତୁ ବନ୍ୟା ଦୁର୍ଦ୍ଦଶା ବଢିଯାଇଛି। ପୂର୍ତ୍ତ ବିଭାଗ ରାସ୍ତା ଉପରେ ମାଳଦା ଠାରୁ ମଣିନାଥପୁର ଯାଏଁ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭଦ୍ରକ-ଯାଜପୁର ଯୋଗାଯୋଗ ବିଛିନ୍ନ ହୋଇଛି। ଏହାଛଡା ନପଙ୍ଗ, ବିରୋଳି, ବରାହନୂଆପଡା, ରହଣିଆ, ନୌରଙ୍ଗପୁର, ରାଢୋ, ଜୋରାଗଡ଼ିଆ ପ୍ରମୁଖ ଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡିକ ସମ୍ପୂର୍ଣ୍ଣ ବୁଡି ଯାଇଛି। ଉକ୍ତ ଅଂଚଳର ଜନସାଧାରଣ ମାନେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛନ୍ତି। ୭ଗୋଟି ପଞ୍ଚାୟତର ପ୍ରାୟ ୭ହଜାର ହେକ୍ଟର ଚାଷଜମି ବନ୍ୟା ପାଣି ଦ୍ୱାରା ବୁଡି ଯାଇଥିବାରୁ ଖରିଫ ଧାନ ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଇଛି। ଭଦ୍ରକ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ପଦାଧିକାରୀ ମାନେ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରାଥମିକ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି।


