ଆନୁଷଙ୍ଗିକ ବ୍ୟବସ୍ଥା କରାଗଲେ ତୁରନ୍ତ କାର୍ଯ୍ୟକ୍ଷମ ହେବ : ଘରୋଇ ବସ୍ ମାଲିକ ସଂଘ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନୂଆ ବସଷ୍ଟାଣ୍ଡରୁ ଖୁବ୍ ଶୀଘ୍ର ବସ୍ ଗଡିବ ବୋଲି ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ପାଣି, ବିଦ୍ୟୁତ୍ ଏଭଳି କିଛି ଆନୁଷଙ୍ଗିକ ବ୍ୟବସ୍ଥାର ତୁରନ୍ତ ସୁବିଧା କରାଇଦେଲେ ସମସ୍ତ ସିଟିବସ୍ ଓ ଘରୋଇ ବସ୍ ନୂଆ ବସଷ୍ଟାଣ୍ଡରୁ ଗଡିବା ସହ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ ନ ହୋଇ ରହିଥିବା ବସଷ୍ଟାଣ୍ଡ ଚଳପ୍ରଚଳ ହୋଇପାରିବ ବୋଲି ବୁଧବାର ସିଟିବସ୍ ଅପରେଟର, ଘରୋଇ ବସ୍ ଏବଂ ଗଞ୍ଜାମ ବସ୍ ମାଲିକ ସଂଘର ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରଶାସନ ପକ୍ଷରୁ ନୂଆ ବସଷ୍ଟାଣ୍ଡରେ ଯେତେ ଶୀଘ୍ର ପାଣି, ବିଦ୍ୟୁତ୍ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଇବେ ସେତେ ଶୀଘ୍ର ନୂଆ ବସଷ୍ଟାଣ୍ଡରୁ ସମସ୍ତ ପ୍ରକାର ବସ୍ ଗଡିବ ବୋଲି ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘର ସଂପାଦକ ତଥା ଛତ୍ରପୁର ଓ ବ୍ରହ୍ମପୁର ଘରୋଇ ବସ୍ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି କହିଛନ୍ତି । ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ଲାଗି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ସେ ଗଞ୍ଜାମ ଆରଟିଓଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ଏବଂ ତାଙ୍କୁ ଆରଟିଓ ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ସିଟିବସ୍ ଅପରେଟର ଠାରୁ ଆରମ୍ଭ କରି ସମସ୍ତ ଘରୋଇ ବସ୍ ମାଲିକମାନେ ନୂଆ ବସଷ୍ଟାଣ୍ଡରୁ ସମସ୍ତ ଗାଡି ଚଳାଇବାକୁ ଇଛୁକ ରହିଛନ୍ତି । ଯାତ୍ରୀଙ୍କ ସୁବିଧା ଲାଗି ସିଟିବସ୍ ଓ ଘରୋଇ ବସ୍ ମାଲିକ ଆପୋଷ ବୁଝାମୁଣା ହୋଇଛି । ନିର୍ଦ୍ଧାରିତ ସମୟରେ ସିଟିବସ୍ ହେଉ କିମ୍ବା ଘରୋଇ ବସ୍ରେ ଯାତ୍ରୀଙ୍କୁ ସୁବିଧାରେ ପହଞ୍ଚାଇବ । ପୂର୍ବରୁ ଛତ୍ରପୁର-ବ୍ରହ୍ମପୁରକୁ ପ୍ରାୟ ଏକଘଣ୍ଟା ୩୦ ମିନିଟ୍ ସମୟ ନିଆଯାଉଥିଲା ସେଥିରୁ ବିରତ୍ତି ହୋଇ ଖୁବ୍ କମ୍ ସମୟ ମଧ୍ୟରେ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓ ବ୍ରହ୍ମପୁର ଘରୋଇ ବସ୍ ମାଲିକ ସଂଘର ସଂପାଦକ ସମୀର ମିଶ୍ର, କୋଷାଧ୍ୟକ୍ଷ ବିଜୟ କୁମାର ପଣ୍ଡା, ଅମିତ୍ ଦାସ, ଶିବରାମ ପାଣିଗ୍ରାହୀ, ପାରୁକ୍ ଖାନ୍, ସିଟିବସ୍ ଅପରେଟର ଏବଂ ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥିବା ଛତ୍ରପୁର, ଗୋପାଳପୁର ଓ ହଳଦିଆପଦର ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ସାଢ଼େ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂଆ ବସଷ୍ଟାଣ୍ଡକୁ ୨୦୧୬ ମସିହା ନଭେମ୍ବର ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ହେଲେ ଦୀର୍ଘ ୬ ବର୍ଷ ହେଲା ଏହି ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠି ପାଲଟିଥିଲା । ଦିବ୍ୟଜ୍ୟୋତି ପରିଡା ନୂତନ ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ବ୍ୟବହାର ନ ହୋଇ ରହିଥିବା ନୂତନ ବସଷ୍ଟାଣ୍ଡ ଗୁଡିକ କାର୍ଯ୍ୟକ୍ଷମ କରିବା ଲାଗି ଅଣ୍ଟା ଭିଡିଛନ୍ତି । ପ୍ରଥମ କରି ଜିଲ୍ଲା ସଦର ମହକୁମା ଛତ୍ରପୁର ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ଲାଗି ସିଟିବସ୍ ଓ ଘରୋଇ ବସ୍ ମାଲିକ ସଂଘର ସଦସ୍ୟମାନଙ୍କ ସହ ଜିଲ୍ଲାପାଳ ଶ୍ରୀ ପରିଡା ଆଲୋଚନା କରିଥିଲେ । ଛତ୍ରପୁର ନୂଆ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ ବିଳମ୍ବର କାରଣ ଖୋଜି ବାହାର କରିବା ସହ କେତକ ସମସ୍ୟା ଗୁଡିକୁ ସେ ଦୃଷ୍ଟିଗୋଚରକୁ ଆଣିଥିଲେ । ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟା ଗୁଡିକୁ ସମାଧାନ କରାଯାଇ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ଲାଗି ଜିଲ୍ଲାପାଳ ଶ୍ରୀ ପରିଡା ପଦକ୍ଷେପ ନେଇଛନ୍ତି ।


