ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ମିଶନ ପଡ଼ିଆରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା୧୭ବର୍ଷରୁ କମ ବାଳକ ଓ ବାଳିକା ବିଭାଗ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ବାଳକ ବିଭାଗରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଜଳେଶ୍ୱର ବ୍ଲକ ଚମ୍ପିୟାନ ଓ ଔପଦା ବ୍ଲକ ରନର୍ସ ଅପ ଘୋଷିତ ହୋଇଥିଲା । ସେହିଭଳି ବାଳିକା ବିଭାଗରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସଦର ବ୍ଲକ ଚମ୍ପିୟନ ଓ ରେମୁଣା ବ୍ଲକ ରନର୍ସ ଅପ ଘୋଷିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ଶେଷରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ଯୁବ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମରୁ ସମ୍ପ୍ରତି ଓଡ଼ିଶାରେ ଜାତୀୟ ସ୍ତରର ବହୁ କୃତୀ ଖେଳାଳି ସୃଷ୍ଟି ହୋଇପାରିଛନ୍ତି ବୋଲି କହିଥିଲେ । ପୂର୍ବରୁ ଆନ୍ତର୍ଜାତିକ ହକି ଟୁର୍ଣ୍ଣାମେଣ୍ଟ ଭଳି ସମ୍ପ୍ରତି ୧୭ବର୍ଷରୁ କମ ବାଳିକା ବିଭାଗ ଫିଫା ୱାଲ୍‌ର୍ଡ କପ୍ ଫୁଟବଲ ଓଡ଼ିଶାରେ ଆୟୋଜନ କରି ମୁଖ୍ୟମନ୍ତ୍ରୀ ରାଜ୍ୟକୁ ବିଶ୍ୱସ୍ତରରେ ପରିଚିତି ଆଣିଦେବା ଗୌରବର ବିଷୟ ହୋଇଛି ବୋଲି ସେ ମତ ପ୍ରକାଶ କରିଥିଲେ । ତେବେ ବାଲେଶ୍ୱର ଜିଲା ଫୁଟବଲ ଖେଳରେ ପୂର୍ବରୁ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ଏବର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବି ଜାତୀୟ ତଥା ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଶା ପ୍ରକାଶ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫୁଟବଲ ଖେଳର ପ୍ରସାର ପ୍ରଚାର ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସ ବେଶ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଫୁଟବଲ ଖେଳ ପ୍ରତି ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ସ୍ତରରୁ ସମଗ୍ର ଓଡ଼ିଶାରେ ସପ୍ତାହବ୍ୟାପୀ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲେ । ଆଗାମୀ ଦିନରେ ବି ଏହି ଧାରା ବଜାୟ ରହିବ ଓ ଓଡ଼ିଶାରେ ବହୁ ଉଚ୍ଚମାନର ଖେଳାଳି ସୃଷ୍ଟି ହେବ ବୋଲି ଅତିଥିମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।ଏହି ଅବସରରେ ଅତିଥିମାନେ ଉଭୟ ବିଭାଗର ଚମ୍ପିୟାନ ଓ ରନର୍ସ ଅପ ଟିମକୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରେଷ୍ଠ ଗୋଲ ସ୍କୋରର ଭାବେ ବାଳକ ବିଭାଗର ମୋଚିରାମ ମୁର୍ମୁ ଓ ବାଳିକା ବିଭାଗର ଅର୍ଚ୍ଚିତା ରାଉତ ପୁରସ୍କୃତ ହୋଇଥିଲେ । ସେହିଭଳି ବେଷ୍ଟ ଡିଫେଣ୍ଡର ଓ ହାପ ପ୍ଲେୟାରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଉଦଯାପନୀ କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ସ୍ୱାଗତ ଅଭିଭାଷଣ ସହ ସଂଯୋଜନା କରିବା ବେଳେ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନେ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ , ବାରବାଟୀ ଗାର୍ଲସ ହାଇସ୍କୁଲ, ଟାଉନ ହାଇସ୍କୁଲ, ନୟନା କୁମାରୀ ହାଇସ୍କୁଲ, ଜିଲା ସ୍କୁଲ, ପବ୍ଲିକ ହାଇସ୍କୁଲ ଓ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲର ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ବାଲେଶ୍ୱର ପୌରାଞ୍ଚଳ ଓ ୧୨ ବ୍ଲକରୁ ଉଭୟ ବିଭାଗର ୧୩ଟ ଲେଖାଏଁ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିଲେ । ଉଭୟ ବର୍ଗର ୪୧୬ ଖେଳାଳିଙ୍କ ସମେତ ୨୬ଟି ଦଳରେ ୫୨ଜଣ କୋଚ ଓ ମ୍ୟାନେଜର, ୧୦ ଜଣ ଖେଳ ପରିଚାଳକ, ୬୦ ଜଣ କ୍ରୀଡ଼ା ଶିକ୍ଷକ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ଅବସରରେ ଜିଲାର ୨୧୧ ରୂପାନ୍ତରିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୧୮୪୦ ଗୋଟି ଫୁଟବଲ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ