ଆନ୍ତଃ ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କଳା, ସଂସ୍କୃତି, ଭାଷା ଓ ଭାଇଚାରାର ଅପୂର୍ବ ସମନ୍ୱୟ ହେଉଛି ଦେବଭୂମି ଭାରତ । ବିବିଧତା ମଧ୍ୟରେ ଏକତା ହିଁ ଭାରତର ବୈଶିଷ୍ଟ୍ୟତା । ଅନୈକ୍ୟ ମଧ୍ୟରେ ଐକ୍ୟ ଓ ବୈଷମ୍ୟ ମଧ୍ୟରେ ସାମ୍ୟ ହେଉଛି ଭାରତୀୟ ସଂସ୍କୃତିର ବିଶେଷତ୍ୱ । ଏକ ବିକଶିତ ରାଷ୍ଟ୍ର ଗଠନରେ ଯୁବପିଢ଼ୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଣୁ ଜାତୀୟ ସଂହତିର ସୁରକ୍ଷା ନିମନ୍ତେ ଯୁବକ ଯୁବତୀମାନଙ୍କ ମନରେ ଦୃଢ଼ ମନୋବଳ ଓ ପ୍ରୟାସ ଜାରି ରହିବା ଉଚିତ୍ ବୋଲି ଆନ୍ତଃ ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବ କେନ୍ଦ୍ର, ଖୋର୍ଦ୍ଧା ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ମିଳିତ ସହଯୋଗର ଉକ୍ତ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ ପରିସର ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡ଼ିଶା ଶାଖାର ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ମୁରଲିଧର ଖରାତ୍‌, ସମ୍ମାନିତ ଅତିଥି ରୂପେ ନିଖିଲ୍ କୋକଲା, ସବିତ ସୁମନ, ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ସମାଜସେବୀ ଅବିନାଶ ଦାସ, ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟର ପ୍ରକାଶମ୍‌, ଚିତୋର, କାକିନାଡ଼ା, ଗୁଣ୍ଠୁର, ବିଜୟୱାଡ଼ା ଇତ୍ୟାଦି ୫ଟି ଜିଲ୍ଲାରୁ ସର୍ବମୋଟ ୨୭ଜଣ ଯୁବ ପ୍ରତିନିଧି ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ୫ଦିନ ଧରି ଚାଲୁ ରହିବ । ଭାବର ଆଦାନ ପ୍ରଦାନ ଓ ବିକଶିତ ରାଷ୍ଟ୍ର ଗଠନ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । କାର୍ଯ୍ୟକ୍ରମକୁ ଶୁଭେନ୍ଦ୍ରନାଥ ସାହୁ, କୁଳମଣି ମଲ୍ଲିକ, ସ୍ୱେଚ୍ଛାସେବୀ ସତ୍ୟନାରାୟଣ ଶ୍ରୀଚନ୍ଦନ, ମନୋରଞ୍ଜନ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ