ଆନ୍ତଜିଲ୍ଲା ନିଶାକାରବାର ରୋକିବାକୁ ଦାବି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷକରି ଥାନାର ସୀମା ମଞ୍ଜୁରୀରୋଡକୁ କେନ୍ଦୁଝର ଜିଲ୍ଲା ସଂଯୋଗ କରୁଥିବାବେଳେ ଆଖୁଆପଦା ପୋଲ ଓ ମଣିନାଥପୁର ବହ୍ଲବୀଘାଟ ପୋଲକୁ ଯାଜପୁର ଜିଲ୍ଲା ସଂଯୋଗ କରୁଛି । ସୁତରାଂ ଏହି ବାଟଦେଇ କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ଦେଶୀ ଓ ବିଦେଶୀ ମଦ ଥାନା ଅଞ୍ଚଳକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଗତ ତିନି ଚାରିଦିନ ପୂର୍ବରୁ ଅବକାରୀ ବିଭାଗ ପାଟୁଳି ଓ ନଗୁଁଆ ଠାରେ ଚଢାଉ କରି ଦେଶୀ ମଦ ଜବତ କରିଥିଲେ । ଜିଲ୍ଲା ଭିତରେ ଯଦିଓ ବେଆଇନ ମଦ ପରିବହନ କରାଯାଇ ଚୋରା ବେପାରୀ ମାନଙ୍କୁ ଯୋଗାଯାଉଛି କିନ୍ତୁ ଅଧିକ ମାତ୍ରାରେ ଜିଲ୍ଲା ବାହାରୁ ଦେଶୀମଦ ଆସୁଥିବା କାରଣରୁ ବେଆଇନ ବ୍ୟବସାୟ ବହୁଗୁଣରେ ବଢିଯାଉଛି । ଏହା ସତ୍ତ୍ୱେ ଯୁବପୀଢିଙ୍କୁ କବଳିତ କରୁଥିବା ପାଉଡର ନିଶା ମଧ୍ୟ ଥାନାର ସୀମାଞ୍ଚଳ ଦେଇ ଆସୁଥିବା ଜଣାପଡିଛି । ପରିସ୍ଥିତି ଏଭଳି ହେଲାଣି ଯେ ବାହାର ଜିଲ୍ଲାର ପାଉଡର ନିଶା ବେପାରୀ ମାନେ ସୀମାକୁ ଆସି ଏହି ନିଶାକାରବାର କରୁଥିବା ଜଣାପଡିଛି । ତେଣୁ ବେଳ ଥାଉଥାଉ ପୋଲିସ ଓ ଅବକାରୀ ବିଭାଗ ନିଶା କାରବାର ରୋକିବାରେ ପଦକ୍ଷେପ ଗ୍ରହଣ ନକଲେ ଆଇନଶୃଙ୍ଖଳା ପରିସ୍ଥିତି ଯେ ବିପର୍ଯ୍ୟସ୍ତ ହେବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ