ଆନ୍ତରିକତା ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନି ମିଶନଶକ୍ତି କାର୍ଯ୍ୟାଳୟ
ବନ୍ତ, (ଚାନ୍ଦିନୀ ମହାନ୍ତି):ବିଭାଗୀୟ ଆନ୍ତରିକତା ଅଭାବରୁ ବନ୍ତ ବ୍ଲକରେ ମିଶନଶକ୍ତି କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇପାରୁନଥିବା ଜଣାଯାଇଛି । ପ୍ରକାଶ ଯେ, ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳର ସାମଗ୍ରୀକ ବିକାଶ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ଭିତ୍ତିଭୂମି ସୁଦୃଢ କରିବା ନିମନ୍ତେ ଜନପ୍ରତିନିଧି ମାନଙ୍କର ଲୋକାଭିମୁଖୀ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ସିଧାସଳଖ ଅନୁମୋଦିତ କରି ଅର୍ଥ ମଞ୍ଜୁର କରିଥିଲେ । ବନ୍ତ ବ୍ଲକରେ ୨୫ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ମିଶନଶକ୍ତି ସଭାଗୃହ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ଓ ମଞ୍ଜୁର ଅର୍ଥରେ ବନ୍ତ ବ୍ଲକରେ ସଂଖ୍ୟାଧିକ ମିଶନଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଅନ୍ୟ କେତେକ ପଞ୍ଚାୟତରେ ଦ୍ରୁତଗତିରେ କାର୍ଯ୍ୟ ଚାଲୁଥିବା ଜଣାଯାଇଛି । ବନ୍ତ ବ୍ଲକରେ ୧୩ଟି ଇଣ୍ଟେନସିଭ୍ ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୧ଟିରେ ମିଶନଶକ୍ତି ସଭାଗୃହ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏହି ଇଣ୍ଟେନସିଭ୍ ଗ୍ରାମ ପଞ୍ଚାୟତ ଗୁଡିକୁ ଓଡିଶା ଜୀବିକା ମିଶନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆସୁଛି । ଉକ୍ତ ଟଙ୍କାର ବିନିଯୋଗ ଓ ଖର୍ଚ୍ଚ ପାଇଁ ତୃଣମୂଳ ସ୍ତରୀୟ କର୍ମଚାରୀ ଠାରୁ ବ୍ଲକ କର୍ମଚାରୀ ପର୍ଯ୍ୟନ୍ତ ଲାଗି ପଡିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତ ଓ ମଞ୍ଜୁର ଅର୍ଥରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ମିଶନଶକ୍ତି ସଭାଗୃହରେ ଆନୁଷ୍ଠାନିକ ଭାବେ ମହିଳା ମହାସଂଘ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ମାନେ ଦୃଷ୍ଟି ଦେଉନଥିବା ଜଣାଯାଇଛି । ଅପରପକ୍ଷେ କେତେକ ଗ୍ରାମ ପଞ୍ଚାୟତ ମହିଳା ମହାସଂଘ କାର୍ଯ୍ୟାଳୟ ସଂପୂର୍ଣ୍ଣ ହୋଇଥିବା ମିଶନଶକ୍ତି ଗୃହରେ ନକରି ବ୍ୟକ୍ତିଗତ ଘରେ କରି ସରକାରୀ ଅର୍ଥ ଘରଭଡା ଆକାରରେ ନେଉଥିବା ଖବର ମିଳିଛି । ଏହା ବିଭାଗୀୟ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ଓ ମଞ୍ଜୁର ଅର୍ଥରେ ନିର୍ମିତ ମିଶନଶକ୍ତି ସଭାଗୃହରେ ଯଥାଶିଘ୍ର ମହିଳା ମହାସଂଘ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।