ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ ପକ୍ଷରୁ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଜିଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୀଳରକ୍ତ କଙ୍କଡ଼ା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚ ସଂପାଦକ ତଥା ନୀଳରକ୍ତ କଙ୍କଡ଼ା ବିଶେଷଜ୍ଞ ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ନୀଳରକ୍ତ କଙ୍କଡ଼ା ସୁରକ୍ଷା ଦିଗରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଗ୍ରହଣ କରାଯାଉଥିବା ବିଭିନ୍ନ ସଚେତନତା ଓ ଚିତ୍ର ପ୍ରତିଯୋଗିତା ପ୍ରଭୃତି କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରିଥିଲେ । ନୀଳରକ୍ତ କଙ୍କଡ଼ା ଉପରେ ବିଶେଷ ଗବେଷଣା କରିଥିବା ଡ. ସିଦ୍ଧାର୍ଥ ପତି, ସ୍ୱସ୍ତିକ ଦେ, ସେକ୍ ରହିମ୍ ଉଦ୍ଦିନ୍ ଓ ସମୁଦ୍ର ଉପକୂଳରେ କାର୍ଯ୍ୟ କରୁଥିବା ସୁଶାନ୍ତ ବେରା ଏଥିରେ ଯୋଗଦେଇ ସେମାନଙ୍କ ଅଭିଜ୍ଞତା ଓ ନୀଳରକ୍ତ କଙ୍କଡ଼ାର ସୁରକ୍ଷାର ଆବଶ୍ୟକତା ଉପରେ ତଥ୍ୟମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ବୈଠକରେ ନିବେଦନ କରାଯାଇଛି । କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ସାକ୍ଷାତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସରେ ଚାନ୍ଦିପୁର ଉପକୂଳର ମତ୍ସ୍ୟ ବ୍ୟବସାୟୀ ଓ ଧୀବରମାନଙ୍କୁ ନେଇ ଏକ ସାଧାରଣ ସଭା ଏବଂ ସେଠାରେ ମଞ୍ଚର ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସିଦ୍ଧାନ୍ତ ନିଆଯାଇଛି । ଏହି ବୈଠକରେ ଆଇନଜୀବୀ ମନୋଜ ନାୟକ, ନିରଞ୍ଜନ ପରିଡ଼ା ଓ ଜ୍ଞାନେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ତର୍ଯ୍ୟାମୀ ପ୍ରଧାନ, ଦାମୋଦର ନାୟକ, ସୀତାରାମ ପ୍ରଧାନ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ନିଜର ବକ୍ତବ୍ୟରେ ସଂଗଠନ ଓ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱରୋପ କରିଥିଲେ । ଗବେଷିକା ଉପାସନା ପଟ୍ଟନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ