ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍ହଲ୍ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ଅପରାହ୍ଣରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକମାନଙ୍କ ସାମାଜିକ ନିରାପତା ଓ ବଂଚିବାର ଅଧିକାରକୁ ସୁଦୃଢ଼ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରୁଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ବରିଷ୍ଠ ନାଗରିକଙ୍କ ଭୂମିକା ସମ୍ପର୍କରେ ଉଚ୍ଚବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇ ପ୍ରତି ବ୍ଲକ୍ରୁ ଦୁଇ ଜଣ ଓ ପ୍ରତି ପୌରାଂଚଳରୁ ଦୁଇ ଜଣ ଲେଖାଏଁ କୃତି ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ନିଷ୍ପତି ଗ୍ରହଣ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତିଯୋଗିତାରେ ସାମିଲ୍ ହୋଇଥିବା ଅନ୍ୟ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଅକ୍ଟୋବର ୧ ତାରିଖ ସକାଳ ୮ଟାରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ସହର ଓ ସାଆନ୍ତସାହି ଦେଇ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍ହଲ୍ରେ ପହଚିଂବେ । ସେଠାରେ ବିଭିନ୍ନ ବ୍ଲକ୍ରୁ ଆସିଥିବା ବରିଷ୍ଠ ନାଗରିକମାନଙ୍କ ପଞ୍ଜିକରଣ କରାଯିବ । କେନ୍ଦ୍ରାପଡ଼ା ବ୍ଲକ୍ ଓ ପୌରାଂଚଳରୁ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ବ୍ୟକ୍ତି ଓ ବରିଷ୍ଠ ନାଗରିକଙ୍କୁ ସହାୟତା ଯାନ ଓ ଉପକରଣ ପ୍ରଦାନ କରାଯିବ । ତତ୍ସହିତ ଦୁଇ ଜଣ ପ୍ରମୂଖ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯିବ ଏବଂ ଜିଲ୍ଲା ବରିଷ୍ଠ ନାଗରିକ କମିଟିର ସଭ୍ୟମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରତ୍ୟେକ ବ୍ଲକ୍ ବରିଷ୍ଠ ନାଗରିକ ସଂଘର ଜଣେ ବରିଷ୍ଠ ନାଗରିକଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଦିବସ ପାଳନର ଶେଷଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ସଚ୍ଚିଦାନନ୍ଦ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, କେନ୍ଦ୍ରାପଡ଼ା ବ୍ଲକ୍ ଶିକ୍ଷାଧିକାରୀ ପାବନୀ କୁମାର ରାଉତ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବରିଷ୍ଠ ନାଗରିକ ନାରାୟଣ ପତି, ବିଭିନ୍ନ ସ୍କୁଲ୍ର ପ୍ରଧାନଶିକ୍ଷକ, ବିଭିନ୍ନ ବ୍ଲକ୍ର ବିଏସ୍ଏସ୍ଓ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ସୂଚନା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।