ଆନ୍ତର୍ଜାତିକ ମାତୃ ଦିବସ –‘କାବ୍ୟାଞ୍ଜଳୀ’ରେ ହେଲା ମାତୃ ବନ୍ଦନା
ବ୍ରହ୍ମପୁର : ରେଶମ ନଗରୀ ବ୍ରହ୍ମପୁରରେ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା “ସମର ଟ୍ରେନିଂ କ୍ୟାମ୍ପ”ର ସ୍ପୋକେନ ଇଂଲିଶ ବିଭାଗ ତରଫରୁ ଆଜି ଆନ୍ତର୍ଜାତିକ ମାତୃ ଦିବସ ପାଳନ କରାଯାଇଛି । ବ୍ରହ୍ମପୁର ପୌର ନିଗମ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ପୋକେନ ଇଂଲିଶରେ ଭାଗ ନେଉଥିବା ପ୍ରଶିକ୍ଷାର୍ଥୀଗଣ ନିଜ ନିଜ ସ୍ୱରଚିତ କଥା, କବିତା ଓ କଲମର ଯାଦୁରେ କରିଛନ୍ତି ମାତୃ ବନ୍ଦନା । ନିକିତା ପାତ୍ରଙ୍କ ଦ୍ୱାରା ଲିଖିତ “ମାଆ ପାଇଁ ପଦେ’ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା । ‘ମାଆ ତୁମକୁ ମୁଁ ଭଲପାଏ’, ‘ମାଆ ପରି କିଏ ହେବ’, ମାଆ ନାହିଁ ଯାହାର’ ଏଭଳି ଅନେକ ଯାଦୁକାରୀ କାବ୍ୟ ସଂଭାରର ‘କାବ୍ୟାଞ୍ଜଳୀ’ରେ ମାତୃ ବନ୍ଦନା କରିଥିଲେ ପ୍ରଶିକ୍ଷାର୍ଥୀଗଣ । ସ୍ପୋକେନ ଇଂଲିଶ ପ୍ରଶିକ୍ଷଣ ଶିବିରରେ ଏଭଳି ମାତୃ ଦିବସ ଆୟୋଜନ ପିଲାଙ୍କ ନିମନ୍ତେ ଏକ ଅନୁପମ ସୁଯୋଗ ତିଆରି କରିଛି । ଏହାଦ୍ୱାରା ପିଲାଟି ନିଜର ମନ କଥାକୁ କହିବାରେ ବେଶ୍ ସମର୍ଥ ହୋଇପାରେ ବୋଲି ମତ ରଖିଥିଲେ ଅନୁଷ୍ଠାନର ନିର୍ଦ୍ଦେଶକ ସନ୍ତୋଷ କୁମାର ପାଢୀ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ଅଧ୍ୟାପକ ତଥା ଶିବିରର ପ୍ରଶିକ୍ଷକ ସନତ କୁମାର ପଣ୍ଡା ଏଥିରେ ସଂଯୋଜନା କରିଥିବା ବେଳେ ପିଲାଙ୍କୁ କିଭଳି ଢଙ୍ଗରେ ଉପସ୍ଥାପନା କରିବାକୁ ହେବ ତାହା ବୁଝାଇଥିଲେ । ପୂର୍ବତନ କର୍ପୋରେଟର ସଂଙ୍ଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲେନା ଚାନ୍ଦ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥୀମାନଙ୍କ ମାର୍ଗ ଦର୍ଶନ କରିଥିଲେ । ‘କାବ୍ୟାଞ୍ଜଳୀ’ରେ ୩୦ରୁ ଅଧିକ କବିତା, ୨ଟି କଥନ ତଥା ଅନେକ କଥାକାହାଣୀ ପରିବେଶକୁ ମାତୃସ୍ପର୍ଶରେ ଆଚ୍ଛାଦିତ କରି ଦେଇଥିଲା । ସଭାର ଶେଷ ପର୍ଯ୍ୟାୟରେ ସେଲଫି ୱିଦ୍ ମଦର କାର୍ଯ୍ୟକ୍ରମ ପୂର୍ବକ ‘ମାଆ ପାଇଁ ଦିନେ’ ସମସ୍ତେ ଉଦଘୋଷ କରିଥିଲେ ।