ଆନ୍ତର୍ଜାତୀକ ମହିଳା ଦିବସ
ସଶକ୍ତ ମହିଳା, ସଶକ୍ତ ମାନବିକତା
ଆମେ କୌଣସି ବି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ ବ୍ୟକ୍ତି ବିଶେଷ ବା ଘଟଣାକୁ ମନେ ପକେଇ, ଆମ ଭବିଷ୍ୟତ ପିଢ଼ି ପାଇଁ ପଥ ପ୍ରଶସ୍ତ କରିବା । ଆନ୍ତର୍ଜାତୀୟ ମହିଳା ଦିବସ କେବଳ ଏକ ଉତ୍ସବ ନୂହେଁ ଏହା କାର୍ଯ୍ୟ କରିବାର ଆହ୍ୱାନ । ଏହା ସ୍ମରଣକାରୀ ଯେ ପ୍ରଗତି ସତ୍ୱେ ମହିଳା ଏବଂ ଝିଅମାନେ ଭେଦଭାବ, ହିଂସା ଏବଂ ଅସମାନତାର ସମ୍ମୁଖୀନ ଆଜି ବି ହେଉଛନ୍ତି । ଏହା ଏକ ସନ୍ତୁଳିତ, ସୁସ୍ଥ ସମାଜ ଗଠନରେ ବିରାଟ ବାଧା ସୃଷ୍ଟିକାରୀ । ମଣିଷଟିଏ ଚାଲିବା କି ଦୌଡିବା ଲାଗି ତା’ର ଦୁଇଗୋଡ ଭିତରେ ଉଚିତ୍ ସମନ୍ୱଯ ରହିବା ଜରୁରୀ ନଚେତ୍ ମଣିଷ ଛୋଟେଇବା, ପଡିଯିବାର ଭୟ ଥାଏ, ସେହିପରି ଏକ ସୁସ୍ଥ, ସମୃଦ୍ଧ ସମାଜ ଲାଗି ମହିଳା ପୁରୁଷ ଏବଂ ତୃତୀୟ ଲିଙ୍ଗିଙ୍କର ବୁଝାମଣା, ସହଯୋଗ ନିହାତି ଜରୁରୀ । ଆଜିର ଦିନ କେବଳ ପାଳନର ଦିନ ନୁହେଁ, ଏହା ଆତ୍ମ ସମୀକ୍ଷା, ବାଧା ଭାଙ୍ଗିବା, ରୀତିବାଦୀ ଧାରଣାକୁ ଭାଙ୍ଗିବାର ଦିବସ । ଏହା ନିଜର ଅଧିକାର ଜାଣିବା, ଅନ୍ୟକୁ ସଚେତନ କରିବାର ଦିବସ, ବିଭିନ୍ନ କ୍ଷେତ୍ର, କ୍ଷମତା ଏବଂ ପୃଷ୍ଠଭୂମିରେ ମହିଳାଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ତାଙ୍କୁ ଉଦାହରଣ ଭାବେ ନେଇ ଆଗକୁ ବଢ଼ିବାର ସଂକଳ୍ପ ନେବାର ସମୟ । ମାର୍ଚ୍ଚ ୮ ତାରିଖରେ ପୁରସ୍କୃତ ହୋଇ ବା ପୁରସ୍କୃତ କରି ତା’ପରଦିନ ଗୋଟେ କନ୍ୟ ସନ୍ତାନର ଅଧିକାରକୁ ଅଣଦେଖା କରାଗଲେ ଏ ଦିବସ ପାଳନ ମୂଲ୍ୟହୀନ ।
ଅହଲ୍ୟ ବାଇ ହୋଲକରଙ୍କ ଠାରୁ ଅହଲ୍ୟା ବାଇ ଫୁଲେ, ସୀତାଙ୍କ ଠାରୁ ମଲାଲା ୟୁସୁଫ୍ଙ୍କ ଯାଏଁ ପରିବର୍ତ୍ତନର ଧାରା ଜାରି ରହିଛି । ଆମେ ଭବିଷ୍ୟତ ପରିକଳ୍ପନା କରିବା ସମୟରେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଏହା ସମସ୍ତଙ୍କ ପାଇଁ ମାନବ ଅଧିକାର ହିଁ ମହିଳାଙ୍କର ଅଧିକାର ଏବଂ ଲିଙ୍ଗଗତ ସମାନତା ଏକ ବାସ୍ତବତା ।
ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଝଊଏ)୫ (ଲିଙ୍ଗଗତ ସମାନତା) ଏବଂ (ଝଊଏ) ୧୬ (ଶାନ୍ତି, ନ୍ୟାୟ ଏବଂ ଦୃଢ଼ ପ୍ରତିଷ୍ଠାନ) ମଧ୍ୟ ମହିଳା ସଶକ୍ତି କରଣକୁ ପ୍ରୋତ୍ସାହିତ କରିବା ସହ, ଧରାବନ୍ଧା ବାଧା-ବିଘ୍ନକୁ ଦୃଢ଼ତାର ସହ ମୁକାବିଲା କରିବା ଲାଗି ମାର୍ଗ ଦର୍ଶକ ।
କେବଳ ସହରାଞ୍ଚଳରେ ଚାକିରୀ କରିବା, ଭଲ ଇଂରାଜୀ କହିବା ମହିଳା ଯେ ସଶକ୍ତ ତାହା ଭାବିବା ଭୂଲ୍ ହେବ । ଯେଉଁ ଦିନ ନିଜ ଅଧିକାର ଜାଣିବା, ନିଜ ଲାଗି ନିଜେ ସ୍ୱର ଉତ୍ତୋଳନ କରିବା ଶିଖିବା ଏବଂ ଗ୍ରାମାଞ୍ଚଳରେ ଏ ବାର୍ତ୍ତା ପହଞ୍ଚାଇ ପାରିବା ସେଦିନ ହେବ ପ୍ରକୃତରେ ସଶକ୍ତ ସମାଜ, ସଶକ୍ତ ଦେଶ ।
୨୦୨୫ ମହିଳା ଦିବସର ବିଷୟ ବସ୍ତୁ ଜାତିସଂଘ “ଲିଙ୍ଗଗତ ସମାନତା ପାଇଁ ନବସୃଜନ ଏବଂ ପ୍ରଯୁକ୍ତି ବିଦ୍ୟା” ରଖିଥିବା ବେଳେ ୟୁ.ଏନ୍. ମହିଳା ସଂଘ “ସମସ୍ତ ମହିଳା ଏବଂ ଝିଅଙ୍କ ପାଇଁ ସମାନତା ଅଧିକାର ବିଷୟବସ୍ତୁ ରଖିଛନ୍ତି ।
ବିଷୟବସ୍ତୁ କିଛି ବି ଥାଉ ଯେ ପର୍ଯ୍ୟନ୍ତ ଆମେ ସମସ୍ତେ ନିଜକୁ ସଜାଡିନେ, ଆତ୍ମସମୀକ୍ଷା କରିନେ ତେବେ ଲକ୍ଷ୍ୟ ହାସଲ ଅସମ୍ଭବ, ଆଜି ମହିଳା ସ୍ୱବଲମ୍ବୀ କିନ୍ତୁ ମାନସିକତାରେ ପରିବର୍ତ୍ତନ ସେମିତି ଆଖିଦୃଷ୍ଟିଆ ନାହିଁ । ଜଣେ ସଫଳ ମହିଳା ଯେତେବେଳେ ଅନ୍ୟ ମହିଳାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ ସେ ପରିବର୍ତ୍ତନ ଆଣିପାରେ । ଖାଲି ନିଜର ଉନ୍ନତି ଭାବି ବସିଗଲେ ହେବନାହିଁ, ସମୂହ ବିକାଶରେ ଯୋଗଦାନ କରିବାକୁ ହେବ ।
କିଏ କହିଲା ମହିଳା ଅବଳା-ଦୁର୍ବଳା ପୁରାଣ କାଳରୁ ଆଧୁନିକ ଯୁଗ ଯାଏଁ ସେ ତ ସୃଷ୍ଟି ଆଉ ସେ ବିନାଶ । ପାର୍ବତୀ ଠାକୁରାଣୀ ଏମିତି ଏକ ପରିବାର ସମ୍ଭାଳୁଥିଲେ ଯେଉଁଠି ଖାଦ୍ୟ-ଖାଦକ ଏକାଠି ଥିଲେ । ଗଣେଶଙ୍କର ମୂଷା ତ ମହାଦେବଙ୍କର ସାପ, କାର୍ତ୍ତିକେୟଙ୍କର ମୟୁର ତ ପାର୍ବତୀଙ୍କର ସିଂହ । ସେ ସୁଚାରୁ ରୂପେ ଚଳାଇ ପାରିଥିଲେ ବୋଲି କେହି କାହାକୁ ଖାଦ୍ୟ କରିନଥିଲେ ବୋଧେ, ଆଉ ଆବଶ୍ୟକ ବେଳେ ସେଇ ପାର୍ବତୀ କାଳୀ ରୂପ ମଧ୍ୟ ଧାରଣ କରିଥିଲେ ।
ଆଉ ଆଜି ଦେଶର ସର୍ବୋଚ୍ଚ ଗରୀମାମୟ ପଦବୀରେ ଜଣେ ମହିଳା ଆସିନ । ଆଜି ମହିଳା ଜେଟ୍ ଉଡାଜାହାଜ ମଧ୍ୟ ଉଡାଇଲେଣି । ତେଣୁ ଆମେ ଆଜି ସଂକଳ୍ପ ନେବା ସଂସ୍କୃତି, ପରିବାର, ଶିକ୍ଷାକୁ ନେଇ ମଧ୍ୟ ମହିଳା ଆଗକୁ ବଢ଼ିପାରେ, ଆଗକୁ ବଢ଼ିବା ଲାଗି ଦୃଢ଼ ମନୋବଳ ଥିଲେ ସବୁ ନିୟମ, ଯୋଜନାର ସଦୁପଯୋଗ କରିହେବ ।
ଦୟା, କ୍ଷମା ଧୈର୍ଯ୍ୟର ପ୍ରତିକ ହେଉଛି ନାରୀ, ସମାଜର ଉତ୍ଥାନ ପତନରେ ସମାଜକୁ ଦିଗ ଦେଇଥାଏ ନାରୀ, ବିଭିନ୍ନ ସଂପର୍କକୁ ସ୍ନେହର ସହ ବାନ୍ଧି ରଖିପାରେ ଗୋଟେ ନାରୀ । ଫୁଲ ପରି କୋମଳ, ଆକାଶ ପରି ବିଶାଳ ହୃଦୟ ଧାରିଣୀ ନାରୀ, ଏ ଦୁନିଆରୁ ସେ କେବଳ ଟିକେ ସ୍ନେହ, ସମ୍ମାନ ଆଶା କରେ ।
ଆଜି ନାରୀ ଜାତିକୁ ଆହ୍ୱାନ ନିଜର ସ୍ୱାଭିମାନକୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସାଥିରେ ନେଇ ସୁନ୍ଦର ଓଡିଶା ଗଠନରେ ସମଭାଗି ହେବେ ।
ଅନାମିକା ଦାସ
ମୋ- ୭୦୦୮୩୯୬୬୫୪